ଟାଙ୍ଗୀରେ ବଢୁଛି ବାର୍‌ହା ଉପଦ୍ରବ : ଫସଲର ସୁରକ୍ଷା ପାଇଁ ଘର ଛାଡ଼ି ବିଲରେ ଚାଷୀ ପରିବାର

ନାଚୁଣୀ : ଟାଙ୍ଗୀ ବନାଞ୍ଚଳ ଅଧୀନ କୟଥପଲ୍ଲା ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଚିଲିକା ବ୍ଲକ୍‌ ଅନ୍ତର୍ଗତ ବିରିବାଡ଼ି ପଞ୍ଚାୟତ ସମେତ କଲଥପଲ୍ଲା, ହରିପୁର ପଞ୍ଚାୟତର ବେଗୁନିଆ, ହରିପୁରଶାସନରେ ବାର୍‌ହାଙ୍କ ଉତ୍ପାତ ବଢ଼ିଛି। ଅଧିବାସୀଙ୍କର ଅମଳ ହେବା ଧାନ ଫସଲ ଧାନବିଲରେ ବାର୍‌ହାପଲ ଖାଇବା ସହ କ୍ଷେତ ଉଜାଡ଼ିବାରେ ଲାଗିଛନ୍ତି।

ଏହି ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ଏବେ ବାର୍‌ହା ବଂଶ ବୃଦ୍ଧି ପାଇଛି। ଖାଦ୍ୟାଭାବରୁ ବାର୍‌ହା ପଲ ଧାନବିଲକୁ ଖେଦିଯାଇ ଅମଳ ଧାନ ଖାଇ ବିଲକୁ ଖୋଳି ଧ୍ବଂସ କରି ପକାଉଛନ୍ତି। ଫଳରେ ଚାଷୀଙ୍କ ଭାତହାଣ୍ଡି ଉପରେ ଚଡକ ପଡ଼ିବାରେ ଲାଗିଛି। ସାରା ବର୍ଷ ପାଇଁ ହେବାକୁ ଥିବା ଅମଳ ବାର୍‌ହା ଉପଦ୍ରବ ଯୋଗୁଁ ପ୍ରଭାବିତ ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ବନ ବିଭାଗ ବାର୍‌ହାଙ୍କ ଗତିବିଧିକୁ ନିୟନ୍ତ୍ରଣ କରି ପାରି ନାହିଁ। ଶେଷରେ ଗ୍ରାମବାସୀ ବିଲରେ ଭାଡ଼ି କରି ଜଗୁଥିବା ଦେଖାଯାଇଛି। ଆବଶ୍ୟକ ପଦକ୍ଷେପ ନେବାକୁ ଟାଙ୍ଗୀ ରେଞ୍ଜ ଓ ନାଚୁଣୀ ଫରେଷ୍ଟ ବିଟ୍‌ରେ କୃଷକମାନେ ଜଣାଇଛନ୍ତି। ନାଚୁଣୀ ପଞ୍ଚାୟତର କହ୍ନେଇପୁର ମୌଜାର ଚାଷୀମାନଙ୍କ ଧାନ ଫସଲକୁ ପାଖ ଜଗତି ପାହାଡ଼ ମୁଣ୍ଡିଆରୁ ବାର୍‌ହା ଖାଇ ନଷ୍ଟ କରି ଦେଇଥିବା ଚାଷୀମାନେ ଅଭିଯୋଗ କରିଥିବାବେଳେ ମୋରାମୋରି ପଞ୍ଚାୟତ ଅଧୀନ ସଲପଡିହ ଗ୍ରାମ ଚାଷୀମାନଙ୍କ ପାଇଁ ମଧ୍ୟ ସମାନ ଅବସ୍ଥା। ନିକଟସ୍ଥ ଶୁଳିଆ ଜଂଗଲରୁ ବାର୍‌ହା ପଲ ମାଡିଆସି ବ୍ୟପକ ଫସଲ ଖାଇ ନଷ୍ଟଭ୍ରଷ୍ଟ କରୁଥିବା ଖବର ମିଳିଛି। ଏଣୁ ସବୁ ସ୍ଥାନରେ ସଂପୃକ୍ତ ଅଂଚଳର ଚାଷୀମାନେ ଗତ ମାସେରୁ ଅଧିକ ହେଲା ଫସଲ ଜଗୁଥିବା ଜଣା ପଡ଼ିଛି। କାକର ଭିଜା ଶୀତ ରାତିରେ ଘର ଛାଡ଼ି ଚାଷୀ ପରିବାର ପାଳି କରି ଏବେ ଧାନ ବିଲରେ ଭାଡ଼ିକରି ଫସଲ ଜଗି ରହୁଛନ୍ତି।

ଜୀବନକୁ ପାଣି ଛଡେଇ ଚାଷୀ ନିଆଁ ହୁଳା ଧରି ଟିଣ ବାଡେଇ ବାର୍‌ହା ପଲଙ୍କୁ ତଡି ଅମଳ ଫସଲକୁ ସୁରକ୍ଷା ଦେଉଛନ୍ତି। ଦରପାଚିଲା ଧାନକୁ ମଧ୍ୟ ଅନେକ ଚାଷୀ ବିଲରୁ କାଟି ନେଉଥିବା ଦେଖାଯାଉଛି। କେବଳ ରାତି ନୁହେଁ, ଦିନ ସାରା ମଧ୍ୟ ବାର୍‌ହାଙ୍କ ଉପଦ୍ରବ ଲାଗି ରହୁଥିବାରୁ ବାର୍‌ହା ଓ ଚାଷୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହୁଛି। ଜଂଗଲ ଆଇନ ଓ ବନ୍ୟଜନ୍ତୁ ଶିକାର ଆଇନ ଭୟ ଥିବାରୁ କେହି ବାର୍‌ହାଙ୍କୁ ମାରି ପାରୁନାହାନ୍ତି। ତେବେ ବନ ବିଭାଗ ଅମଳ ହେବାକୁ ଥିବା କ୍ଷେତରୁ ବାରାହା ପଲଙ୍କୁ ଘଉଡ଼ାଇବା ସହ ଚାଷୀଙ୍କୁ ଆବଶ୍ୟକ ସହାୟତା ଦେବାକୁ ଅଂଚଳର ଚାଷୀ ମାନେ ବାରମ୍ବାର ଦାବି କରି ଆସୁଛନ୍ତି।

ସମ୍ବନ୍ଧିତ ଖବର