ଦୁର୍ଦ୍ଦିନରେ ଚାଷୀ : କାହା ଆଖିରେ ଲୁହ ନାହିଁ!

ଭୁବନେଶ୍ୱର : ଚାଷୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ ବୋଲି ସ୍ୱୀକାର କରିଛନ୍ତି ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି। ବିଧାନସଭାରେ ନିଜ ନିଜ ଢଙ୍ଗରେ ଏ ପ୍ରସଙ୍ଗରେ ଏମାନେ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିବା ଲାଗି ଯୋଜନା କରିଛନ୍ତି। ଆସନ୍ତାକାଲି ବିଧାନସଭା ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଆଜି ତିନି ଦଳ ପୃଥକ୍‌ ପୃଥକ୍‌ ଭାବେ ଚାଷୀ ପ୍ରତି ସେମାନଙ୍କର ସମ୍ବେଦନଶୀଳତା ପ୍ରକାଶ କରିଥିବା ଦେଖାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିଜେଡି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିବା ବେଳେ କଂଗ୍ରେସର କୃଷକ ମୋର୍ଚ୍ଚା ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲା। ବିଜେପି ସଚିବାଳୟ ଚାଲ ଡାକରା ଦେଇ ଚାଷୀ ପ୍ରସଙ୍ଗରେ ଗର୍ଜିଥିଲା।

ହେଲେ ଏହି ତିନି ଦଳର ଆଚରଣକୁ ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। କାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଟାଳଟୁଳ ନୀତି ଅବଲମ୍ବନ କରୁଛି କେନ୍ଦ୍ର ଓ ଚୁପ୍‌ ବସିଛି ରାଜ୍ୟ ବିଜେପି। ବିଧାନସଭାରେ ବିଜେପି ବିଧାୟକମାନେ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ସଂପର୍କିତ ସଂକଳ୍ପ ପ୍ରସ୍ତାବରେ ଦସ୍ତଖତ କରିଥିଲେ ହେଁ, ନୂଆଦିଲ୍ଲୀ ଉପରେ ଦଳୀୟ ନେତା ଚାପ ପକାଇବାରେ ବିଫଳ। କଂଗ୍ରେସ ବିଧାୟକ ଦଳ ତମ୍ବିତୋଫାନ କରୁଥିଲେ ହେଁ, ଚାଷୀ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ନେତୃତ୍ୱର ଗର୍ଜନ ନା କେନ୍ଦ୍ର ନା ରାଜ୍ୟ କାହାକୁ ବି ଡରାଇ ପାରିଛି। ବିଚଳିତ ବା ବିବ୍ରତ କଲାଭଳି ବି ହୋଇନାହିଁ।

ସର୍ବୋପରି ଚାଷ ଜନିତ କ୍ଷତିରେ ବିଚଳିତ ହୋଇ ଏ ମଧ୍ୟରେ ୨୦ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲେ ହେଁ, ରାଜ୍ୟ ସରକାର ଏସବୁକୁ ମାନିନାହାନ୍ତି। ଚାଷୀକୁ ଆଶ୍ୱାସନା ଦେବା ପରିବର୍ତେ କୃଷି ମନ୍ତ୍ରୀ ପ୍ରଦର୍ଶନ କରିଥିବା ଆଚରଣ ସରକାରଙ୍କ ମାନସିକତାକୁ ପ୍ରକଟ କରୁଛି। ସରକାର ଯେଉଁ ଇନ୍‌ପୁଟ୍‌ ସବ୍‌ସିଡି ସହାୟତା ପ୍ରଦାନ କରୁଛନ୍ତି, ତାହା ଚାଷ କ୍ଷତିର ଅଧା ମଧ୍ୟ ଭରଣା କରୁନାହିଁ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଚାଷୀକୁ ମାଡ଼ି ବସିଛି। ପ୍ରଥମେ ମରୁଡି ଜନିତ କ୍ଷତି ସହିଲା ଚାଷୀ। ଯେଉଁ ଜମି ବଞ୍ଚିଥିଲା, ସେଥିରେ ଚକଡ଼ା ପୋକ ମାଡ଼ିଗଲା। ଶେଷରେ ଅଦିନିଆ ବର୍ଷା ଉପକୂଳ ଜିଲ୍ଲାର ଫସଲକୁ ବରବାଦ କରିଦେଇଛି। ହିସାବ କହୁଛି, ପାଖାପାଖି ୮ଲକ୍ଷ ୫୦ ହେକ୍ଟର ଜମିରେ ଚଳିତବର୍ଷ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଛି। ବାସ୍ତବତା ଏହାଠାରୁ ଅଧିକ ହୋଇପାରେ।

