ଗଣିଆ: ମହାନଦୀରେ ବନ୍ୟାଜଳ ଆସିବା ଫଳରେ ସାତକୋଶିଆ ଗଣ୍ତରୁ କିଛି କୁମ୍ଭୀର ଏବେ ମହାନଦୀ କୂଳ ଓ ଏହାର ଆଖପାଖ ଅଞ୍ଚଳରେ ଆତଯାତ ହେଉଛନ୍ତି। ଶୁକ୍ରବାର ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ବେଲପଡ଼ାପାଟଣା ପଞ୍ଚାୟତ ୱାଲିପୁର ଓ ରାଉତପଡ଼ା ଗ୍ରାମର ବଳକଳଠାରେ ଏକ କୁମ୍ଭୀର ଦେଖିବାକୁ ମିଳିଥିଲା। କୁମ୍ଭୀର ଦେଖିବା ପାଇଁ ସେଠାରେ ଶହଶହ ଲୋକ ଭିଡ଼ ଜମାଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି। ସୂଚନାଯୋଗ୍ୟ, ଗାଁ ପାଖ ମହାନଦୀ କୂଳରୁ କୁମ୍ଭୀରଟିକୁ ଦେଖିବା ପରେ ଗ୍ରାମବାସୀ ଆଉ ନଦୀକୁ ଯାଉନାହାନ୍ତି। ଗ୍ରାମବାସୀ ପ୍ରତ୍ୟେକ କାମରେ ନଦୀଜଳ ଉପରେ ନିର୍ଭରଶୀଳ ଥିବା ବେଳେ କୁମ୍ଭୀର ଭୟରେ ସେମାନଙ୍କ ଆଖିରୁ ଏବେ ନିଦ ହଜିଯାଇଛି। ମହାନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିବା ମାଛଧରାଳି ମଧ୍ୟ ଭୟରେ ନଦୀକୁ ଯାଉନାହାନ୍ତି। ଏପରି ବିପଦପୂର୍ଣ୍ଣ ସମୟରେ ଗ୍ରାମବାସୀଙ୍କ ପାଇଁ କିଛି ସ୍ଥାୟୀ ସମାଧାନ ବାହାରି ପାରିନାହିଁ। ଏ ସମ୍ପର୍କରେ ଜାଣିବା ପରେ ବନବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯିବା ସହିତ ମହାନଦୀ ଭିତରକୁ ନ ଯିବାପାଇଁ ବାରଣ କରାଯାଇଛି।