ସମବାୟ ବ୍ୟାଙ୍କ ଶସ୍ୟ ଋଣ ଦେବାରେ ଆଗରେ : ଅନ୍ୟ ବ୍ୟାଙ୍କମାନେ କୁନ୍ଥକୁନ୍ଥ

ଭୁବନେଶ୍ୱର : ସମବାୟ ବ୍ୟାଙ୍କଗୁଡ଼ିକ ରାଜ୍ୟରେ ଯେତେ ଜମା ସଂଗ୍ରହ କରୁଛନ୍ତି ତାହା ଅପେକ୍ଷା ଢେର୍‌ ଅଧିକ ପରିମାଣର ଅର୍ଥ ଋଣ ଆକାରରେ ଖଟାଉଛନ୍ତି। ମାତ୍ର ଜାତୀୟକରଣ ଓ ଘରୋଇ ବ୍ୟାଙ୍କଗୁଡ଼ିକ କ୍ଷେତ୍ରରେ ଲଟାସ୍ଥିତି ଉପୁଜୁଛି। ସେମାନେ ଯେତେ ଜମା ସଂଗ୍ରହ କରୁଛନ୍ତି ତାହା ତୁଳନାରେ ଢେର୍‌ କମ୍‌ ଋଣ ଦେଉଛନ୍ତି। ଶସ୍ୟ ଋଣ ପ୍ରଦାନ କ୍ଷେତ୍ରରେ ସମବାୟ ବ୍ୟାଙ୍କଗୁଡ଼ିକ ଉତ୍ତମ ପ୍ରଦର୍ଶନ କରୁଥିବା ବେଳେ ଜାତୀୟକରଣ ଓ ଘରୋଇ ବ୍ୟାଙ୍କମାନଙ୍କର ଶସ୍ୟ ଋଣ ଲଗାଣ ହାର ଅତ୍ୟନ୍ତ ନୈରାଶ୍ୟଜନକ।

ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି।

ମନ୍ତ୍ରୀ କହିଛନ୍ତି, ୨୦୧୭-୧୮ ଆର୍ଥକ ବର୍ଷର ଜାନୁଆରି ଶେଷ ସୁଦ୍ଧା ସମବାୟ ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୯ ହଜାର ୫୮୮ କୋଟି ୯୩ ଲକ୍ଷ ଟଙ୍କାର ଜମା ସଂଗ୍ରହ କରିଥିଲେ। ଋଣ ଦେଇଛନ୍ତି ୧୧ ହଜାର ୧୯୭ କୋଟି ୫୯ ଲକ୍ଷ ଟଙ୍କା। ଏଥିମଧ୍ୟରୁ ଶସ୍ୟ ଋଣର ପରିମାଣ ହେଉଛି ୧୧ ହଜାର ୫ କୋଟି ୮୦ ଲକ୍ଷ ଟଙ୍କା।

୨୦୧୧-୧୨ ବର୍ଷରେ ସମବାୟ ବ୍ୟାଙ୍କଗୁଡ଼ିକ ଆମ ରାଜ୍ୟରେ ୪ ହଜାର ୬୮୩ କୋଟି ୯୯ ଲକ୍ଷ ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଋଣ ଖଟାଇଥିଲେ ୫ ହଜାର ୩୭୪ କୋଟି ୯୫ ଲକ୍ଷ ଟଙ୍କା। ଏଥିମଧ୍ୟରୁ ଶସ୍ୟ ଋଣର ପରିମାଣ ଥିଲା ୪ ହଜାର ୪୧୫ କୋଟି ୮୯ ଲକ୍ଷ ଟଙ୍କା। ୨୦୧୬-୧୭ ବର୍ଷରେ ସମବାୟ ବ୍ୟାଙ୍କଗୁଡ଼ିକର ଜମା ସଂଗ୍ରହ ପରିମାଣ ୯ ହଜାର ୧୨୧ କୋଟି ଟଙ୍କା ଥିବା ବେଳେ ଋଣ ପ୍ରଦାନ କରାଯାଇଥିଲା ୧୧ ହଜାର ୪୨୩ କୋଟି ଟଙ୍କା। ଏଥିମଧ୍ୟରୁ ଶସ୍ୟ ଋଣର ପରିମାଣ ଥିଲା ୧୦ ହଜାର ୨୦୪ କୋଟି ୮୧ କୋଟି ଟଙ୍କା।

