ଅଣ୍ଟା ସଳଖିବାକୁ ବଳ ପାଉନି : ଏଯାଏ ହୋଇନି କ୍ଷୟକ୍ଷତିର ସର୍ଭେ, ଚାଷ ଜମିରେ ଗଡ଼ୁଛି ଟ୍ରାନ୍ସଫର୍ମର, ପିଇବା ପାଣି ପାଇଁ କୂଅ ଭରସା

ଭୁବନେଶ୍ବର, (କେଶବ ପାଣି): ଆଜ୍ଞା, ଆମେ ଭାଗଚାଷୀ। ମାଲିକଙ୍କଠାରୁ ଜମି ନେଇ ଧାନ କରିଥିଲୁ। ମହାପ୍ରଭୁଙ୍କ କୃପାରୁ ଏସନ ଭଲ ଧାନ ହୋଇଥିଲା। ଦିନ କେଇଟା ପରେ ଅମଳ ହୋଇଥାନ୍ତା। ହେଲେ ଏ ନିଆଁଲଗା ବାତ୍ୟା ପିଲା ଛୁଆଙ୍କର ବର୍ଷକର ଦାନା ଉଜାଡ଼ି ଦେଲା। ଏବେ ଜମିରୁ ପାଣି ଛାଡ଼ିବା ପରେ ଧାନ ଅମଳ କରିବାକୁ ଆସିଛୁ। ହେଲେ ଧାନ ଗଛରୁ ଧାନ କମ୍‌, ଅଗାଡ଼ି ବେଶି ବାହରୁଛି। ତା’ ପରେ ବି ମାଲିକ ଆସି ପଚାରୁଛନ୍ତି କେତେ ଧାନ ଅମଳ ହେଲା? କି ଉତ୍ତର ଦେବୁ। ଜମିରୁ କେତେ ଏମିତି ଅମଳ ହୋଇଛି ଯେ, ମୁଁ ରଖିବି ଆଉ ମାଲିକଙ୍କୁ ଦେବି। ବାତ୍ୟା ‘ଫନି’ର ମାସକ ପରେ ଏ ହେଉଛି ଡେଲାଙ୍ଗ ବ୍ଲକ ଖେଲାଉରି ଗ୍ରାମର ଭାଗଚାଷୀ ସୁଶାନ୍ତ ବେହେରାଙ୍କର ପ୍ରତିକ୍ରିୟା। କେବଳ ସୁଶାନ୍ତ ନୁହଁନ୍ତି, ତାଙ୍କ ଭଳି ବ୍ଲକର ଅନ୍ୟ ଚାଷୀଙ୍କର ବି ସମଦଶା। ମାସକ ପରେ ବି ବାତ୍ୟା ପୀଡ଼ିତଙ୍କର ଅଣ୍ଟା ସଳଖି ଛିଡ଼ା ହେବାକୁ ବଳ ପାଉନି। ବାତ୍ୟା ପୂର୍ବରୁ ଯେଉଁମାନେ ଧାନ ଅମଳ କରିଥିଲେ ସେମାନେ ବର୍ତ୍ତି ଯାଇଛନ୍ତି। ଆଉ ଯେଉଁମାନେ ଧାନ ଅମଳ କରିପାରି ନଥିଲେ ସେମାନଙ୍କ ଅବସ୍ଥା ନ କହିବା ଭଲ। ବାତ୍ୟା ସମୟରେ କାହାର ଧାନ ଗଛ ଜମିରେ ଲୋଟିପଡ଼ିଥିଲା ତ ଆଉ କାହାର ଖଳାରେ। ଏବେ ଧାନ ଗଜା ହୋଇଗଲାଣି। ଯେଉଁ ଧାନ ଜମିରେ ରହିଯାଇଥିଲା ଚାଷୀମାନେ ଏବେ ଅମଳ କରୁଛନ୍ତି।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଏବେ ବି ଲୋକେ ନିଜ ଭଙ୍ଗାଘରକୁ ସଳଖି ଛିଡ଼ା କରିପାରିନାହାନ୍ତି। ଖୋଲା ଆକାଶ ତଳେ ଦିନରାତି କାଟୁଛନ୍ତି। ଖେଲାଉର ସମେତ ତରାବୋଇ, ପୋଷଳ, ଜେନାପୁର, ଶ୍ରୀପୁରୁଷୋତ୍ତମପୁର ପ୍ରଭୃତି ଗ୍ରାମରେ ସମାନ ଚିତ୍ର ଦେଖିବାକୁ ମିଳିଛି। ଏବେ ବି କେତେକ ସ୍ଥାନରେ ଲୋକେ ରିଲିଫ୍‌ ଅପେକ୍ଷାରେ ରହିଛନ୍ତି। ବାତ୍ୟାର ଏକ ମାସ ପରେ ବି ଏଯାଏ କିଛି ଗ୍ରାମରେ ସର୍ଭେ ହୋଇ ନାହିଁ। କାହାର କେତେ ଘର ଭାଙ୍ଗିଛି, କାହାର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଛି, କାହାର ଅଧା ଭାଙ୍ଗିଛି, ମାଟି ଘର କି ଚାଳ ଘର, କିଏ ରିଲିଫ୍‌ ପାଇଛନ୍ତି କି ନାହିଁ, ଏକଥା ଜାଣିବାକୁ ଏଯାଏଁ ଗାଁରେ ଅଧିକାରୀମାନେ ପହଞ୍ଚିନାହାନ୍ତି। ଯଦିଓ କିଛି ଲୋକଙ୍କର କ୍ଷମତା ଅଛି ତେବେ ବି ଲୋକେ ଘର ସଜାଡ଼ୁ ନାହାନ୍ତି। ଯଦି ଘର ସଜାଡ଼ି ଦିଅନ୍ତି ତେବେ ସର୍ଭେ ବେଳକୁ ଅଧିକାରୀମାନେ ଭିନ୍ନ ଚିତ୍ର ଦେଖିବେ। ରିପୋର୍ଟ ବି ଭୁଲ୍‌ ଦେବେ। ତେଣୁ ସର୍ଭେକୁ ଅପେକ୍ଷା କରି ରହିଛନ୍ତି। ଆଉ ଯେଉଁମାନଙ୍କର ରହିବାକୁ ଘର ନାହିଁ ସେମାନେ ଘରଗୁଡ଼ିକୁ ପୁଣିଥରେ ସଳଖିବାକୁ ଅଣ୍ଟା ଭିଡ଼ିଛନ୍ତି। ସପରିବାର ଦିନ ରାତି କାମରେ ଲାଗିପଡ଼ିଛନ୍ତି।

