ଫସଲ ଋଣ ପରିଶୋଧ ଅବଧି ବୃଦ୍ଧି କଲେ ସରକାର

ଭୁବନେଶ୍ବର : ତ୍ରିସ୍ତରୀୟ ସମବାୟ ଋଣ ପରିଶୋଧ ଅବଧି ସରକାର ବୃଦ୍ଧି କରିଛନ୍ତି। ଏ ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚାଷୀମାନଙ୍କ ପାଇଁ ସ୍ବଳ୍ପକାଳୀନ ଫସଲ ଯଥା ଧାନ, ଚିନାବାଦାମ, ସୋରିଷ, ଅଦା, ହଳଦୀ, ମକା ପାଇଁ ଦିଆଯାଉଥିବା ଫସଲ ଋଣ ଉଠାଣ ଓ ପରିଶୋଧର ସମୟସୀମାକୁ ୧୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଫସଲ ଋଣ ପରିଶୋଧ କରିବାର ଶେଷ ତାରିଖ ଖରିଫ ଋତୁ ପାଇଁ ମାର୍ଚ୍ଚ ୨୫ ତାରିଖ ଓ ରବି ଋତୁ ପାଇଁ ଜୁନ୍ ୨୫ ତାରିଖ ଧାର୍ଯ୍ୟ କରାଯାଇଥିଲା। ସେହିପରି କଦଳୀ ଓ ଆଖୁଚାଷ ପାଇଁ ପ୍ରଦାନ କରାଯାଉଥିବା ଦୀର୍ଘ ମିଆଦି ଫସଲ ଋଣ ପରିଶୋଧ ଅବଧି ପୂର୍ବପରି ୧୮ ମାସ ରହିଛି। ଚଳିତ ବର୍ଷ ଏପ୍ରିଲ୍‌ ପହିଲାରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସମବାୟ ବ୍ୟାଙ୍କ୍‌ ଜରିଆରେ ପ୍ରଦାନ କରାଯାଉଥିବା କୃଷି ଋଣ ରିଫାଇନାନ୍‌ସର ଅବଧି ସମାନ ରହିବ। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ କୃଷି ଋଣ ପ୍ରଦାନରେ ଅଧିକରୁ ଅଧିକ ଚାଷୀ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର