୯ ଫୁଟ ଲମ୍ବ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର

ଆଳି : ଖରସ୍ରୋତା ନଦୀର ଗିରିବନ୍ଧ ନିକଟସ୍ଥ ବଳିତର ଘାଟ ନିକଟରୁ ଆଜି ସକାଳେ ୯ ଫୁଟ ୨ ଇଂଚ ଲମ୍ବର ଏକ ବିଶାଳ ମାଈ ବଉଳା କୁମ୍ଭୀରର ମୃତଶରୀର ଉଦ୍ଧାର କରାଯାଇଛି। ମୃତ କୁମ୍ଭୀର ଆଜି ସକାଳେ ଖରସ୍ରୋତା ନଦୀର ବଳିତର ଘାଟ ନିକଟରେ ଭାସୁଥିବାର ଦେଖି ସ୍ଥାନିୟ ଲୋକମାନେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ମୃତ କୁମ୍ଭୀରକୁ ଆଳିର ଫରେଷ୍ଟ ବିଟ୍ ହାଉସକୁ ଆଣିଥିଲେ। ବିଟହାଉସରେ ପ୍ରାଣୀ ଚିକିତ୍ସକ ଡା.ଅଭିମନ୍ୟୁ ରାଉତ କୁମ୍ଭୀରର ଶବ ବ୍ୟବଚ୍ଛେଦ କରିଥିଲେ। କୁମ୍ଭୀରର ମୃତ୍ୟୁ ସଂପର୍କରେ ସୂଚନା ଦେଇ ଆଳି ବିଟହାଉସର ଫରେଷ୍ଟ ଗାର୍ଡ ଅଭିମନ୍ୟୁ ତରାଇ କହିଛନ୍ତି ଯେ ମୃତ କୁମ୍ଭୀର ଦେହରେ କୌଣସି କ୍ଷତ ଚିହ୍ନ  ନାହିଁ। ମୃତ୍ୟୁର କାରଣ ଜଣାପଡୁ ନାହିଁ। ତେବେ ଏ ସଂପର୍କରେ ଡା,ରାଉତ କହିଛନ୍ତି କୁମ୍ଭୀରକୁ ବିଷ ଦିଆଯାଇ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ଭୁବନେଶ୍ବରସ୍ଥିତ ପ୍ରାଣୀ ଚିକିତ୍ସା କଲେଜର ବନ୍ୟପ୍ରାଣୀ ବିଭାଗକୁ ମୃତ କୁମ୍ଭୀର ଶରୀରରୁ ନମୁନା ପଠାଯାଇଛି।

ସମ୍ବନ୍ଧିତ ଖବର