ରାସ୍ତାକଡ଼ରୁ ଫଟୋ ଉଠାଇ ପ୍ରସ୍ତୁତ ହେଉଛି କ୍ଷୟକ୍ଷତି ରିପୋର୍ଟ!

କୃଷି ଅଧିକାରୀ ପରିଦର୍ଶନ କରୁନାହାନ୍ତି କ୍ଷେତ୍ର; ହଟହଟା ହେଉଛନ୍ତି କେନ୍ଦୁଝର ଚାଷୀ

କେନ୍ଦୁଝର : ଚକଡ଼ା ପୋକ ଓ ଅଦିନିଆ ବର୍ଷାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୃଷି ଅଧିକାରୀ ଏବଂ ରାଜସ୍ୱ ଅଧିକାରୀ ଅଦ୍ୟାବଧି କ୍ଷେତ୍ର ପରିଦର୍ଶନ କରିନାହାନ୍ତି। କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ପ୍ରଶାସନିକ ଅଧିକାରୀମାନେ ଆସୁନଥିବାରୁ କାଳେ ଭୁଲ ରିପୋର୍ଟ ପ୍ରସ୍ତୁତ ହୋଇଯିବ ସେହି ଭୟରେ ଚାଷୀମାନେ ବି କ୍ଷତିଗ୍ରସ୍ତ ଫସଲକୁ ଅମଳ କରୁନାହାନ୍ତି। ଖାଲି ସେତିକି ନୁହେଁ, ଯେଉଁ ଅଞ୍ଚଳକୁ ଅଧକାରୀମାନେ ପରିଦର୍ଶନରେ ଯାଉଛନ୍ତି ସେମାନେ କେବଳ ଯାତାୟାତ ସୁବିଧା ଥିବା ସ୍ଥାନ ନତୁବା ରାସ୍ତା କଡରୁ ଫଟୋ ଉଠାଇ ରିପୋର୍ଟ ପ୍ରସ୍ତୁତ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତର ଡାଳିମାପୁର, ରନ୍ଥମରା, ସଲରାପେଣ୍ଠ କ୍ଷତିଗ୍ରସ୍ତ ଚାଷ ଜମି ହେଉଛି ଏହାର ଉଦାହରଣ।

କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତରେ ରୋଗପୋକ ଏବଂ ଅଦିନିଆ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପଞ୍ଚାୟତର ମହାଦେଇଯୋଡା, ଟିକରପଡା, ରନ୍ଥମରା, ନାଉପଦା, ଡାଳିମାପୁର, ସଲରାପେଣ୍ଠ ଆଦି ଗ୍ରାମରେ ଚାଷୀମାନଙ୍କର ଏକର ଏକର ଚାଷ ଜମି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନରେ ଯାଇନାହାନ୍ତି ପ୍ରଶାସନିକ ଟିମ୍‌। କେବଳ ରାସ୍ତା କଡରୁ ଫଟୋ ଉଠାଇ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ନାଉପଦା, ଡାଳିମାପୁର, ସଲରାପେଣ୍ଠ ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି। ନାଉପଦା ଗ୍ରାମର କଲୁ ଦେହୁରୀ କହିଛନ୍ତି ଯେ, ଲଘୁଚାପ ବର୍ଷାରେ ଧାନ ଗଜା ହୋଇ ଯାଇଥିବା ବେଳେ ଏ ପର୍ଯ୍ୟନ୍ତ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କୌଣସି ଅଧିକାରୀ ଆସିନାହାନ୍ତି। ଚାଷ ଜମି ନ ଦେଖିଲେ କାଳେ ଭୁଲ ରିପୋର୍ଟ ପ୍ରସ୍ତୁତ ହୋଇଯିବ ସେହି ଭୟରେ ଗାଁ ଲୋକେ କ୍ଷତିଗ୍ରସ୍ତ ଫସଲ ଅମଳ କରୁନାହାନ୍ତି। ଖାଲି କଲୁ ଦେହୁରୀ ନୁହନ୍ତି, ମହାନ୍ତ ସାହିର ପର୍ଶୁ ମହାନ୍ତ, ଡାଳିମାପୁରର କନ୍ଦର୍ପ ମହାନ୍ତ, ଡମ୍ବରୁ ମହାନ୍ତ, ଚୈତନ୍ୟ ମହାନ୍ତ, ମହାଦେଇଯୋଡା ଗ୍ରାମର ରତ୍ନାକର ମହାନ୍ତ ସମାନ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କ୍ଷେତ୍ର ପରିଦର୍ଶନରେ ଯାଇଥିବା ଟିମ୍‌ ଭିଲେଜ ଏଗ୍ରିକଲଚର ଅଫିସର (ଭିଏଓ) ବୈଷ୍ଣବ ଚରଣ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସୀମିତ ସମୟ ମଧ୍ୟରେ ସବୁ ଚାଷଜମି ପରିଦର୍ଶନ କରିବା ସମ୍ଭବ ନୁହେଁ। ତଥାପି ସଠିକ୍‌ ରିପୋର୍ଟ ପ୍ରସ୍ତୁତ ପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷରେ କେନ୍ଦୁଝର ସଦର ବ୍ଲକର ମହାଦେଇଯୋଡ଼ା ପଞ୍ଚାୟତରେ ଫସଲ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ଭିଲେଜ୍‌ ଏଗ୍ରିକଲଚର ଅଫିସରଙ୍କ ସମେତ ଅନ୍ୟ କେତେକ ଅଧିକାରୀ ଚାଷୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ଫେରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର