ବାଲେଶ୍ୱର: ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌କୁ ତାଡ଼ି ଦୁର୍ବୃତ୍ତମାନେ ୧୮ ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଶନିବାର ରାତି ୨ଟାରୁ ୩ଟା ମଧ୍ୟରେ ଏହି ଘଟଣା ଘଟିଥିବା​ ବେଳେ ଗ୍ୟାସ୍‌ କଟରରେ ଏଟିଏମ୍‌କୁ ସମ୍ପୂର୍ଣ୍ଣ କାଟି ଦେଇଛନ୍ତି ଲୁଟେରା। ଆଜି ସକାଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ରେମୁଣା ପୁଲିସ ଘଟଣାସ୍ଥଳକୁ ଆସି ଛାନଭିନ୍ କରିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ୩ ଜଣ ଜଣ ଯୁବକ ଭୋର୍‌ ପ୍ରାୟ ସାଢ଼େ ୩ଟାରେ ମନ୍ଦିର ନିକଟକୁ ଆସିଥିଲେ। ମନ୍ଦିର କେତେବେଳେ ଖୋଲୁଛି ବୋଲି ମନ୍ଦିରର ଜଣେ କର୍ମଚାରୀଙ୍କୁ ପଚାରିଥିଲେ। ଭୋର୍‌ ୪ଟାରେ ମନ୍ଦିର ଖୋଲୁଛି ଜାଣିବା ପରେ ସେଠାରୁ ଚାଲିଯାଇଥିଲେ। ଯୁବକମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ। ଗତକାଲି ଏଟିଏମ୍‌ରେ ୧୮ ଲକ୍ଷରୁ ଅଧିକ ଟଙ୍କା ଭର୍ତ୍ତି କରାଯାଇଥିଲା। ପ୍ରାୟ ୧୮ ଲକ୍ଷ ୩୫ ହଜାର ଟଙ୍କା ଲୁଟ୍ ହୋଇଥିବା ଶୁଣିବାକୁ ମିଳୁଛି। ତେବେ ଆଜି ରବିବାର ଥିବାରୁ ପ୍ରକୃତରେ କେତେ ଟଙ୍କା ଲୁଟ୍‌ ହୋଇଛି, ସେ ସଂପର୍କରେ ବ୍ୟାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସବୁଠୁ ବଡ଼କଥା ହେଲା, ରେମୁଣା ମନ୍ଦିର ଫାଣ୍ଡିଠାରୁ ମାତ୍ର ୩୦ ମିଟର ଦୂରରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଅଳ୍ପ ସମୟ ମଧ୍ୟରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେବା ଓ ଫାଣ୍ଡି ପୁଲିସ ଏ ବାବଦରେ କିଛି ଜାଣି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ରେମୁଣା ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ଓଡ଼ିଶା ତଥା ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ କୁହାଯାଇଥାଏ। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ହେଲେ ଢିଲା ସୁରକ୍ଷା କାରଣରୁ ତୀର୍ଥଯାତ୍ରୀଠାରୁ ଟଙ୍କା, ସୁନା, ମନିପର୍ସ, ମୋବାଇଲ୍‌ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଏଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ। ଫାଣ୍ଡିଟି ଥାଇ ନଥିଲା ପରି। ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ମନ୍ଦିର ତଥା ଆଖପାଖରେ ଲଗାଯାଇଥିବା ସମସ୍ତ ସିସିଟିଭି କ୍ୟାମେରାଗୁଡ଼ିକ ଦୀର୍ଘଦିନରୁ ଅଚଳାବସ୍ଥାରେ ରହିଛି। କହିବାକୁ ଗଲେ ବାଲେଶ୍ବର ଜିଲ୍ଲାର ଏହି ପ୍ରସିଦ୍ଧ ତୀର୍ଥକ୍ଷେତ୍ରକୁ ଯେତିକି ସୁରକ୍ଷା ବ୍ୟବସ୍ଥା କରିବା କଥା, ତାହା ଏଯାଏ ହୋଇନାହିଁ। ଫଳରେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଟିଏମ୍‌ କାଟି ଏତେ ପରିମାଣର ଟଙ୍କା ଲୁଟି ନେବାକୁ ତିଳେମାତ୍ର ଭୟ କରିନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।