କୋରାପୁଟ: ଚାଷୀଙ୍କ କବଚ ଭାବେ ପରିଚିତ ପ୍ରଧାନମନ୍ତ୍ରୀ ପସଲ ବୀମା ଯୋଜନା। ଋଣୀ ଚାଷୀମାନେ ସ୍ବତଃ ପଂଜୀକୃତ ହୋଇଥାନ୍ତି। ତେବେ ଅଣ ଋଣୀଚାଷୀମାନେ ପଂଜୀକୃତ ପାଇଁ ଜନସେବା କେନ୍ଦ୍ର, ବ୍ୟାଙ୍କ, ପ୍ରାଥମିକ କୃଷି ଋଣ ସମବାୟ ସମିତି ଓ ବୀମା କମ୍ପାନୀ କାର୍ଯ୍ୟାଳୟରେ କିମ୍ବା ବୀମା କମ୍ପାନୀର ଅଧିକୃତ ଏଜେଣ୍ଟଙ୍କ ନିକଟରେ ପଂଜୀକରଣ କରି ପାରିବେ। ୨ହେକ୍ଟର ଜମି ପର୍ଯ୍ୟନ୍ତ ପ୍ଲଟ ପିଛା ଏକ ଟଙ୍କା ମାତ୍ର ଜମା କରିବାକୁ ପଡ଼ିବ। ବଳକା ବୀମା ଦେୟ ରାଜ୍ୟ ଓ କେନ୍ଦ୍ର ସରକାର ଦେବେ। ତେବେ ଚାଷୀଙ୍କ ଜମିରେ ଚକଡ଼ା ପୋକ ଲାଗି କ୍ଷତି ହେବା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ଦୈବିଦୁର୍ବିପାକରେ ପସଲ ନଷ୍ଟ ହେଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ପସଲ ବୀମା ଯୋଜନାରୁ ବୀମା ଟଙ୍କା ମିଳୁ ନଥିବାରୁ ଜିଲ୍ଲାର ଚାଷୀ ମାନେ ଏହି ବୀମା କରିବାରୁ ମୁହଁ ଫେରାଇଛନ୍ତି। ଚଳିତ ଖରିଫ ଋତୁରେ ଜିଲ୍ଲାର ୧୪ଟି ବ୍ଲକରେ ୧ଲକ୍ଷ ୬୬ହଜାର ୭୩୪ଜଣ ବିଭିନ୍ନ ବର୍ଗର ଚାଷୀ ପରିବାର ୨ଲକ୍ଷ ୮୯ହଜାର ୫୫୦ହେକ୍ଟର ଜମିରେ ଚାଷ କରୁଛନ୍ତି। ଯେତିକି ପରିମାଣର ଜମିରେ ଚାଷ କରାଯାଉଛି ତାହାର ମାତ୍ର ୧୪.୪୩% ପ୍ରତିଶତ ଅର୍ଥାତ ୨୦୦୫୭.୭୪ହେକ୍ଟର ଜମିର ବୀମା କରାଯାଇଛି। ଯାହାକି ଚାଷୀ ଓ ଚାଷ କରୁଥିବା ଜମିର ପରିମାଣକୁ ଦେଖାଗଲେ ସମୁଦ୍ରକୁ ଶଙ୍ଖେ।
ସୂଚନାଯୋଗ୍ୟ, ଜିଲ୍ଲାର ୧୪ଟି ବ୍ଲକରେ ୧ଲକ୍ଷ ୬୬ହଜାର ୭୩୪ଜଣ ବିଭିନ୍ନ ବର୍ଗର ଚାଷୀ ପରିବାର ବସ ବାସ କରୁଛନ୍ତି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ୧୦ହେକ୍ଟରରୁ ଅଧିକା ଜମି ୪୯୪(୦.୨୯%) ଜଣ ବଡ ଚାଷୀ ରହିଛନ୍ତି। ସେପରି ୪ହେକ୍ଟରରୁ ୧୦ହେକ୍ଟର ମଧ୍ୟରେ ୪ହଜାର୫୯୬(୨.୭୫%)ଜଣ ମଧ୍ୟମ ଚାଷୀ, ୨ରୁ ୪ହେକ୍ଟର ମଧ୍ୟରେ ୨୨ହଜାର ୮୩୦(୧୩.୭%) ଜଣ ସେମି-ମଧ୍ୟମ ଚାଷୀ, ଏକ ହେକ୍ଟରୁ ୨ହେକ୍ଟର ମଧ୍ୟରେ ୫୩ହଜାର ୭୪୩(୩୨.୨%) ଜଣ କ୍ଷୁଦ୍ର ଚାଷୀ, ଏକ ହେକ୍ଟର ମଧ୍ୟରେ ୮୫ହଜାର ୦୭୧ଜଣ (୫୧ପ୍ରତିଶତ) ଚାଷୀ ପରିବାର ଏଭଳି ସର୍ବମୋଟ ୧ଲକ୍ଷ ୬୬ହଜାର ୭୩୪ଜଣ ଚାଷୀ ୨ଲକ୍ଷ ୮୯ହଜାର ୫୫୦ହେକ୍ଟର ଜମିରେ ଚାଷ କରୁଛନ୍ତି। ଖରିଫ ଋତୁରେ ଏହି ବୀମା ଧାନ, ହରଡ଼, ମକା, ଚିନାବାଦାମ, କପା, ମାଣ୍ଡିଆ, ଅଦା ଏବଂ ହଳଦୀ ଚାଷୀ ମାନେ ପଂଜୀକରଣ କରିପାରିବେ। ଏମାନଙ୍କ ମଧ୍ୟରୁ ବିଭିନ୍ନ ବ୍ୟାଙ୍କ, ସମବାୟ ସଂସ୍ଥା, ଲ୍ୟାମ୍ପ ଆଦିରୁ ଋଣ ନେଇଥିବା ୨୧୧୫୯ଜଣ ଓ ଋଣ ନେଇ ନଥିବା ୪୨୨୬୬ଜଣ ଏଭଳି ୬୩ହଜାର ୪୨୫ ଜଣ ଚାଷୀ ୨୦୦୫୭.୭୪ହେକ୍ଟର ଜମି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଛନ୍ତି। ଏଥିରେ ୫୦ହଜାର ୯୦୫ଜଣ ପୁରୁଷ ଓ ୧୨୬୧୭ଜଣମହିଳା ଓ ୯ଜଣ ଅନ୍ୟ ଲିଙ୍ଗର ଚାଷୀ ବୀମା କରିଛନ୍ତି। ଏମାନଙ୍କ ମଧ୍ୟରୁ ୫୦ହଜାର ୩୩୩ଜଣ କ୍ଷୁଦ୍ର, ୧୪୦୮ଜଣ ନାମକୁ ମାତ୍ର ଓ ୧୧ହଜାର ୭୯୦ଜଣ ମଧ୍ୟମ ଚାଷୀ ପଂଜୀକରଣ କରିଥିବା ସୂଚନା ମିଳିଛି।।
ଜିଲ୍ଲାରେ ଖରିଫ ଋତୁରେ ଧାନ,ମକା, ଚିନାବାଦାମ, ମାଣ୍ଡିଆ, ଅଦା ଏବଂ ହଳଦୀ ଚାଷ ଚାଷୀମାନେ କରୁଛନ୍ତି। ତେବେ ବଳକା ଚାଷୀମାନେ ଏହି ଯୋଜନାରେ ସାମିଲ ହେବାରୁ କାହିଁକି ମୁହଁ ଫେରାଉଛନ୍ତି ତାହାର ସଠିକ ଭାବେ ଯାଂଚ କରି ଏଭଳି ଭଲ ଯୋଜନାରେ ଅଧିକାରୁ ଅଧିକ ଚାଷୀ ଯେଭଳି ସାମିଲ ହୋଇ ପାରିବେ ସେ ଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।