ଯାଜପୁର/ବରୀ: ନଈ ଭିତରେ ଏକ ବିଶାଳ କୁମ୍ଭୀର ଜଣେ ମହିଳାଙ୍କୁ ପାଣିରେ ବୁଡ଼ାଇ ମାରୁଥିବାର ଲୋମଟାଙ୍କୁରା ଦୃଶ୍ୟକୁ ଆଜି ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ୍ର କନ୍ତିଆ ଗ୍ରାମବାସୀ। ଘଟଣାଟି ସଭିଁଙ୍କୁ ହତବାକ୍ କରିଥିବାବେଳେ କୁମ୍ଭୀରକୁ ନେଇ ବରୀ ବ୍ଲକ୍ର ବୋଦୁଅ ପଞ୍ଚାୟତ ସମେତ ଆଖପାଖ ଗାଁଗୁଡ଼ିକରେ ଆତଙ୍କ ଖେଳିଯାଇଛି।
କୁମ୍ଭୀର ମୁହଁରେ ପ୍ରାଣ ହରାଇଥିବା ମହିଳା ଜଣକ ହେଉଛନ୍ତି କନ୍ତିଆ ଗ୍ରାମର ସୌଦାମିନୀ ମହଲା (୫୭)। ସୂଚନା ମୁତାବକ, ସୌଦାମିନୀ ଆଜି ଅପରାହ୍ଣରେ ଖରସ୍ରୋତା ନଦୀକୂଳକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେଠାରେ ତାଙ୍କୁ ଏକ କୁମ୍ଭୀର ଝାମ୍ପି ନେଇଥିଲା। ସୌଦାମିନୀଙ୍କ ଚିତ୍କାର ଶୁଣି ନଈପଠାରେ ଥିବା ଲୋକମାନେ ଧାଇଁ ଆସି ହୋହଲ୍ଲା କରିଥିଲେ। ହେଲେ କୁମ୍ଭୀରଟି ସୌଦାମିନୀଙ୍କୁ ପାଟିରେ କାମୁଡ଼ି ଧରି ଗୋଟିଏ ଝଟ୍କାରେ ନଈ ଭିତରକୁ ଟାଣି ନେଇଥିଲା। କୂଳଠୁ ଅଳ୍ପ ଦୂରରେ କୁମ୍ଭୀର ସୌଦାମିନୀଙ୍କୁ ବୁଡ଼ାଇ ମାରୁଥିବା ଦେଖି ଦେଖଣାହାରୀ ଭୟରେ ଶିହରି ଉଠିଥିଲେ।
ସମସ୍ତେ ଆଖି ଆଗରେ ଦେଖୁଥିଲେ ମଧ୍ୟ ହିଂସ୍ର କୁମ୍ଭୀର ମୁହଁରୁ କେହି ସୌଦାମିନୀଙ୍କୁ ବଞ୍ଚାଇ ପାରିନଥିଲେ। ଜିଲ୍ଲାର ବିଭିନ୍ନ ନଦୀରେ ଏବେ ପାଣି କମ୍ ଥିଲେ ମଧ୍ୟ ଅଧିକ ସଂଖ୍ୟାରେ କୁମ୍ଭୀରଙ୍କ ଆତଯାତ ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ନଦୀ ଭିତରକୁ ନ ଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ହେଲେ ନଦୀକୂଳିଆ ଲୋକଙ୍କ ଅସାବଧାନତା ତଥା ଜୀବନଜୀବିକା ପାଇଁ ନଦୀ ଉପରେ ନିର୍ଭର କରୁଥିବାରୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି। ହେଲେ ସୌଦାମିନୀଙ୍କ ପତ୍ତା ମିଳିପାରିନାହିଁ।