ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆସନ୍ତା ମେ’ ୧୫ ତାରିଖରୁ ରବି ଧାନ କିଣା ଆରମ୍ଭ ହେବ। ମଙ୍ଗଳବାର ଅନୁଷ୍ଠିତ ଡିଏଲ୍‌ପିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ହେବାକୁ ଥିବା ରବି ଧାନ କିଣାରେ ୩୦ଟି ପ୍ୟାକ୍ସ ସହ ୧୦ଟି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ, ୬୨ ପିପିସି ଏବଂ ୪୬ ମିଲର୍‌ ସାମିଲ ହେବେ। ୨୦୨୧-୨୨ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ କ୍ବିଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ବେଳେ ଗ୍ରେଡ୍‌-ଏ ଧାନ ପାଇଁ ୧୯୬୦ ଟଙ୍କା ଥିଲା। ୨୦୨୨-୨୩ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ କ୍ବିଣ୍ଟାଲ ପ୍ରତି ୨୦୪୦ ଟଙ୍କା ଏବଂ ଗ୍ରେଡ୍‌-ଏ ଧାନ ୨୦୬୦ ଟଙ୍କା ରହିଛି।

Advertisment

୨୦୨୧-୨୨ ରବି ଋତୁ ପାଇଁ ୧୪୭୫୯ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୨୦୨୨-୨୩ ରବି ପାଇଁ ୧୫୪୪୪ ଜଣ ପଞ୍ଜୀକରଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ସକାଳ ୬ଟା ରୁ ଦିନ ୧୦ଟା ମଧ୍ୟରେ ଧାନ ସଂଗ୍ରହ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିରେ ସେଡ୍‌ ଓ ପାନୀୟ ଜଳର ବ୍ୟବସ୍ଥା ରହିବ। ଟୋକେନ ଜେନେରେଟ୍‌ ପରେ ଅବଧୀ ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ପଞ୍ଜୀକୃତ ଚାଷୀଙ୍କର ଧାନ କିଣାରେ ଯଦି କୌଣସି ଅସୁବିଧା ଉପୁଜେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହାଯାଇଥିଲା। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅନନ୍ୟା ଦାସ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମଦିନୀ ନାୟକ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, କୁଚିଣ୍ଡା ଉପଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ସମ୍ବଲପୁର ବିଧାୟକ ଚନ୍ଦ୍ରଶେଖର ପଣ୍ଡା, ରେଢ଼ାଖୋଲ ବିଧାୟକଙ୍କ ପ୍ରତିନିଧି ଗୋପୀରଞ୍ଜନ ବେହେରା, ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ରମେଶ ହାଁସଦା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କ ସମେତ ଚାଷୀ, ମିଲର୍ସ ପ୍ରତିନିଧି ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।