୨୦୧୭-୧୮ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାରୁ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ୧ଲକ୍ଷ ୯୮ ହଜାର ୨୩୬ କୋଟି ଟଙ୍କା ଜମା ସଂଗ୍ରହ କରିଥିଲେ। ଏମାନେ ଋଣ ପ୍ରଦାନ କରିଥିଲେ ମାତ୍ର ୭୬ ହଜାର ୫୬୦ କୋଟି ୭୬ ଲକ୍ଷ ଟଙ୍କା। ଏମଧ୍ୟରୁ କୃଷି ଋଣର ପରିମାଣ ଥିଲା ୧୩ ହଜାର ୭୭୧ କୋଟି ୬୦ ଲକ୍ଷ ଟଙ୍କା।

ଏହି ସମୟ ମଧ୍ୟରେ ଓଡ଼ିଶାରେ ଥିବା ଘରୋଇ ବ୍ୟାଙ୍କଗୁଡ଼ିକ ୪୦ ହଜାର ୮୫୩ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଋଣ ଦେଇଛନ୍ତି ୩୦ ହଜାର ୬୭୨ କୋଟି। ସେଥିମଧ୍ୟରୁ କୃଷି ଋଣ ପରିମାଣ ମାତ୍ର ୪ ହଜାର ୫୬ କୋଟି ଟଙ୍କା। ସେହିପରି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ଏହି ସମୟ ମଧ୍ୟରେ ୧୫ ହଜାର ୯୫୧ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଋଣ ଖଟାଇଛନ୍ତି ୭ ହଜାର ୬୮୩ କୋଟି । କୃଷି ଋଣର ପରିମାଣ ମାତ୍ର ୩ ହଜାର ୮୬୫ କୋଟି ଟଙ୍କା।

୨୦୧୬-୧୭ ଆର୍ଥକ ବର୍ଷରେ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ଓଡ଼ିଶାରୁ ୧ଲକ୍ଷ ୯୩ ହଜାର ୩୧୩ କୋଟି ୩୭ ଲକ୍ଷ ଟଙ୍କାର ଜମା ସଂଗ୍ରହ କରିଥିଲେ। ଋଣ ଖଟାଇଛନ୍ତି ୭୪ ହଜାର ୧୦୫ କୋଟି। ଏଥିରୁ କୃଷି ଋଣର ପରିମାଣ ଥିଲା ମାତ୍ର ୧୧ ହଜାର ୫୧୬ କୋଟି ଟଙ୍କା। ଉକ୍ତ ବର୍ଷରେ ଘରୋଇ ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୩୫ ହଜାର ୪୭୭ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ୨୩ ହଜାର ୮୫୦ କୋଟି ଟଙ୍କା ଋଣ ଆକାରରେ ପାଇଛନ୍ତି। ଏଥିରୁ କୃଷି ଋଣର ପରିମାଣ ମାତ୍ର ୩ ହଜାର ୭୦୪ କୋଟି।

ସେହିପରି ଉକ୍ତ ବର୍ଷରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ୧୫ ହଜାର ୧୪୫ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ୭ ହଜାର ୫୦୨ କୋଟି ଟଙ୍କାର ଋଣ ଦେଇଛନ୍ତି। ଏଥିମଧ୍ୟରୁ କୃଷି ଋଣର ପରିମାଣ ଥିଲା ମାତ୍ର ୩ ହଜାର ୬୦୭ କୋଟି ଟଙ୍କା।

ସମ୍ବନ୍ଧିତ ଖବର