ସରକାର-ବୀମା କଂପାନି ଭିଡାଓଟରା ଚାଲିଛି

Advertisment

ଭୁବନେଶ୍ୱର : ଫସଲ ବୀମା ପ୍ରାପ୍ୟ ନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଲେଣି। ହେଲେ ବୀମା କଂପାନି ପ୍ରାପ୍ୟ ଦେବେ କଣ, ରାଜ୍ୟ ସରକାରଙ୍କ କ୍ଷୟକ୍ଷତି ଆକଳନ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ କରିଛନ୍ତି, କ୍ଷତି ଠାରୁ ଅଧିକ କ୍ଷତିପୂରଣ ସୁପାରିସ ହୋଇଛି। କେବଳ ସେତିକି ନୁହେଁ, ୧୦୦% ଫଟୋ ଉତ୍ତୋଳନ ନ ହେବା ନେଇ ମଧ୍ୟ ପ୍ରଶ୍ନ ଉଠାଇଲେଣି। ଫଳରେ ଚାଷୀଙ୍କୁ ଯେ ନିକଟ ଭବିଷ୍ୟତରେ ସେମାନଙ୍କର କ୍ଷତିପୂରଣ ରାଶି ମିଳିବ ନାହିଁ, ଏକଥା ଜଳ ଜଳ ହୋଇ ଦିଶୁଛି। ଗୋଟିଏ ପଟେ ଚାଷୀ ଆର୍ଥିକ ଦୁର୍ଦଶା ଭିତରେ ହନ୍ତସନ୍ତ ହେଉଥିବା ବେଳେ ବୀମା ରାଶି ପ୍ରଦାନରେ ବିଳମ୍ବ ସେମାନଙ୍କ ସମସ୍ୟାକୁ ବହୁଗୁଣିତ କରିବାକୁ ବସିଛି।

ଉଲ୍ଲେଖଯୋଗ୍ୟ, ନିୟମ ଅନୁଯାୟୀ ଖରିଫ ଧାନ ଫସଲ କ୍ଷୟକ୍ଷତି ନେଇ ମିଳିତ ଫସଲକଟା ପରୀକ୍ଷଣ (ସିସିଇ) ବା ଆକଳନ କରାଯାଇଛି। ଗତ ଫେବ୍ରୁଆରି ୧୫ ତାରିଖରେ ସମବାୟ ବିଭାଗ ବୀମା କମ୍ପାନିମାନଙ୍କୁ ସବୁ ଜିଲ୍ଲାରୁ ଆଣି ଫସଲକଟା ଆକଳନ ରିପୋର୍ଟ ହସ୍ତାନ୍ତର କରିଥିଲେ। ଆଶା କରାଯାଉଥିଲା, ଗତ ବର୍ଷ ଭଳି ଚାଷୀଙ୍କୁ କ୍ଷତିପୂରଣ ଦେବାରେ ଅହେତୁକ ବିଳମ୍ବ ହେବନାହିଁ। ମାସକ ଭିତରେ ବୀମା କମ୍ପାନିମାନେ ଯାଞ୍ଚ କାର୍ଯ୍ୟ ସାରି ଏପ୍ରିଲ ମାସ ପ୍ରଥମ ସପ୍ତାହରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବେ। ମରୁଡ଼ି, ବିଭିନ୍ନ ରୋଗପୋକ ଏବଂ ଶେଷରେ ଅଦିନିଆ ବର୍ଷା ମାଡ଼ରେ ଯେଉଁ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି, ସେମାନେ କ୍ଷତିପୂରଣ ପାଇବେ।

ହେଲେ ବୀମା କମ୍ପାନିମାନେ କ୍ଷତିପୂରଣ ଯାଞ୍ଚ କାର୍ଯ୍ୟ ତ୍ୱରାନ୍ଵିତ କରିବା ବଦଳରେ ସେମାନଙ୍କର ପୁରୁଣା ଖେଳ ଖେଳିବା ଆରମ୍ଭ କରିଥିବା ନେଇ ଚାଷୀ ଅସନ୍ତୋଷ ପ୍ରକାଶ କଲେଣି। ରାଜ୍ୟ ସରକାରଙ୍କ ଆକଳନ ଉପରେ ସେମାନେ ଆପତ୍ତି ଉଠାଇଛନ୍ତି। ଫଳରେ କେତେ ସଂଖ୍ୟକ ଚାଷୀ କେତେ ପରିମାଣର କ୍ଷତିପୂରଣ ପାଇବେ ତାର ରୂପରେଖ ଏଯାଏ ନିରୂପିତ ହୋଇପାରିନାହିଁ।

୨୦୧୭ ଖରିଫ ଧାନ ଚାଷ ନିମନ୍ତେ ପ୍ରାୟ ୧.୩୦ ଲକ୍ଷ ଅଣଋଣୀଙ୍କ ସମେତ ପ୍ରାୟ ୧୮.୪୨ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ସେମାନେ ବୀମା ପ୍ରିମିୟମ୍‌ ବାବଦରେ ୧୪୪.୨୪ କୋଟି ଜମା କରିଛନ୍ତି। ଚାଷୀଙ୍କ ପ୍ରିମିୟମ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ଅଂଶଧନ(୫୦:୫୦ ଅନୁପାତ) ମିଶାଇ ମୋଟ ଜମା ରାଶି ହେଉଛି ପ୍ରାୟ ୮୩୯.୬୮ କୋଟି। ଏଥର ମରୁଡ଼ି ଯୋଗୁଁ ୩ ଲକ୍ଷ ୨୧ ହଜାର ୪୨୧.୨୪ ହେକ୍ଟର ଜମି, ଚକଡ଼ା ପୋକରେ ୧ ଲକ୍ଷ ୩୮ ହଜାର ୧୬୮.୪୯ ହେକ୍ଟର ଜମି, ଅଦିନିଆ ବର୍ଷାରେ ୪ ଲକ୍ଷ ୪ ହଜାର ୫୧୩.୫୦୧ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି।