ସବୁଠାରୁ ଉଦ୍‌ବେଗର କଥା ହେଲା, ସରକାରଙ୍କ ଏ ଆକଳନ ଆଖିଦେଖା ରିପୋର୍ଟ ଉପରେ ପର୍ଯ୍ୟବେସିତ। ଫସଲ କଟା ରିପୋର୍ଟ ଆସିବା ପରେ କ୍ଷତିର ପରିମାଣ ବଢିବା ଆଶଙ୍କା ରହିଛି। ଗୋଟିଏ ପଟେ କ୍ୱିଣ୍ଟାଲ ପିଛା ଚାଷୀ ୭୯୪ ଟଙ୍କା କ୍ଷତି ସହୁଛି। କାରଣ ଏକ କ୍ୱିଣ୍ଟାଲ ଧାନ ଉତ୍ପାଦନ ପାଇଁ ଚାଷୀ ଖର୍ଚ୍ଚ କରୁଛି, କ୍ୱିଣ୍ଟାଲ ପିଛା ୨୩୪୪ ଟଙ୍କା। ହେଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ହେଉଛି କ୍ୱିଣ୍ଟାଲ ପ୍ରତି ୧୫୪୦ ଟଙ୍କା। ପୁଣି ରାଜ୍ୟ ସରକାର ଯେଉଁ ଇନ୍‌ପୁଟ୍‌ ସବ୍‌ସିଡି ଦେଉଛନ୍ତି, ତାହା ଚାଷୀର ଖର୍ଚ୍ଚର ଏକ ତୃତୀୟାଂଶ।

ଏପରିସ୍ଥଳେ ଚାଷୀ ବିଚଳିତ ହୋଇଯିବାରେ ଅସ୍ୱାଭାବିକତା କେଉଁଠି? ହେଲେ ଇନ୍‌ପୁଟ୍‌ ସବ୍‌ସିଡି ଅର୍ଥ ବୃଦ୍ଧି ଓ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଯେପରି ଟାଳଟୁଳ ନୀତି ଅବଲମ୍ବନ କରୁଛି, ରାଜ୍ୟ ସରକାର ସେପରି ଚାଷୀ ଆତ୍ମହତ୍ୟା ଘଟଣାକୁ ଫାଙ୍କି ଚାଲିଛନ୍ତି।

ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨୭ ତାରିଖ ମଧ୍ୟରେ ରାଜ୍ୟରେ ପାଖାପାଖି ୨୦ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବରଗଡ଼଼ର ବୃନ୍ଦା ସାହୁ ଠାରୁ ଆରମ୍ଭ କରି ମୟୂରଭଂଜର ଜଗଦିଶ ବେହେରା ପର୍ଯ୍ୟନ୍ତ ଚାଷୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟକୁ ସରକାର ସାର୍ବଜନୀନ ତ କରୁନାହାନ୍ତି, ଆତ୍ମହତ୍ୟାର କାରଣ ଭିନ୍ନ ବୋଲି ଦର୍ଶାଇ ଚାଷୀର କ୍ଷତରେ ଲୁଣଛିଟା ମାରୁଛନ୍ତି। କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଖିଙ୍କାରିଲା ଭଳି ମନ୍ତବ୍ୟ ଚାଷୀକୁ ଢେର୍‌ ବାଧିଲାଣି। ହେଲେ ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରହିବା ଲାଗି ମୁଖ୍ୟମନ୍ତ୍ରୀ କେବେ ତାଗିଦ୍‌ କରିନାହାନ୍ତି କି ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବା ଲାଗି ସରକାର ସାହସ ଦେଖାଇପାରିନାହାନ୍ତି।

ଚାଷୀକୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନସନ୍‌ ଦେବା ଲାଗି ନବନିର୍ମାଣ କୃଷକ ସଂଗଠନର ଦାବିକୁ ସରକାର ଗୁରୁତ୍ୱ ଦେବା ଏଯାଏ ଦେଖାଯାଇନାହିଁ। ପୂର୍ବରୁ ସେମାନଙ୍କ ଆନ୍ଦୋଳନକୁ ଭଣ୍ଡରୁ କରିବା ଲାଗି ମଧ୍ୟ ସରକାର କଳବଳ ପ୍ରୟୋଗ କରିଥିଲେ। ହେଲେ ଏ କ୍ଷେତ୍ରରେ ସତକଥାଟି ହେଉଛି, ଚାଷୀକୁ ଉପଯୁକ୍ତ ମୂଲ୍ୟ ଦେବାରେ ସରକାର ଯେମିତି ବିଫଳ, ବଜାର ଯୋଗାଇ ଦେବାରେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ଧୂଆଁବାଣ ସଦୃଶ ହୋଇଛି। ଶୀତଳଭଣ୍ଡାର ସ୍ୱପ୍ନ ହୋଇ ରହିଛି, ପ୍ରକୃତ ଚାଷୀକୁ ଚିହ୍ନଟ ପ୍ରକ୍ରିୟା ବି।

ଆତ୍ମହତ୍ୟା ଘଟଣା ହେଉ କି ସେମାନଙ୍କୁ ଆର୍ଥିକ ଦୁଃସ୍ଥିତିରୁ ରକ୍ଷା ଲାଗି ମୂଲ୍ୟ ବୃଦ୍ଧି ଘଟଣାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଚରଣ ସୂଚାଇ ଦେଉଛି ଯେ ଚାଷୀ ଓ ଚାଷ ପ୍ରତି ଉଭୟଙ୍କର ସମ୍ମାନ କେତେ। ଭୋଟ ବ୍ୟାଙ୍କ ବିଗିଡିଯିବା ଭୟରେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଥିବା ସବୁ ସଂଗଠନକୁ ସରକାର ଅଯାଚିତ ସାହାଯ୍ୟ ଓ ପ୍ୟାକେଜ୍‌ ଟେକି ଦେଉଥିବା ବେଳେ ସମସ୍ତଙ୍କୁ ଖାଦ୍ୟ ଦେଉଥିବା ଚାଷୀକୁ ପେନସନ୍‌ ଦେବା ଲାଗି ସରକାରଙ୍କର ପଛଘୁଞ୍ଚା କାହିଁକି? ଏ ପ୍ରଶ୍ନ ଏବେ ଚାଷୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଚାଷୀ ପ୍ରଶ୍ନ କରୁଛି ଯେ ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ, ଜମିକୁ ମାଗଣା ବିଦ୍ୟୁତ, ଦୁଆର ମୁହଁରେ ସାର ଓ କୀଟନାଶକ, ନୂତନ କିସମର ବିହନ ଦେବାରେ ସରକାରଙ୍କ ନୀତି କାମ କରୁଛି?

ଏପରିସ୍ଥିତିରେ ବିଧାନସଭା ଭିତରେ ଓ ବାହାରେ ତମ୍ବିତୋଫାନ ସେମାନଙ୍କ ସମସ୍ୟାକୁ କେତେ ପରିମାଣରେ ଲାଘବ କରିବ?

ସମ୍ବନ୍ଧିତ ଖବର