ପାନୀୟ ଜଳ ଆଉ ଏକ ବୃହତ୍‌ ସମସ୍ୟା ଭାବେ ଛିଡ଼ା ହୋଇଛି। ବାତ୍ୟାର ମାସେ ପରେ ବି ପାଇପ୍‌ ଯୋଗେ ପାନୀୟ ଜଳ ପହଞ୍ଚିନି। ଲୋକେ କୂଅ, ପୋଖରୀ ଓ ନଳକୂପ ପାଣି ଉପରେ ନିର୍ଭର କରୁଛନ୍ତି। ପୋଖରୀ ଭିତରେ ଗଛ ଭାଙ୍ଗି ପଡ଼ିବା ଯୋଗୁଁ ଅନେକ ସ୍ଥାନରେ ପାଣି ନଷ୍ଟ ହୋଇଛି। ଲୋକେ ତାହାକୁ ନିତିଦିନିଆ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଗାଈଗୋରୁ ବି ସେହି ପାଣି ପିଉଛନ୍ତି। ରୋଷେଇ ପାଇଁ ମହିଳାମାନେ କୂଆ ପାଣି ଉପରେ ନିର୍ଭର କରୁଛନ୍ତି।

ବିଜୁଳି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଗାଁରେ ପହଞ୍ଚିପାରିନି କି କେବେ ପହଞ୍ଚିବ ତାହାର ବି ଉତ୍ତର ମିଳୁନି। ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ ଗାଁକୁ ବିଜୁଳି ପହଞ୍ଚିବା ଭଳି ସ୍ଥିତି ନାହିଁ। ଏବେ ସୁଦ୍ଧା ଗାଁ ରାସ୍ତାରୁ ବିଜୁଳି ତାର ଉଠିନାହିଁ। ରାସ୍ତା ଉପରେ ତାର ସେମିତି ଓହଳି ରହିଛି। ବାତ୍ୟା ପରଦିନ ବିଦ୍ୟୁତ୍‌ ଖୁଣ୍ଟ ଯେମିତି ପଡ଼ିଥିଲା ମାସକ ପରେ ବି ସେମିତି ରହିଛି। ବିଲ ମଝିରେ ଟ୍ରାନ୍ସର୍ଫମର ଗଡ଼ୁଛି। ପ୍ରଶାସନର କାର୍ଯ୍ୟକଳାପକୁ ଦେଖି ଲୋକେ ବି ବିଜୁଳି କଥା ପ‌ସୋରି ଦେଲେଣି।

ଏନେଇ ପଚାରିବାରୁ ସେମାନଙ୍କ ଭିତରେ ଅଭିମାନ ଭରା ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେମାନେ କହିଥିଲେ ଲାଇନ୍‌ ଯେବେ ଆସିବ ଆସୁ। ଖାଇବାକୁ ତ ଚାଉଳ ନାହିଁ। ଶୋଇବାକୁ ଘର ଖଣ୍ତେ ନାହିଁ। ପିଇବାକୁ ପାଣି ମିଳୁନି। ବାତ୍ୟା ସବୁ ନେଇଗଲା। ବିଜୁଳି ଆସିଲେ କ’ଣ ହେବ? ବାବୁମାନେ ଏସିରେ ରୁହନ୍ତୁ। ଭଲରେ ଥାଆନ୍ତୁ। ଆମର ଯାଏ କେତେ ଆସେ କେତେ? ନିର୍ବାଚନ ବେଳେ ସିନା ଭୋଟ ମାଗିବାକୁ ନେତା ଆସୁଥିଲେ। ଏବେ ତ ଆଉ ଭୋଟ ନାହିଁ, ଆମକୁ ପଚାରେ କିଏ?

ସମ୍ବନ୍ଧିତ ଖବର