ଚିତ୍ରକୋଣ୍ଡା : ଗଭୀର ଜଳକୁ ଟାଣିନେଲା କୁମ୍ଭୀର

ମାଲକାନଗିରି / ଚିତ୍ରକୋଣ୍ଡା : ପୂର୍ବରୁ ଗାଈଗୋରୁଙ୍କ ଶିକାର କରୁଥିଲା। ଯାହାକୁ ସେତେଟା ଗୁରୁତ୍ବ ଦେଉନଥିଲେ ସ୍ଥାନୀୟ ଲୋକ। କିନ୍ତୁ ଭୋକ ବିକଳରେ ଗତକାଲି ଜଣେ ନାବାଳକକୁ ଟାଣି ନେଇଗଲା ଗଭୀର ଜଳକୁ। ଖିନ୍‌ଭିନ୍ କରି ହାତ ଏବଂ ଗୋଡ଼ରୁ ପୁଳ‌ାଏ ଲେଖାଏଁ ଖାଇଦେଲା। ଏହାପରେ ନରଖାଦକ କୁମ୍ଭୀର ଜଳଭଣ୍ଡାର ଅନ୍ୟପାର୍ଶ୍ବରେ ରହିଥିବା ସୁରକ୍ଷିତ ବାସସ୍ଥାନକୁ ଚାଲିଗଲା। ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାରରେ ଏମିତି ଗୋଟିଏ ଲୋମଟାଙ୍କୁରା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପ୍ରଥମଥର ପାଇଁ ଏହି ଜଳଭଣ୍ଡାରରେ କୁମ୍ଭୀର ମଣିଷ ଶିକାର କରିଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବନବିଭାଗ ନିକଟରେ ବିଧିବଦ୍ଧ ଭାବେ କୌଣସି ଅଭିଯୋଗ ଦାଖଲ ହୋଇନାହିଁ।

YouTube

ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଝୋଲାଗୁଡ଼ାର ଅପର କଲୋନିର ଅର୍ଜୁନ ମାଝୀଙ୍କ ପୁଅ କପିଳାସ ମାଝୀ (୧୧) ଗତକାଲି ଅପରାହ୍ନରେ ଗାଁ ପିଲାଙ୍କ ସହ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲା। ଜଳଭଣ୍ଡାରର ଉଚ୍ଚ ହିଡ଼ରୁ ପିଲାମାନେ ପାଣିକୁ ଡେଇଁଥିବା ବେଳେ ଭୋକିଲା କୁମ୍ଭୀର ଏମିତି ଶିକାର ଅପେକ୍ଷାରେ ରହିଥିଲା। ପାଣିରେ ହଲଚଲ ମଧ୍ୟରେ କୁମ୍ଭୀର ଏତେ ନିକଟକୁ ଚାଲି ଆସିଥିଲା ଯେ କେହି କିଛି ଜାଣିପାରି ନଥିଲେ। ତେବେ କପିଳାସକୁ ମୁନିଆ ଦାନ୍ତରେ କାମୁଡ଼ି ଧରିବା ପରେ ଅନ୍ୟମାନେ ପ୍ରାଣ ବିକଳରେ ପାଣି‌ରୁ ଚାଲି ଆସିଥିଲେ। ପାଣିରେ କୁମ୍ଭୀର ସହ ‌ଲଢ଼େଇ କରି କପିଳାସକୁ ଉଦ୍ଧାର କରିବା ସମାନଙ୍କ ପକ୍ଷେ ଆଦୌ ସମ୍ଭବ ନଥିଲା। ତେଣୁ ଗାଁକୁ ଫେରି କୁମ୍ଭୀର କପିଳାସକୁ ଟାଣି ନେଇଥିବା ଜଣାଇଥିଲେ। ପରିବାର ଲୋକଙ୍କ ସହ ଗ୍ରାମବାସୀ ବିଳମ୍ବ ନକରି ଜଳଭଣ୍ଡାର ନିକଟରେ ପହଞ୍ଚିବା ବେଳକୁ ସଂପୂର୍ଣ୍ଣ ଜଳରାଶି ସ୍ଥିର ରହିଥିଲା, କୌଣସି ଅସ୍ବାଭାବିକ ଗତିବିଧି ଦେଖିବାକୁ ମିଳି ନଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି ସତ୍ତ୍ବେ କପିଳାସର ପତ୍ତା ମିଳି ନଥିଲା। ଶେଷରେ ଆଜି ସକାଳେ ଘଟଣାସ୍ଥଳରୁ ମାତ୍ର ୧୦୦ ମିଟର ଦୂରରେ କପିଳାସର ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଏନେଇ ନିକଟସ୍ଥ ଥାନାରେ ଏତଲା ଦେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବ ପାଣିରୁ ବାହାର କରିବା ବେଳକୁ କାନ୍ଧ ନିକଟରୁ ଗୋଟିଏ ହାତ ଏବଂ ଜଙ୍ଘ ତଳକୁ ହାଡ଼ ସହ ମାଂସକୁ କୁମ୍ଭୀର ସଂପୂର୍ଣ୍ଣ ଖାଇ ସାରିଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅର୍ଜୁନ ମାଝି ଅତ୍ୟନ୍ତ ଗରିବ ହୋଇଥିବା ବେଳେ କପିଳାସ ଗୋଟିଏ ବୋଲି ପୁଅ ଥିଲା। ଅକାଳରେ ପୁଅକୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅର୍ଜୁନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏନେଇ ଏସିଏଫ ଶ୍ରୀକାନ୍ତ ନାୟକଙ୍କୁ ଯୋଗାଯୋଗ କରିବାରୁ ଏମିତି ଏକ ଖବର ମିଳିଥିବାରୁ ଏହାର ତଦନ୍ତ କରାଯାଉଛି। ତେବେ ବିଧିବଦ୍ଧ ଭାବେ ଏନେଇ କେହି ବନ ବିଭାଗ ନିକଟରେ ଅଭିଯୋଗ କରିନାହାନ୍ତି। ଜଳଭଣ୍ଡାରରେ କୁମ୍ଭୀର ରହିଛନ୍ତି, ତେବେ କେତେ ସଂଖ୍ୟାରେ ଏବଂ କେଉଁ ପ୍ରଜାତିର କୁମ୍ଭୀର ରହିଛନ୍ତି ତାହାର ଗଣନା ହୋଇ ନଥିବା କହିଛନ୍ତି। ଅଭିଯୋଗ ମିଳିଲେ ତଦନ୍ତ ସହ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର