ଭିତରକନିକାରେ ବଉଳା କୁମ୍ଭୀରଙ୍କ ବସା ଠାବ ପ୍ରକ୍ରିୟା ଆରମ୍ଭ

ରାଜନଗର : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ବସା ଠାବ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଆଜି ୬ଜଣିଆ ଦୁଇଟି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ନଦୀ ନାଳ ପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କରେ ବସାଗୁଡିକୁ ଠାବ କରିବେ। କନିକା ବନାଞ୍ଚଳ ଅଧିକାରୀ ସୁବ୍ରତ ପାତ୍ରଙ୍କ ତତ୍ତ୍ୱାବଧାନରେ ୨ଟି ଟିମ୍‌ ଏକ ସପ୍ତାହ ମଧ୍ୟରେ ବସାଗୁଡିକୁ ଠାବ କରିବେ।

ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ୧୬ଶହରୁ ଉର୍ଦ୍ଧ୍ୱ ବଉଳାକୁମ୍ଭୀର ବସବାସ କରୁଛନ୍ତିି। ମେ’ ପ୍ରଥମ ସପ୍ତାହରୁ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଜୁଲାଇ ୩୧ ଯାଏଁ ଚାଲୁ ରହିବ। ଏହି ସମୟ ମଧ୍ୟରେ ମା’ କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ। ୪୫ ଦିନ ପରେ ଅଣ୍ଡାରୁ ଛୁଆ ଫୁଟିବେ। ନଦୀ ତଟଠାରୁ ୫ଫୁଟ ଦୂରତ୍ୱରେ କୁମ୍ଭୀରମାନେ ହେନ୍ତାଳ ପତ୍ର ଦ୍ୱାରା ୪ଫୁଟ ଉଚ୍ଚର ବସା ନିର୍ମାଣ କରିଥାନ୍ତି। ଏହି ସମୟରେ ପୁରୁଷ କୁମ୍ଭୀରଟି ବାହ୍ୟ ଶତ୍ରୁ ପ୍ରତି ସଜାଗ ରହିବା ସହ ହ୍ରିଂସ୍ର ହୋଇ ପଡ଼ନ୍ତି। ଏହାକୁ ଆଖିଆଗରେ ରଖି ବନବିଭାଗ ପକ୍ଷରୁ ଗତ ୧ ତାରିଖରୁ ଜୁଲାଇ ୩୧ ଯାଏଁ ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପରିଭ୍ରମଣକୁ ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର