ଖରିଫ ଫସଲ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି : ସମବାୟ ବ୍ୟାଙ୍କ ଦେବେ ୭୫୦୦କୋଟି ଋଣ

ସାମାଜିକ ଦୂରତ୍ବ ନିୟମ ପାଳନ ନିର୍ଦେଶ, ନୂଆ ହିତାଧିକାରୀଙ୍କୁ ସାମିଲ ପାଇଁ କୁହାଗଲା

ଭୁବନେଶ୍ବର : ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ କ୍ଷେତ୍ର ମାଧ୍ୟମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦିଆଯିବ। ଚାଷୀମାନଙ୍କୁ ଠିକଣା ସମୟରେ ଋଣ ଯୋଗାଇଦେବା ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦେଶ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମ ମାତ୍ର ହୋଇଥିବାରୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପ୍ରାଥମିକତା ଦିଆଯିବ। ପ୍ୟାକସ୍‌ ଓ ଲ୍ୟାମ୍ପସ୍‌ଗୁଡ଼ିକରେ ସାମାଜିକ ଦୂରତ୍ୱ ଓ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବେ।

ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଖରିଫ ଋଣ ପ୍ରଦାନ ସଂପର୍କରେ କୁହାଯାଇଛି, ରାଜ୍ୟରେ ମୋଟ ଫସଲ ଋଣ ପ୍ରଦାନ ୬୫ ରୁ ୬୮ ପ୍ରତିଶତ ସମବାୟ ସଂସ୍ଥା ସମ୍ପାଦିତ ହୋଇଥାଏ। ଗତ ଖରିଫ ୨୦୧୯ ଋତୁରେ ସମବାୟ ସଂସ୍ଥାଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟ ୭୫୦୦ କୋଟି ଟଙ୍କା ମଧ୍ୟରୁ ରାଜ୍ୟରେ ୧୭,୯୧,୮୯୮ ଜଣ ଚାଷୀଙ୍କୁ ମୋଟ ୭୩୩୦.୫୬ କୋଟି ଟଙ୍କା ଋଣ ଦିଆଯାଇଥିଲା। ତେଣୁ ଚଳିତ ଖରିଫରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ସଭ୍ୟମାନଙ୍କୁ ଫସଲ ଋଣ ଯୋଗାଇଦେବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି।

ସରକାର କହିଛନ୍ତି, ହିତାଧିକାରୀ ଚାଷୀମାନଙ୍କ ଆଧାର କାର୍ଡ ନମ୍ବର ସଂଗ୍ରହ ଏବଂ ଏହାକୁ କିଷାନ କ୍ରେଡିଟ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ। ମଞ୍ଜୁରୀପ୍ରାପ୍ତ ଋଣ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ହସ୍ତାନ୍ତର କରାଯିବ। ଏଥିରେ ଖିଲାଫ ହେଲେ ତାହା ବେନିୟମ ବୋଲି ବିବେଚନା କରାଯିବ।

ଲକଡାଉନ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ପ୍ୟାକସ୍‌ ଏବଂ ଲ୍ୟାମ୍ପସ୍‌ଗୁଡ଼ିକୁ ସ୍ୱଳ୍ପମିଆଦୀ କୃଷି ଋଣ ଅନୁମୋଦନ ଏବଂ ପ୍ରଦାନ ଅଫଲାଇନ ମାଧ୍ୟମରେ କରିବା ନିମନ୍ତେ ଅନୁମତି ଦିଆଯାଇଛି। ଏହା ଖରିଫ ୨୦୨୦ ଋତୁ ଶେଷ ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ ଯାଏ କରାଯାଇପାରିବ। ତେବେ ଋଣ ପ୍ରଦାନ ବେଳେ ପାଞ୍ଚଜଣରୁ ଅଧିକ ଏକତ୍ରିତ ହୋଇପାରିବେ ନାହିଁ। ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ।

୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଇ ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପଇଠ କରୁଥିବା ଚାଷୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେହିପରି ୫୦,୦୦୦ ଟଙ୍କାରୁ ଅଧିକ ଏବଂ ୩ ଲକ୍ଷ ଟଙ୍କା ମଧ୍ୟରେ ଋଣ ନେଇ ସମୟ ସୀମା ମଧ୍ୟରେ ଋଣ ପଇଠ କଲେ ୨ ପ୍ରତିଶତ ସୁଧ ଦେବାକୁ ପଡିବ। ଫସଲ ଋଣ ପରିଶୋଧ କରିବା ସମୟ ସୀମା ପ୍ରଥମ ଋଣ ଉଠାଣ ତାରିଖଠାରୁ ୧୨ ମାସ ପର୍ଯ୍ୟନ୍ତ ରଖାଯାଇଛି। ତେବେ ଆଖୁ, କଦଳୀ ଚାଷ ଭଳି ଦୀର୍ଘ ସମୟ ଲାଗୁଥିବା ଚାଷ କାର୍ଯ୍ୟ ନିମନ୍ତେ ଋଣ ପରିଶୋଧ ସମୟ ସୀମା ୧୮ ମାସ ରଖାଯାଇଛି।

ସମବାୟ ଋଣ ନେଟୱାର୍କରେ ଅନ୍ତର୍ଭୁକ୍ତ ହୋଇନଥିବା କୃଷକ ପରିବାରଙ୍କୁ ସାମିଲ କରିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ସେମାନଙ୍କୁ ନୂତନ କିଷାନ କ୍ରେଡିଟ କାର୍ଡ ପ୍ରଦାନ ପୂର୍ବକ ଖରିଫ କୃଷି ଋଣ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଦରଖାସ୍ତ ଦାଖଲ କରିବା ୧୫ ଦିନ ମଧ୍ୟରେ ରୂପେ କିଷାନ କ୍ରେଡିଟ କାର୍ଡ ସହିତ ଋଣ ଅନୁମୋନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯୁଗ୍ମ ଦେୟ ଗୋଷ୍ଠୀମାନଙ୍କ ମାଧ୍ୟମରେ ଭାଗ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ଉତ୍ସାହିତ କରାଯିବ। ପ୍ୟାକ୍‌ସମାନଙ୍କୁ ସେମାନଙ୍କର ମୋଟ ଋଣ ପ୍ରଦାନର ଧାର୍ଯ୍ୟ ଲକ୍ଷ୍ୟର ଅନ୍ତତଃ ୧୦ ପ୍ରତିଶତ ଯୁଗ୍ମ ଦେୟ ଗୋଷ୍ଠୀମାନଙ୍କୁ ପ୍ରଦାନ କିରବା ପାଇଁ ପରାମର୍ଶ ଦିଆଯାଇଛି।

ଡାଲି, ତୈଳବୀଜ, ଆଳୁ ଏବଂ ଅନ୍ୟ ଅର୍ଥକାରୀ ଫସଲ ଚାଷ ନିମନ୍ତେ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ। ଖରିଫ ଫସଲ ନିମନ୍ତେ ଆବଶ୍ୟକୀୟ କୃଷି ସାମଗ୍ରୀ, ସାର, ଉନ୍ନତ ବିହନ, କୀଟନାଶକ ଔଷଧ ଆଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି।

ଦୀର୍ଘ ମିଆଦୀ କୃଷି ଋଣ ମାଧ୍ୟମରେ ଟ୍ରାକଫଟର, ପାୱାର ଟିଲର, ପମ୍ପସେଟ୍‌, କ୍ଷୁଦ୍ର ଜଳସେଚନ, କୃଷି ଯନ୍ତ୍ରର ବ୍ୟବହାର, ବୃକ୍ଷରୋପଣ, ଉଦ୍ୟାନ କୃଷି ସମେତ ଆନୁଷଙ୍ଗିକ କ୍ଷେତ୍ର ଗୋପାଳନ, କୁକୁଡା ଚାଷ, ମତ୍ସ୍ୟ ଚାଷକୁ ଅଗ୍ରାଧିକାରଭିତ୍ତିରେ ଋଣ ପ୍ରଦାନ ନିମନ୍ତେ ସମବାୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଫସଲ ଋଣ ଠିକଣା ଭାବରେ ଚାଷ କାର୍ଯ୍ୟରେ ବିନିଯୋଗକୁ ତଦାରଖ କରିବା ପାଇଁ କୃଷି ଏବଂ ସମବାୟ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ସରକାର କହିଛନ୍ତି।

ସମ୍ବନ୍ଧିତ ଖବର