ଭଞ୍ଜନଗର: ଆଉ ଦିନ କେଇଟା ପରେ ଅମଳ ହେବ ଧାନ ଫସଲ। ବର୍ତ୍ତମାନ କ୍ଷେତରେ ପାଚିଲା ଧାନ ଲହଡି ମାରୁଛି। ଦେଖିଲେ ପେଟ ପୂରି ଯାଉଥିବା ବେଳେ ଚାଷୀର ହାଡ ଭଙ୍ଗା ପରିଶ୍ରମ ସ୍ପଷ୍ଟ ବାରି ହୋଇପଡୁଛି। ଚଳିତ ବର୍ଷ ଆରମ୍ଭରୁ ପ୍ରତିକୂଳ ପାଗ ସହ ମୌସୁମୀର ଲୁଚକାଳି ଖେଳ ଓ ଅନିୟମିତ ବର୍ଷା ଯୋଗୁ ବିଳମ୍ବରେ ହେଲେ ମଧ୍ୟ ଭଞ୍ଜନଗର ଓ ଆଖପାଖ ଇଲାକ‌ାରେ ଭଲ ଚାଷ ହୋଇଛି। ଲଘୁଚାପ ଜନିତ ବର୍ଷ ଚାଷ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିଥିବା ବ‌େଳେ ଚଳିତ ବର୍ଷ ଭଲ ଫସଲ ଅମଳ ହେବ ‌ବୋଲି ଚା‌ଷୀ ଆଶାବାଦୀ ରହିଛି। କିନ୍ତୁ ବର୍ତ୍ତମାନ କିଛି ଚାଷ ଜମିରେ ଚକଡା ପୋକ ଚାଷୀକୂଳକୁ ଚିନ୍ତାରେ ପକାଇ‌ ଦେଇଛି। ପ୍ରତିକୂଳ ପାଗ ସହ ବନ୍ୟଜନ୍ତୁଙ୍କ ଠାରୁ ଦିନରାତି ପରିଶ୍ରମ କରି ଫସଲକୁ ସୁରକ୍ଷା ଦେଇଥିବା ଚାଷୀ ବର୍ତ୍ତମାନ ଏହି ରୋଗ ଦାଉରୁ କିଭଳି ଫସଲ ସୁରକ୍ଷିତ ରଖିବ ସେଥି ପାଇଁ ସମସ୍ତ ପ୍ରୟାଶ ଆରମ୍ଭ କରିଦେଇଛି। ଏହାରା ନିରାକରଣ ପାଇଁ ‌କୃଷି ବିଭାଗ ସହାୟତା ଲୋଡା ଯାଇଥିବା ଚାଷୀ ପ୍ରକାଶ କରିଛନ୍ତି। ଅନ୍ୟପଟେ କିଛି ସ୍ଥାନରୁ ଏଭଳି ଅଭିଯୋଗ ଆସିଥିବା ବେଳେ ଭୟଭୀତ ହେଲା ଭଳି ପରିସ୍ଥିତି ଉପୁଜି ନାହିଁ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ଚାଷୀ ମାନଙ୍କ ମୁଖ୍ୟ ଫସଲ ଧାନ ଚାଷ ରହିଛି। ଚଳିତବର୍ଷା ବର୍ଷା ଭଲ ହୋଇଥିବାରୁ ଧାନ ଗଛ ମଧ୍ୟ ଭଲ ହୋଇଛି। କିନ୍ତୁ ସେହି ଧାନ ଫସଲରେ କିଛି ସ୍ଥାନରେ ମାଟିଆଗୁଣ୍ଡି ପୋକ ଲାଗି ଚକଡା ମାଡିଥିବା ନଜରକୁ ଆସିବା ପରେ ଚାଷୀ ଚିନ୍ତାରେ ପଡିଛନ୍ତି। ବ୍ଳକ୍‌ର ମୁଦୁଲିପଲ୍ଲୀ,କୁଲାଡ,ଗୋଲାପଡା,ଢିହପଢାଳ ଆଦି ପଞ୍ଚାୟତର ଅନେକ ଚାଷ ଜମିରେ ଚକଡା ମାଡିଥିବା ଅଭିଯୋଗ ଆସିଛି। ଏହି ପୋକ ଜମିର ମଧ୍ୟ ଭାଗରୁ ଆରମ୍ଭ ହେଉଥିବା ସହ ଧାନ ଗଛ ମୂଳରୁ ରସ ଶୋଷି ଖାଇ ଦେଉଥିବା ବେଳେ ପତ୍ର ଗୁଡିକ ହଳଦିଆ ‌ହୋଇ ଜମି ମଧ୍ୟରେ ଚକଡା ହୋଇ ଗଛ ମରିଯାଇଥାଏ। ଉକ୍ତ ରୋଗ ପ‌ୋକ ଦାଉରୁ ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀ ବିଚଳିତ ହୋଇପଡିଛନ୍ତି। ଏନେଇ କୃଷି ବିଭାଗ ପକ୍ଷରୁ ଏହି ଧାନ କ୍ଷେତ୍ର ବୁଲି ଦେଖିବା ସହ ଏହାର ପ୍ରତିକାର ପାଇଁ ଚାଷୀମାନ‌େ ପ୍ରକାଶ କରିଛନ୍ତି।

publive-image

ମାଟିଆଗୁଣ୍ଡି ରୋଗ ପୋକ ସଂର୍ପକରେ ଅଭିଯୋଗ ଆସିବା ପରେ କୃଷି ବିଭାଗ କର୍ମଚାରୀ ମାନେ ମଧ୍ୟ ତତ୍ପର ହୋଇ ଉଠିଛନ୍ତି। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରଶାନ୍ତ କୁମାର ପଣ୍ଡା,ସହକାରୀ କୃଷି ଅଧିକାରୀ ଦିବ୍ୟରଞ୍ଜନ ମାଝୀ ଏବଂ ଜଣେ କ୍ଷେତ୍ର ବିଶେ‌ଷଜ୍ଞ ଉକ୍ତ ଜମିକୁ ଯାଇ ଯାଞ୍ଚ କରିବା ସହ ଏହି ରୋଗ ପୋକ ଦାଉରୁ ଫସଲକୁ କିଭଳି ସୁରକ୍ଷା ଦିଆଯାଇ ପାରିବ ସେନେଇ ଚାଷୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଚକଡା ଲକ୍ଷଣ ଦେଖାଯିବା କ୍ଷଣି ଜମିରେ ପାଣି କାଟିବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରାୟତ ଏହି ପୋକ ଧାନ ଗଛ ମୂଳରେ ରହୁଥିବାର ବୁଦା ମୂଳ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଓ ବାୟୁ ଚଳାଚଳ ହେଲା ଭଳି ପରିସ୍ଥିତ ସୃଷ୍ଟି କରିବା ସହ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ଅନୁମୋଦିତ ବିଶୋଧନ ସିଞ୍ଚନ କରିବାକୁ କୃଷି ବିଭାଗ ପରାମର୍ଶ ଦେଇଛି। ବିଶୋଧନକୁ ୪୦ ଗ୍ରାମ ମାତ୍ରାରେ  ଏକ ୧୫ ଲିଟର ଟ୍ୟାଙ୍କ୍‌ରେ ମିଶଇ ଧାନ ଗଛର ମୂଳ ପର୍ଯ୍ୟନ୍ତ ସିଞ୍ଚନ କରିବାକୁ ଚାଷୀ ମାନଙ୍କୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମାଟିଆଗୁଣ୍ଡି ରୋଗ ‌ପୋକକୁ ନେଇ ଚିନ୍ତାକଲା ଭଳି ପରିସ୍ଥିତି ଉପୁଜିନଥିବା ବ‌େଳେ ସମସ୍ତ ଦିଗ ପ୍ରତି ତକ୍ଷ୍ନ ନଜର ରଖାଯାଇଥିବା କୃଷି ବିଭାଗ ପ୍ରକାଶ କରିଛି। ଧାନ ଅମଳ ପାଇଁ ଅଳ୍ପ ଦିନ ବାକି ରହିଥିବା ବ‌େଳେ ସର୍ତ୍ତକତା ଅବଲମ୍ବନ କରିବା ସହ ସଠିକ ସମୟରେ ଆବଶ୍ୟକ ବିଶୋଧନ ପ୍ରୟୋଗ କଲେ ଏହି ‌ରୋଗର ନିରକରଣ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।