ମା’ ନ ହେବାର ଦୁଃଖ! : ଖାଦ୍ୟ ଛାଡ଼ିଦେଲାଣି ‘ଗୋରୀ’

ରାଜନଗର, (ସୂର୍ଯ୍ୟନାରାୟଣ ଲେଙ୍କା) : ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ‘ଗୋରୀ’ ମା’ନ ହେବା ଦୁଃଖରେ ମନ ମାରି ବସିଛି। ୪୪ ବର୍ଷୀୟ ଗୋରୀ ଗତ ଦୁଇ ସପ୍ତାହ ହେଲା ଅସ୍ୱାଭାବିକ ଆଚରଣ କରିବା ସହିତ ଖାଦ୍ୟ ଛାଡ଼ି ଦେଇଛି। ପୂର୍ବରୁ ପ୍ରତିଦିନ ପାଞ୍ଚ ଛଅ କିଲୋ କଙ୍କଡ଼ା ଓ ମାଛ ଖାଉଥିବା ବେଳେ ଏବେ ଦୁଇ/ତିନି ଦିନରେ ଥରେ ଦେଢ଼/ଦୁଇ କିଲୋ ଖାଦ୍ୟ ଖାଉଛି। ଖାଇବାକୁ ଡାକିଲେ ଦୌଡ଼ି ଆସୁଥିବା ଗୋରୀ ଏବେ ଡାକ ବି ଶୁଣୁନି। ଗୋରୀର ଏଭଳି ଅସ୍ୱାଭାବିକ ଆଚରଣ ବନ୍ୟଯନ୍ତୁପ୍ରେମୀ ଓ ପରିବେଶବିତମାନଙ୍କୁ ବ୍ୟଥିତ କରିଛି।

ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଲଠାରେ ଏକ ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଛି ଗୋରୀ। ଶଙ୍ଖ ମଲ ମଲ ଧଳା ରଙ୍ଗର ମାଈ କୁମ୍ଭୀର ଗୋରୀ ପ୍ରତିଦିନ ସକାଳେ ନହେଲେ ସନ୍ଧ୍ୟାରେ ପାଞ୍ଚ/ଛଅ କିଲୋ ଜିଅନ୍ତା କଙ୍କଡ଼ା ଖାଇଥାଏ। ଯେଉଁ ଦିନ କଙ୍କଡ଼ା ନଥାଏ ସେଦିନ ଗୋରୀକୁ ସମାନ ପରିମାଣର ମାଛ ଖାଇବାକୁ ଦିଆ ଯାଇଥାଏ। ଗୋରୀକୁ ଖାଇବାକୁ ଦେବା ଦାୟିତ୍ୱରେ ଥିବା ବନ କର୍ମଚାରୀ ଯଶୋବନ୍ତଙ୍କ ଡାକ ଶୁଣିଲେ ଗୋରୀ ତା’ର ଖାଇବା ସ୍ଥାନ ନିକଟକୁ ଚାଲିଆସେ। ମାତ୍ର ୧୫ ଦିନ ହେଲା ଗୋରୀ ଆଉ ଆଗ ଭଳି ଖାଦ୍ୟ ଖାଉନି। ପୂର୍ବରୁ ପ୍ରତିଦିନ ଗୋରୀ ଖାଦ୍ୟ ଖାଉଥିବା ବେଳେ ଏବେ ଦୁଇ ତିନି ଦିନରେ ଥରେ ଖାଉଛି, ତାହା ପୁଣି ମାତ୍ର ଦେଢ଼ କିଲୋରୁ ଦୁଇ କିଲୋ ମଧ୍ୟରେ। ଗତ ତିନି  ଦିନ ଧରି  କିଛି ଖାଇ ନଥିବା ଗୋରୀ ଗତକାଲି ସନ୍ଧ୍ୟାରେ ଦେଢ଼ କିଲୋ କଙ୍କଡ଼ା ଖାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଗୋରୀକୁ ୪୪ ପୂରି ୪୫ ଚାଲିଲାଣି। ଗୋରୀ ମା’ ନହୋଇ ପାରିବା ଦୁଃଖରେ ଏଭଳି ଅସ୍ୱାଭାବିକ ଆଚରଣ କରିବା ସହ ଖାଦ୍ୟ ଖାଉ ନଥିବା କୁହାଯାଉଛି। ଅନ୍ୟପକ୍ଷରେ ଗୋରୀର ତଳି ପେଟ ଫୁଲି ରହିଥିବାରୁ ଓ ଆବଦ୍ଧ ପୋଖରୀ ହୁଡ଼ାରେ ବସା ବାନ୍ଧିଥିବାରୁ ଏ ବର୍ଷ ପୁଣି ଅଣ୍ଡା ଦେଇପାରେ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଗୋରୀ ୨୦୦୭ରେ ୩୧ଟି , ୨୦୦୯ରେ ୨୨ଟି, ୨୦୧୧ରେ ୧୮ଟି , ୨୦୧୩ରେ ୨୨ଟି , ୨୦୧୫ ରେ ୩୨ଟି, ୨୦୧୬ରେ ୨୭ଟି ଅଣ୍ଡା ଦେଇଥିଲା। ତେବେ ଗୋରୀ ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବାରୁ ଓ ମିଳନ ପ୍ରକ୍ରିୟାରେ ସାମିଲ ହୋଇ ନଥିବାରୁ ସେ ଅଣ୍ଡାରୁ ଛୁଆ ବହାରି ନ ଥିଲା।