ପ୍ରଧାନମନ୍ତ୍ରୀ ଫସଲ ବୀମା ନେଇ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ କୃଷି, ରାଜସ୍ୱ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶାଳୟ କର୍ମଚାରୀ ଏବଂ ବୀମା କମ୍ପାନିଙ୍କ ପ୍ରତିନିଧିମାନେ ମିଳିତ ଭାବେ କ୍ଷେତ୍ରସ୍ତରୀୟ କ୍ଷୟକ୍ଷତି ଆକଳନ କରିଛନ୍ତି। ଫସଲକଟା ପରୀକ୍ଷଣ ଆକଳନ ବେଳେ ସ୍ମାର୍ଟ ମୋବାଇଲ୍‌ ଫୋନ ଜରିଆରେ ଫଟୋ ମଧ୍ୟ ଉତ୍ତୋଳନ କରି ଅପ୍‌ଲୋଡ୍‌ କରାଯାଇଛି। ବୀମାଭୁକ୍ତ ଚାଷୀମାନଙ୍କୁ ଅନ୍ୟୂନ ୧୫୦୦ କୋଟିରୁ ୨ ହଜାର କୋଟି ଟଙ୍କାର ବୀମା କ୍ଷତିପୂରଣ ମିଳିବାର ସମ୍ଭାବନା ରହିଥିବା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ଅନୁମାନ କରି କହିଛନ୍ତି।

ଏପଟେ କିନ୍ତୁ ବୀମା କମ୍ପାନିମାନେ ଫସଲକଟା ଆକଳନ ସଠିକ୍‌ ଭାବେ ହୋଇନଥିବା ଦର୍ଶାଇଛନ୍ତି। ଏକ ଘରୋଇ ବୀମା କମ୍ପାନିର ଜଣେ ପ୍ରତିନିଧି କହିବାନୁସାରେ କ୍ଷୟକ୍ଷତି ପରିମାଣ ପ୍ରକୃତ ପରିମାଣଠାରୁ ଯଥେଷ୍ଟ ଅଧିକ ହୋଇଛି। ଏହାକୁ ଗ୍ରହଣ କରିବା ସମ୍ଭବ ନୁହେଁ। ଫସଲକଟା ଆକଳନ ବେଳେ ୮୩ ପ୍ରତିଶତ ଜମିର ଫଟୋ ଉତ୍ତୋଳନ ହୋଇ ଅପ୍‌ଲୋଡ୍‌ ହୋଇଛି। ଏହା ୧୦୦ ପ୍ରତିଶତ ନ ହେଲେ କ୍ଷତିପୂରଣ ଦେଇ ହେବନାହିଁ।

ଗତ ଖରିଫରେ କିନ୍ତୁ ୧୦୦ ପ୍ରତିଶତ ଫଟୋ ଅପ୍‌ଲୋଡ୍‌ ହୋଇପାରିନଥିଲା। ଏହା ସତ୍ତ୍ୱେ ବୀମା କମ୍ପାନିମାନେ କୌଣସି ଆପତ୍ତି କରିନଥିଲେ। ବରଂ ଫସଲ ବୀମା କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ଛତିଶଗଡ଼ ପରେ ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ହୋଇଥିଲା। ଏବେ କିନ୍ତୁ ବୀମା କଂପାନିଙ୍କ ଏଭଳି ଜିଦ୍‌ ପରେ କିଛି ଜିଲ୍ଲାରେ ପୁନର୍ବାର ପରୀକ୍ଷଣ କାର୍ଯ୍ୟ ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୪ର ହୁଡ୍‌ହୁଡ୍‌ ଭଳି ଭୀଷଣ ବାତ୍ୟା, ୨୦୧୫ରେ ଭୟାବହ ମରୁଡ଼ି ନିମନ୍ତେ ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ଲୋଡ଼ିଥିଲେ। ୨୦୧୫ରେ ଓଡ଼ିଶାକୁ ୮୫୨.୯୫ କୋଟି ମିଳିଥିଲା। କିନ୍ତୁ ୨୦୧୭ ଖରିଫରେ ତିନି ତିନିଟା ପ୍ରାକୃତିକ ବିପର୍ଯ୍ୟୟ ହେବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କଠାରୁ ସହାୟତା ଲୋଡ଼ିନାହାନ୍ତି ରାଜ୍ୟ ସରକାର। ଏଣୁ, ଫସଲବୀମା ବାବଦରେ ଯଦି ସଠିକ୍‌ ରାଶିର କ୍ଷତିପୂରଣ ଏବଂ ଠିକଣା ସମୟରେ ନ ମିଳେ, ଚାଷୀମାନଙ୍କ ପାଇଁ ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।