ସଂସଦରେ ମହିଳା ଆରକ୍ଷଣ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି: ମହିଳା କଂଗ୍ରେସ

ଭୁବନେଶ୍ବର : ସଂସଦରେ ମହିଳା ଆରକ୍ଷଣ ନେଇ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି। ଏ ନେଇ ଅଭିଯୋଗ କରିଛି ମହିଳା କଂଗ୍ରେସ। ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା କହିଛନ୍ତି, ସଂସଦରେ ସର୍ବପ୍ରଥମେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ମହିଳା ଆରକ୍ଷଣ ବିଧେୟକ ରାଜ୍ୟସଭାରେ କଂଗ୍ରେସ ଦଳ ପାରିତ କରାଇଥିଲା। ଲୋକସଭାରେ ଦଳର ସଂଖ୍ୟାଗରିଷ୍ଠତା ଅଭାବ ଯୋଗୁ ଏହି ବିଧେୟକ ପାରିତ ହୋଇପାରିନଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦୁଇଥର ନିର୍ବାଚିତ ହୋଇ କ୍ଷମତାକୁ ଆସିବା ପରେ ବି ଏଯାବତ୍‌ ବିଧେୟକ ପାରିତ ନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ଯାହାକି ଅତ୍ୟନ୍ତ କ୍ଷୋଭର ବିଷୟ। ବିଜେଡି କିନ୍ତୁ ଏଥିପାଇଁ ବିଜେପିକୁ ସମାଲୋଚନା କରୁନାହିଁ। ବିଜେଡି ସଂସଦୀୟ ଦଳ ନେତା ତଥା ସାଂସଦ ପିନାକୀ ମିଶ୍ର ଏ ନେଇ ପଦୁଟିଏ କହୁନାହାନ୍ତି ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆନ୍ତରିକତା ଥାଏ, ତାହେଲେ ଚଳିତ ସଂସଦ ଅଧିବେଶନରେ ନିଜର କଡ଼ା ଆଭିମୁଖ୍ୟକୁ ପ୍ରକାଶ କରିବେ ବୋଲି ଶ୍ରୀମତୀ ପରିଡ଼ା ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର