ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ମଙ୍ଗଳବାର ରାତି ଠାରୁ ବିଜୁଳି ସହ ଅଦିନିଆ ବର୍ଷା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ପାଣିପାଗ ବିଭାଗ ସୂଚନାନୁସାରେ ସ୍ଥାନୀୟ ଅଞ୍ଚଳରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ସର୍ବାଧିକ ୭୨.୪ମିମି ବର୍ଷା ରେକର୍ଡ଼ କରାଯାଇଛି। ଏପରକି ପନିପରିବା କ୍ଷେତରେ ପାଣି ଭରିଯିବାରୁ ପରିବା ଚାଷ ଏପ୍ରକାର  କ୍ଷତିଗ୍ରସ୍ତ ହୋଇଛି।  ଗତକାଲି ଠାରୁ ଆରମ୍ଭ ହୋଇଥିବା ଅଦିନିଆ ଲଗାଣ ବର୍ଷା ଯୋଗୁଁ କତିଙ୍ଗିଆ ପଞ୍ଚାୟତ ସମେତ ଲିଙ୍ଗାଗଡ଼, ରଟିଙ୍ଗିଆ  ଓ ଗ୍ରେସିଙ୍ଗିଆ ପଞ୍ଚାୟତର ବିଭିନ୍ନ ଗାଁ ମାନଙ୍କରେ ପରିବା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

Advertisment

ସ୍ଥାନୀୟ ଅଞ୍ଚଳରେ ବିଶେଷତଃ ଶୀତ ଋତୁରେ ଭଲ ପରିବା ଚାଷ ହୁଏ। ଯାହାକି ପରିବା ଚାଷୀଙ୍କ ଏକ ପ୍ରକାର ମୁଖ୍ୟ ଆୟ। ସ୍ଥାନୀୟ ଅଞ୍ଚଳରେ ବିନ୍‌ସ, ଫୁଲକୋବି, ବନ୍ଧାକୋବି, ଟମାଟୋ, ଗ୍ରୀନମଟର, ମୂଳା, ଫଳକୋବି ଓ ଆଳୁ ଭଳି  ଲାଭଦାୟକ ପରିବା ଆଦାୟ ହୋଇଥାଏ। ଏହି ସମୟରେ ପ୍ରଚୁର ପରିବା ଆଦାୟ ସହ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ନୟାଗଡ଼, ବ୍ରହ୍ମପୁର, ଆସ୍କା ଓ ଭଞ୍ଜନଗରକୁ ରପ୍ତାନୀ ବି କରାଯାଏ। କିନ୍ତୁ ଦୁଇ ଦିନ ହେଲା ଲଗାଣ ବର୍ଷ ଏବେ ପରିବା ଚାଷକୁ ଉଜାଡି ଦେଇଛି। ଜମିରେ ପାଣି ଜମି ରହିଥିବାରୁ ପରିବାଗଛ ପଚିବା ଆରମ୍ଭ କରିଛି। ତେଣୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।

କହିବାକୁ ଗଲେ ଚଳିତ ବର୍ଷ ବର୍ଷା ଚାଷୀଙ୍କୁ ଗୋଟିଏ ପରେ ଗୋଟିଏ ଦୁର୍ଦ୍ଦଶା ଦେଇ ଚାଲିଛି। ଧାନ ଅମଳ ସମୟରେ ଲଘୁଚାପ ଜନିତ ବର୍ଷା ଏବଂ ବାତ୍ୟା  ପାଇଁ ଚାଷୀ ତରବରରେ ଧାନ କାଟି ଘରକୁ ବୋହି ନେଇଥିଲେ। ହେଲେ ସରକାରଙ୍କ ମଣ୍ଡି ଖୋଲିବା ବିଳମ୍ବ କାରଣରୁ ଧାନ  ବିକ୍ରି କରିପାରିନଥିଲେ।  ଚାଷୀ  ଏବେ  ଧୀରେ ଧୀରେ ଧାନ ବିକ୍ରି କରୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ କିଛି ଚାଷୀଙ୍କ ବାହାରେ ଥିବା ଧାନ ନଷ୍ଟ ହୋଇଯାଇଥିବା ବି ସୂଚନା ମିଳିଛି। ଗତକାଲି ମଧ୍ୟାହ୍ନରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ବର୍ଷା ଅନବରତ ଲାଗି ରହିଥିବା ଜଣାପଡ଼ିଛି।