୧.୭୮ଲକ୍ଷ ହେକ୍ଟର ବରବାଦ୍‌

ଭୁବନେଶ୍ୱର : କେଉଁଠି ଚକଡ଼ା ପୋକ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ତ ଆଉ କେଉଁଠି ହଳଦିଆ ପତ୍ରବିନ୍ଧା ପୋକ ଏକର ଏକର ଜମିର ଫସଲ ନଷ୍ଟଭ୍ରଷ୍ଟ କରିଦେଇଛନ୍ତି। ପତ୍ରମୋଡ଼ା, ମହିଷା ପୋକ, ଧଳା ଟିକିଆ ମୁଣ୍ଡିପୋକ ବି ବିଭିନ୍ନ ଜିଲ୍ଲାରେ ହେକ୍ଟର ହେକ୍ଟର ଫସଲହାନି ଘଟାଇଛନ୍ତି।

ବରଗଡ, ସୋନପୁର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ଭଦ୍ରକ ଆଦି ୯ ଜିଲ୍ଲାର ଜିଲ୍ଲାପାଳ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କୁ ଯେଉଁ ତଥ୍ୟ ଦେଇଛନ୍ତି, ତାହା ବୟାନ କରୁଛି ଯେ ଏସବୁ ପୋକ କିଛି କମ୍‌ ଫସଲ ଗିଳିନାହାନ୍ତି। ରାଜ୍ୟର ୯୨ ବ୍ଲକ ଅନ୍ତର୍ଗତ ୧୬୨୦ଟି ପଞ୍ଚାୟତର ୮୨୧୧ଟି ଗାଁ ଗଣ୍ଡା ଜମିରେ ଏମାନଙ୍କର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ୧୯ଟି ପୌରପାଳିକା ଅଧୀନସ୍ଥ ୭୧ଟି ଓ୍ଵାର୍ଡରେ ବି ଫସଲ ଏମାନଙ୍କ ଦ୍ୱାରା ପ୍ରଭାବିତ। ସମୁଦାୟ ୧ଲକ୍ଷ ୭୮ ହଜାର ୯୩୨ ହେକ୍ଟର ଜମିର ଫସଲ ବରବାଦ୍‌ ହୋଇଯାଇଛି ପୋକ ଆକ୍ରମଣରେ। ୨୭ଟିି ଜିଲ୍ଲାର ଚିତ୍ର ସାମ୍ନାକୁ ଆସିବା ପରେ କ୍ଷତିଗ୍ରସ୍ତ ଜମିର ପରିମାଣ ବଢ଼ିବ ହିଁ ବଢ଼ିବ।

ଜିଲ୍ଲାପାଳଙ୍କ ରିପୋର୍ଟକୁ ଅନୁଶୀଳନ କଲେ ଦେଖାଯାଉଛି ଯେ ଗଞ୍ଜାମ ଜିଲ୍ଲାର ଅଧିକ ଅଞ୍ଚଳରେ ପୋକ ମାତିଥିଲେ ଥିଲେ ହେଁ, ବରଗଡ଼ରେ ହିଁ ଅଧିକ ପରିମାଣର ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାରେ ୩୮ ହଜାର ୨୫୨ ହେକ୍ଟର, ସମ୍ବଲପୁରରେ ୨୮ ହଜାର ୨୨୮ ହେକ୍ଟର, ନୂଆପଡ଼ାରେ ୩୦୯୦ ହେକ୍ଟର, ସୋନପୁରରେ ୭୧୫୨ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲହାନି ହୋଇଛି। ସେହିଭଳି ବଲାଙ୍ଗୀରରେ ୫୩୯୨ ହେକ୍ଟର, ଗଞ୍ଜାମରେ ୧୮ ହଜାର ୫୫୫ ହେକ୍ଟର, କଳାହାଣ୍ଡିରେ ୧୦ହଜାର ୩୧ ହେକ୍ଟର, କୋରାପୁଟର ୧୭୫୬ ହେକ୍ଟର ଓ ଭଦ୍ରକ ଗୋଟିଏ ବ୍ଲକରେ ମାତ୍ର ୧ ହେକ୍ଟର ୪୦ ଏକର ଜମି କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ।

ଗଞ୍ଜାମ ଜିଲ୍ଳାର ସର୍ବାଧିକ ୨୦ଟି ବ୍ଲକର ଫସଲ କ୍ଷତିଗ୍ରସ୍ତ ହୋଇଛି। ତା ପଛକୁ କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାର ୧୪ଟି ଲେଖାଏଁ ବ୍ଲକ ପ୍ରଭାବିତ ହୋଇଛି। କଳାହାଣ୍ଡିର ୧୨ଟି ବ୍ଲକ ଓ ବରଗଡର ୧୧ଟି ବ୍ଲକ ପ୍ରଭାବିତ ହୋଇଛି। ସମ୍ବଲପୁରର ୯, ସୁବର୍ଣ୍ଣପୁରର ୬ ଓ ଭଦ୍ରକର ଗୋଟିଏ ବ୍ଲକରେ ପୋକ ଯୋଗୁ ଫସଲ ହାନି ହୋଇଥିବା ରିପୋର୍ଟ କହୁଛି।

ପରିସଂଖ୍ୟାନ ଦର୍ଶାଉଛି ଯେ ଏହି ୯ଟି ଜିଲ୍ଲାର ୨୬ ହଜାର ୭୫୫ ହେକ୍ଟର ଜମିରେ ୫୦ ପ୍ରତିଶତ ଅର୍ଥାତ୍‌ ଅଧାରୁ ଅଧିକ ଫସଲ ନଷ୍ଟ ହୋଇଛି। ଏ ମଧ୍ୟରେ ୯ହଜାର ୮୯ ହେକ୍ଟର ଅଣଜଳସେଚିତ ଓ ୧୭ ହଜାର ୬୭୦ ହେକ୍ଟର ଜମି ଜଳସେଚିତ ବୋଲି ଜଣାପଡିଛି।

ଏଠାରେ ଉଲ୍ଲେଖଥାଉକି, ୨୭ଟି ଜିଲ୍ଲାରେ ପୋକଙ୍କ ଦୌରାତ୍ମ୍ୟ ଦେଖାଯାଇଥିବା ନେଇ ଗତକାଲି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଚକଡ଼଼ା ପୋକ ଲାଗିଥିବା ୮ଟି ଜିଲ୍ଲା ଉପରେ ତନାଘନା କରାଯାଇଥିଲା ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ଲାଗି ୪୮ ଘଣ୍ଟାର କଣ୍ଟ ଦିଆଯାଇଥିଲା। ଗତକାଲି ଏହି ସମୟ ସୀମା ସରିବା ପରେ ଆଜି ଏହି ରିପୋର୍ଟ ଉପରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଥିଲା। ବାକି ଜିଲ୍ଲାମାନଙ୍କରେ କୃଷି ବିଭାଗର ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ ଜାରି ରଖିଛନ୍ତି। ଏ ମଧ୍ୟରେ କେବଳ ଚକଡ଼ା ପୋକ ଆକ୍ରମଣରେ ରାଜ୍ୟରେ ପ୍ରାୟ ୧ ଲକ୍ଷ ୧୦ ହଜାର ହେକ୍ଟର ଧାନ ଜମି ପ୍ରଭାବିତ ହୋଇଥିବା କୁହାଯାଇଛି। ଯେଉଁଥିରୁ କି ପ୍ରାୟ ୩୪ ହଜାର ହେକ୍ଟର ଜମି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର