୧୫ ଜିଲ୍ଲାପାଳ ଦେଲେ ରିପୋର୍ଟ

ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ସୋମବାର

ଭୁବନେଶ୍ୱର : ନଭେମ୍ବର ୧୫ରୁ ୧୭ ପର୍ଯ୍ୟନ୍ତ ହୋଇଥିବା ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୨୫ ସୁଦ୍ଧା ଏହି ରିପୋର୍ଟ ଦେବା ଲାଗି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସେ କଣ୍ଟ ପୂରିଛି। ଶ୍ରୀ ସେଠି ଆଜି ‘ସମ୍ବାଦ’କୁ ସୂଚନା ଦେଇ କହିଛନ୍ତି, ୧୫ଟି ଜିଲ୍ଲାର ଜିଲ୍ଲାପାଳ ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଛନ୍ତି। ବିଶେଷକରି ଉପକୂଳ ଜିଲ୍ଲାରେ ଚାଷ କ୍ଷତି ହୋଇଥିବା ପରିଲକ୍ଷିତ ହୋଇଛି। କିନ୍ତୁ କେତେ ପରିମାଣରେ ଚାଷ ନଷ୍ଟ ହୋଇଛି ସେ ନେଇ ସୋମବାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ। କିଛି ଜିଲ୍ଲାରେ ବର୍ଷା ହୋଇଥିଲେ ହେଁ ଫସଲ କ୍ଷତି ହୋଇ ନଥିବା ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି। ଏବେ ପ୍ରକାଶ ପାଇଛି, ପୂର୍ବରୁ ମରୁଡ଼ି କାରଣରୁ ରାଜ୍ୟରେ ହାରାହାରି ୩ ଲକ୍ଷ ୧୫ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଥିବା ନେଇ ସରକାର ଘୋଷଣା କରିଛନ୍ତି।

ସେହିଭଳି ଚକଡ଼ା ଆଦି ପୋକ ଲାଗି ୨୪ଟି ଜିଲ୍ଲାର ୧୫୦ ବ୍ଲକ ଓ ୩୫ ପୌରାଞ୍ଚଳ ଅନ୍ତର୍ଗତ ୧ ଲକ୍ଷ ୨୮ ହଜାର ୩ ଶହ ୧୮ ହେକ୍ଟର ଜମିର ଚାଷ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଅଦିନିଆ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାମାନଙ୍କରେ କେଉଁଠି କେଉଁଠି ବିଲରେ ଧାନ ପାଣି ବୁଡ଼ି ନଷ୍ଟ ହୋଇ ଯାଇଥିଲା ତ ଆଉ କେଉଁଠି ଧାନ ପାଚିବା ପୂର୍ବରୁ ପବନ ମାଡ଼ରେ ଶୋଇ ଯାଇଥିଲା। କିଛି ଅଞ୍ଚଳରେ ଚାଷୀମାନେ ଧାନ କାଟି ଆଣି ଖଳାରେ ଗଦା କରିଥିଲେ ହେଁ ବର୍ଷାରେ ଏହା ଓଦା ହୋଇଯାଇଥିଲା। ଏଭଳି ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସରକାର ଜିଲ୍ଲାପାଳଙ୍କ ରିପୋର୍ଟ ପାଇବା ପରେ ନିୟମ ମୁତାବକ ଇନ୍‌ପୁଟ୍‌ ସବ୍‌ସିଡ୍‌ ଘୋଷଣା କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର