ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଗଣ୍ଡରେ ପଞ୍ଚମ ଥର ପାଇଁ ମା’ ଘଡ଼ିଆଳ ଅଣ୍ଡାରୁ ଛୁଆ ଫୁଟାଇଛି। ୨୫ଟି ଘଡ଼ିଆଳ ଶାବକ ଏବେ ମହାନଦୀ କୂଳରେ ମା’ ଘଡ଼ିଆଳ ନଜରରେ ଅଛନ୍ତି। ତେବେ ଏହି ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେପଟେ ନନ୍ଦନକାନନରୁ ମଧ୍ୟ ଏକ ବୈଜ୍ଞାନିକ ଟିମ୍‌ ସାତକୋଶିଆରେ ପହଞ୍ଚି ଘଡ଼ିଆଳ ଉପରେ ନଜର ରଖିଛନ୍ତି।

Advertisment

ସୂଚନା ମୁତାବକ, ସାତକୋଶିଆ ମହାନଦୀର ବଳଦମରା ଅଞ୍ଚଳରେ ନନ୍ଦନକାନନରୁ ଆସିଥିବା ମା’ ଘଡ଼ିଆଳ ପଞ୍ଚମ ଥର ଲାଗି ଗତ ମାସରେ ପାଇଁ ଅଣ୍ଡା ଦେଇଥିଲା। ନିକଟରେ ଅଣ୍ଡାରୁ ଛୁଆ ଫୁଟିବା ପରେ ସାତକୋଶିଆ ପାଇଁ ଖୁସି ଖବର ମିଳିଥିଲା। ସେପଟେ ଘଡ଼ିଆଳ ଶାବକଙ୍କ ସୁରକ୍ଷା ନେଇ ସାତକୋଶିଆ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମହାନଦୀ କୂଳରେ ଘଡ଼ିଆଳ ଶାବକଙ୍କ ଉପରେ ନଜର ରଖିବା ଲାଗି ବନ ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଛି। ସେଠାରେ ବନ କର୍ମଚାରୀମାନେ ୨୪ ଘଣ୍ଟା ରହି କୁମ୍ଭୀର ଶାବକଙ୍କୁ ଜଗି ରହିଛନ୍ତି। ସେହିପରି ସିସିଟିଭି କ୍ୟାମେରା ମଧ୍ୟ ସେଠାରେ ଖଞ୍ଜାଯାଇଛି।  ବନ କର୍ମଚାରୀମାନେ ଆଖପାଖ ଅଞ୍ଚଳରେ ଦେଶୀ ଡଙ୍ଗା ନେଇ ପଇଁତରା ମାରୁଛନ୍ତି।

ନିଯୁକ୍ତ ହେଲେ ଘଡ଼ିଆଳ ବନ୍ଧୁ
ଜଗିଛି କ୍ୟାମେରା, ବନ ବିଭାଗ
ନଜର ରଖିଛନ୍ତି ବୈଜ୍ଞାନିକ

ପକ୍ଷୀମାନଙ୍କଠାରୁ ସେମାନଙ୍କୁ ସୁରକ୍ଷା ଦେବାକୁ ମହାନଦୀ କୂଳରେ ପାଳଭୂତ ତିଆରି କରାଯାଇଛି। ସେହିପରି ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ଉପରେ ସମ୍ପର୍ଣ୍ଣ ରୂପେ ରୋକ୍‌ ଲଗାଯାଇଛି। ଅନ୍ୟପକ୍ଷରେ ପ୍ରତିଦିନ ମହାନଦୀର ବିଭିନ୍ନ ସ୍ଥାନରେ ଥିବା ଘଡ଼ିଆଳଙ୍କ ଗଣତି ହେଉଛି ଓ ସେମାନଙ୍କ ହିସାବ ରଖାଯାଉଥିବା ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଘଡ଼ିଆଳ ଶାବକ ଥିବା ସ୍ଥାନର ଚାରିପାର୍ଶ୍ବରେ ତାର ଜାଲି ଲଗାଯାଇ କୁକୁର ସହିତ ଅନ୍ୟ ବନ୍ୟପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବାକୁ ବ୍ୟବସ୍ଥା ହୋଇଛି। 

ଅନ୍ୟପକ୍ଷରେ ନନ୍ଦନକାନନରୁ ମଧ୍ୟ ଏକ ଟିମ୍‌ ସାତକୋଶିଆ ଆସି ଘଡ଼ିଆଳ ଶାବକଙ୍କ ସମ୍ପର୍କରେ ଅନୁଧ୍ୟାନ କରୁଛି। ଏହି ଟିମ୍‌ରେ ‌ବୈଜ୍ଞାନିକମାନେ ରହିଥିବା ବେଳେ ଶାବକଙ୍କ ଗତିବିଧି ଉପରେ ସେମାନେ ରିସର୍ଚ୍ଚ କରୁଛନ୍ତି। ଆଠମଲ୍ଲିକର ବିନିକେୟୀଠାରୁ କଟକର ବାଲିପୁଟ ପର୍ଯ୍ୟନ୍ତ ମହାନଦୀ କୂଳରେ ଥିବା ଗ୍ରାମବାସୀଙ୍କୁ ଘଡ଼ିଆଳ ସମ୍ପର୍କରେ ସଚେତନତା କରାଯାଉଛି। ଘଡ଼ିଆଳର ଗତିବିଧି ଉପରେ ନଜର ରଖିବାକୁ ଓ ବିଭାଗୀୟ କର୍ମଚାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇବାକୁ ‘କୁମ୍ଭୀର ବନ୍ଧୁ’ ନିଯୁକ୍ତ କରାଯାଇଛି। ମହାନଦୀ କୂଳରେ ଥିବା ବିଭିନ୍ନ ଗାଁର ୫ ଜଣ ବ୍ୟକ୍ତିଙ୍କୁ ଏଥିପାଇଁ ଚୟନ କରାଯାଇଛି। ସେମାନଙ୍କୁ ଏଥିଲାଗି ମାସିକ ସମ୍ମାନ ରାଶି ୧ ହଜାର ଟଙ୍କା ଦିଆଯିବାକୁ ସ୍ଥିର ହୋଇଛି।