ଭଂଜନଗର : ଚିଟ୍‌ଫଣ୍ଡ କଂପାନିର ଟଙ୍କାକୁ ଅନାଇ ଅନାଇ ବାପା ଚାଲିଗଲେ। ଫସଲ ନଷ୍ଟ ହେବାରୁ ଭାଇ ବି କୀଟନାଶକ ପିଇ ଆତ୍ମହତ୍ୟା କଲେ। ପରିବାରର ଦୁଇ ପ୍ରମୁଖ ସଦସ୍ୟ ଆରପାରିକୁ ପଳାଇବା ପରେ ପରିବାର ଆଜି ବେସାହାରା। ସରକାରୀ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇ-ଅଭିଯୋଗ ଶୁଣାଣି ମାଧ୍ୟମରେ ତିନି ଥର ଆବେଦନ କରିବା ପରେ ଆମ ଦୁଃଖ କେହି ଶୁଣିବା ଦୂର କଥା, ଉତ୍ତରଟିଏ ଆଜି ଯାଏଁ ମିଳିଲାନି। ଏମିତିରେ କେମିତି ପରିବାର ଚଳିବ। ଇଏ ଥିଲା ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଶରଧାପୁର ଗ୍ରାମର ପୂର୍ଣ୍ଣବାସୀ ବାଡ଼ତ୍ୟା ଏବଂ ତାଙ୍କ ମା’ କମାଙ୍କ କୋହଭରା କାହାଣୀ। ଆଜି ଭଂଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ଣ୍ଣବାସୀଙ୍କ ସହ ଆମର ସାକ୍ଷାତ ବେଳେ ସେ ନିଜ ଦୁଃଖଦ ଅନୁଭୂତି ବଖାଣିଥିଲେ। ବାପା ଚୌଧୁରୀ ବାଡ଼ତ୍ୟା ଏବଂ ମଝିଆ ଭାଇର ମୃତ୍ୟୁ ପରେ ତାଙ୍କ ପରିବାର ଆଜି ଦୁର୍ଦ୍ଦିନ ସ୍ଥିତିରେ ଗତି କରୁଛି ବୋଲି କହିଥିଲେ।

Advertisment

ଧରାକୋଟ ବ୍ଲକର ଶରଧାପୁର ଗାଁର ସ୍ୱର୍ଗତ ଚୌଧୁରୀ ବାଡତ୍ୟା ୨ ଝିଅ ଓ ୩ପୁଅକୁ ନେଇ ରହୁଥିଲେ। ବିହାରର ଜାମୁନାଳିର ଏକ କୋଇଲା କଂପାନିରେ ସେ ଦିନ ମଜୁରିଆ ଭାବେ କାମ କରୁଥିଲେ। ସେଥିରୁ ଯାହା କିଛି ସଞ୍ଚୟ କରିଥିଲେ ସେଥିରେ ଗୋଟିଏ ଝିଅ ଓ ଦୁଇ ପୁଅଙ୍କ ବିବାହ କରିଥିଲେ। ହେଲେ ଚୌଧୁରୀ ଅସୁସ୍ଥ ହେବା ପରେ ଗାଁକୁ ଚାଲି ଆସି ଚାଷ କାମ କରିବା ଆରମ୍ଭ କରିଥିଲେ। କାମଧନ୍ଦା କରି ଯେଉଁ ୫ ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ ତାହାକୁ ସେ ସିସୋର୍‌ ଚିଟ୍‌ଫଣ୍ଡ କଂପାନିରେ ଜମା କରିଦେଇଥିଲେ। ହେଲେ କଂପାନିରୁ ଆଉ ଟଙ୍କା ମିଳିବନି ବୋଲି ଜାଣିବା ପରେ ଚୌଧୁରୀ ଭାଙ୍ଗି ପଡ଼ିଥିଲେ। ମାନସିକ ଦୁଶ୍ଚିନ୍ତାରେ ରହି ଅସୁସ୍ଥ ହେବା ପରେ ପ୍ରାଣ ହରାଇଥିଲେ। ଏହା ମଧ୍ୟରେ ମଝିଆ ପୁଅ ଉପରେ ପୁଣି ଚଡ଼କ ପଡ଼ିଥିଲା। ଲକ୍ଷାଧିକ ଟଙ୍କା ଋଣ ଆଣି ଚାଷ କରିଥିବା ବେଳେ ଫସଲ କ୍ଷତି ହେବାରୁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ।