ମା’ ନ ହୋଇ ପାରିବା ଦୁଃଖରେ ଖାଦ୍ୟ ଖାଉ ନାହିଁ ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ଗୋରୀ

କେନ୍ଦ୍ରାପଡ଼ା: ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ‘ଗୋରୀ’ ମା’ନ ହେବା ଦୁଃଖରେ ମନ ମାରି ବସିଛି। ୪୪ ବର୍ଷୀୟ ଗୋରୀ ଗତ ଦୁଇ ସପ୍ତାହ ହେଲା ଅସ୍ୱାଭାବିକ ଆଚରଣ କରିବା ସହିତ ଖାଦ୍ୟ ଛାଡ଼ି ଦେଇଛି। ପୂର୍ବରୁ ପ୍ରତିଦିନ ପାଞ୍ଚ ଛଅ କିଲୋ କଙ୍କଡ଼ା ଓ ମାଛ ଖାଉଥିବା ବେଳେ ଏବେ ଦୁଇ/ତିନି ଦିନରେ ଥରେ ଦେଢ଼/ଦୁଇ କିଲୋ ଖାଦ୍ୟ ଖାଉଛି। ଖାଇବାକୁ ଡାକିଲେ ଦୌଡ଼ି ଆସୁଥିବା ଗୋରୀ ଏବେ ଡାକ ବି ଶୁଣୁନି। ଗୋରୀର ଏଭଳି ଅସ୍ୱାଭାବିକ ଆଚରଣ ବନ୍ୟଜନ୍ତୁପ୍ରେମୀ ଓ ପରିବେଶ ବିତମାନଙ୍କୁ ବ୍ୟଥିତ କରିଛି।

ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଲଠାରେ ଏକ ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଛି ଗୋରୀ। ଶଙ୍ଖ ମଲ ମଲ ଧଳା ରଙ୍ଗର ମାଈ କୁମ୍ଭୀର ଗୋରୀ ପ୍ରତିଦିନ ସକାଳେ ନହେଲେ ସନ୍ଧ୍ୟାରେ ପାଞ୍ଚ/ଛଅ କିଲୋ ଜିଅନ୍ତା କଙ୍କଡ଼ା ଖାଇଥାଏ। ଯେଉଁ ଦିନ କଙ୍କଡ଼ା ନଥାଏ ସେଦିନ ଗୋରୀକୁ ସମାନ ପରିମାଣର ମାଛ ଖାଇବାକୁ ଦିଆ ଯାଇଥାଏ। ଗୋରୀକୁ ଖାଇବାକୁ ଦେବା ଦାୟିତ୍ୱରେ ଥିବା ବନ କର୍ମଚାରୀ ଯଶୋବନ୍ତଙ୍କ ଡାକ ଶୁଣିଲେ ଗୋରୀ ତା’ର ଖାଇବା ସ୍ଥାନ ନିକଟକୁ ଚାଲିଆସେ। ମାତ୍ର ୧୫ ଦିନ ହେଲା ଗୋରୀ ଆଉ ଆଗ ଭଳି ଖାଦ୍ୟ ଖାଉନି। ପୂର୍ବରୁ ପ୍ରତିଦିନ ଗୋରୀ ଖାଦ୍ୟ ଖାଉଥିବା ବେଳେ ଏବେ ଦୁଇ ତିନି ଦିନରେ ଥରେ ଖାଉଛି, ତାହା ପୁଣି ମାତ୍ର ଦେଢ଼ କିଲୋରୁ ଦୁଇ କିଲୋ ମଧ୍ୟରେ। ଗତ ତିନି ଦିନ ଧରି କିଛି ଖାଇ ନଥିବା ଗୋରୀ ଗତକାଲି ସନ୍ଧ୍ୟାରେ ଦେଢ଼ କିଲୋ କଙ୍କଡ଼ା ଖାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଗୋରୀକୁ ୪୪ ପୁରି ୪୫ ଚାଲିଲାଣି। ଗୋରୀ ମା’ ନହୋଇ ପାରିବା ଦୁଃଖରେ ଏଭଳି ଅସ୍ୱାଭାବିକ ଆଚରଣ କରିବା ସହ ଖାଦ୍ୟ ଖାଉ ନଥିବା କୁହାଯାଉଛି। ଅନ୍ୟପକ୍ଷରେ ଗୋରୀର ତଳି ପେଟ ଫୁଲି ରହିଥିବାରୁ ଓ ଆବଦ୍ଧ ପୋଖରୀ ହୁଡ଼ାରେ ବସା ବାନ୍ଧିଥିବାରୁ ଏ ବର୍ଷ ପୁଣି ଅଣ୍ଡା ଦେଇପାରେ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଗୋରୀ ୨୦୦୭ରେ ୩୧ଟି , ୨୦୦୯ରେ ୨୨ଟି, ୨୦୧୧ରେ ୧୮ଟି , ୨୦୧୩ରେ ୨୨ଟି , ୨୦୧୫ ରେ ୩୨ଟି, ୨୦୧୬ରେ ୨୭ଟି ଅଣ୍ଡା ଦେଇଥିଲା। ତେବେ ଗୋରୀ ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବାରୁ ଓ ମିଳନ ପ୍ରକ୍ରିୟାରେ ସାମିଲ ହୋଇ ନଥିବାରୁ ସେ ଅଣ୍ଡାରୁ ଛୁଆ ବାହାରି ନ ଥିଲା।

ସମ୍ବନ୍ଧିତ ଖବର