୨୪ ପର୍ଯ୍ୟନ୍ତ ଘୁଞ୍ଚଲା ଫସଲ ବୀମା ପଞ୍ଜୀକରଣ

ଭୁବନେଶ୍ୱର : ରାଜ୍ୟରେ ନୂଆ ଖରିଫ ଋତୁ ନିମନ୍ତେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଆଗେଇ ଚାଲିଛି। ଋଣୀ ଚାଷୀଙ୍କ ପାଇଁ ଗତ ୧୬ ତାରିଖ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଇତିି ମଧ୍ୟରେ ବିଭିନ୍ନ ଛୁଟି ପଡ଼ିଥିବାରୁ ଏହି ସମୟସୀମାକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାରୀ ସୂତ୍ର ବୟାନ କରୁଛି ଯେ ଚଳିତ ଖରିଫ ଋତୁ ନିମନ୍ତେ ଅଣଋଣୀ ଚାଷୀଙ୍କ ପାଇଁ ଫସଲ ବୀମା ପଞ୍ଜୀକରଣ ସରିଯାଇଛି। ଏଥର ରାଜ୍ୟର ପ୍ରାୟ ୨.୦୫ ଲକ୍ଷ ଅଣଋଣୀ ଚାଷୀ ଫସଲ ବୀମା ପାଇଁ ପଞ୍ଜୀକରଣ କରିଛନ୍ତି। ତେବେ ୫ ଲକ୍ଷ ଅଣଋଣୀ ଚାଷୀଙ୍କୁ ଫସଲ ବୀମା ପରିସରକୁ ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏଥିପାଇଁ ‘ସମବାୟ ଆପଣଙ୍କ ଦ୍ୱାରରେ’ ଅଭିଯାନ ମଧ୍ୟ କରାଯାଇଛି। ଗତ ଖରିଫ ତୁଳନାରେ ଏଥର ଅଧିକ ସଂଖ୍ୟକ ଅଣଋଣୀ ଚାଷୀ ପଞ୍ଜୀକୃତ ହୋଇଛନ୍ତି ସତ, କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ତାହା କମ୍‌। ଏ ପଟେ ଋଣୀ ଚାଷୀଙ୍କ ପାଇଁ ପଞ୍ଜୀକରଣ ଓ ଡାଟା ଅପ୍‌ଲୋଡ୍‌ ପ୍ରକ୍ରିୟା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବର୍ତମାନ ସୁଦ୍ଧା ପଞ୍ଜୀକୃତ ଉଭୟ ଋଣୀ ଓ ଅଣଋଣୀ ଚାଷୀଙ୍କ ସଂଖ୍ୟା ୧୯ ଲକ୍ଷ ଟପିଛି। ଏଥର ଉଭୟ ଋଣୀ ଓ ଅଣଋଣୀ ଚାଷୀଙ୍କୁ ମିଶାଇ ମୋଟ ୨୫ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ଲକ୍ଷ୍ୟ ରହିଛି।

ସମ୍ବନ୍ଧିତ ଖବର