ଉଲ୍ଲେଖଯୋଗ୍ୟ ଯେ ୧୯୭୫ ଏପ୍ରିଲ ୨୨ ତାରିଖରେ ଡାଙ୍ଗମାଳଠାରେ ଦେଶର ପ୍ରଥମ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବା ବର୍ଷ ପ୍ରଥମ ଥର ପାଇଁ ୨୫ଟି  ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା। ତାପମାତ୍ରା କମ୍‌ ହୋଇଯିବାରୁ ଅଧିକାଂଶ ଅଣ୍ଡିରା ଶାବକ ଜନ୍ମ ହୋଇଥିବା ବେଳେ ମାତ୍ର ଦୁଇଟି ମାଈ ଶାବକ ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ଗୋଟିଏ ଛୁଆ ସମସ୍ତଙ୍କଠାରୁ ଭିନ୍ନ ଓ ଧଳା ରଙ୍ଗର ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶଙ୍ଖ ମଲ ମଲ ପରି ଚକ ଚକ ଦେହକୁ ଦେଖି ବିଭାଗୀୟ କର୍ମଚାରୀମାନେ ଏହି କୁମ୍ଭୀରର ନାମ ଗୋରୀ ଦେଇଥିଲେ। ଗୋରୀର ଜନ୍ମ ପରେ ପ୍ରାଣୀ ବିଜ୍ଞାନୀମାନଙ୍କ ମଧ୍ୟରେ ଏହାର ରଙ୍ଗକୁ ନେଇ ନାନା କୌତୂହଳ ସୃଷ୍ଟି ହୋଇଥିଲା। ତେଣୁ ବିରଳ ପ୍ରଜାତିର ଶଙ୍ଖୁଆ କୁମ୍ଭୀରର ଲାଳନ ପାଳନ ଅତି ଯତ୍ନର ସହିତ କରାଯାଇଥିଲା। ଗୋରୀକୁ ଦେଖିବା ପାଇଁ ୧୫ ବର୍ଷ ଯାଏଁ ଦେଶ ବିଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିଲା। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଭୁବନେଶ୍ୱର ଆସିଥିବା ବେଳେ ଗୋରୀକୁ  ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ଭୁବନେଶ୍ୱର ନିଆଯାଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋରୀକୁ ମାସ୍କଟ କରାଯାଇଥିଲା। ଗୋରୀ ଯୌବନପ୍ରାପ୍ତ ହେବା ପରେ ୧୯୮୭ ମସିହାରେ ହାଇଦ୍ରାବାଦରୁ ଏକ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ମିଳନ ପାଇଁ ଉଦ୍ୟମ କରାଯାଇଥିଲା। ଲଗାତର ତିନି ବର୍ଷ କାଳ ଗୋରୀ ସହ ଏହି କୁମ୍ଭୀରର ମିଳନ ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ଶେଷରେ ଗୋରୀର ଆକ୍ରମଣରେ ଉକ୍ତ ଅଣ୍ଡିରା କୁମ୍ଭୀରର ମୃତ୍ୟୁ ହୋଇଥିଲା। ଏହାପରେ ୧୯୯୦ ମସିହାରେ କାଣୀ ଓ ୧୯୯୨ରେ ଅଷ୍ଟ୍ରେଲିଆର ଭଏଟର ନାମକ ଅନ୍ୟ ଏକ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ଏକତ୍ର ବସବାସ କରିବାକୁ ସୁଯୋଗ ଦିଆଯାଇଥିଲା। ସେ ମଧ୍ୟ ଗୋରୀ ପାଇଁ ଉପଯୁକ୍ତ ନଥିଲା। ଫଳରେ ଗୋରୀ ଆଜି ଯାଏଁ ମା’ ହୋଇ ପାରିନାହିଁ। ଜନ୍ମରୁ ଗୋରୀକୁ ୧୦ ଡିସିମିଲ ବିଶିଷ୍ଟ ଆବଦ୍ଧ ପୋଖରୀରେ ରଖାଯାଇଥିଲା । ଆବଦ୍ଧ ପୋଖରୀର ଦୂଷିତ ଜଳ ଓ ପରିବେଶ ଯୋଗୁଁ ଗୋରୀର ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଏହାକୁ ନେଇ ବିଭିନ୍ନ ସ୍ତରରେ ସ୍ୱର ଉତ୍ତୋଳନ ପରେ ଗୋରୀ ରହୁଥିବା ପୋଖରୀର ଏରିଆ ଦେଢ ଏକରକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର