ଜିଲ୍ଲାର ୧୦୩ ମଣ୍ଡିରେ ୧୫ରୁ ଧାନ କିଣା, ବେଆଇନ ଦେଖିଲେ କଡା କାର୍ଯ୍ୟାନୁଷ୍ଠାନ

ଧାନ କିଣା ବେଳେ ସିଲ ହେବ ଆନ୍ଧ୍ର ଓ ଛତିଶଗଡ଼ ସୀମା, ଜଗିବେ ରାଜସ୍ବ କର୍ମଚାରୀ

କୋରାପୁଟ: ଆସନ୍ତା ୧୫ ତାରିଖରୁ କୋରାପୁଟ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହେବ। ଏଥିପାଇଁ ଜିଲ୍ଲାରେ ୧୦୩ ଧାନ ମଣ୍ଡି ଖୋଲାଯିବ। ଧାନ କିଣାବେଳେ ପଡୋଶୀ ଆନ୍ଧ୍ର ଓ ଛତିଶଗଡ଼ ସୀମା ସିଲ ହେବ। ସୀମାନ୍ତରେ ମାସେ ରାଜସ୍ବ କର୍ମଚାରୀ ଜଗି ଯାଞ୍ଚ କରିବେ ବୋଲି ଶନିବାର ଅନୁଷ୍ଠିତ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ବେଆଇନ କାର୍ଯ୍ୟ ଦେଖିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ, ଚଳିତବର୍ଷ ୩୬,୯୪୬ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ଗତବର୍ଷ ୩୪,୪୦୦ ଚାଷୀ ପଞ୍ଜିକରଣ କରିଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୨୫୪୬ ବଢ଼ିଛି। ପଞ୍ଜିକରଣ କରିଥିବା ଚାଷୀଙ୍କ ପାଖରୁ ଧାନ କିଣାଯିବାକୁ ସ୍ଥିର ହୋଇଛି। ଏଥିପାଇଁ କୋରାପୁଟ ଉପଖଣ୍ଡରେ ୨୬, ଜୟପୁର ଉପଖଣ୍ଡରେ ୭୭ ମଣ୍ଡି ଖୋଲାଯିବ। ଜିଲ୍ଲାକୁ ପ୍ରାଥମିକ ପର୍ଯ୍ୟାୟରେ ୨୨ ଲକ୍ଷ ୪୬ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି। ଚଳିତବର୍ଷ ଧାନର ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଗ୍ରେଡ ଏ’ ମାନର ଧାନ ଦର କୁଇଣ୍ଟାଲ ପ୍ରତି ଦର ୧୯୬୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ମଣ୍ଡିକୁ ଚାଷୀ ଆଣୁଥିବା ସମସ୍ତ ଧାନ କିଣା ହେବ। ତେବେ ଏହା ଏଫଏକ୍ୟୁ ମାନର ହୋଇଥିବା ଆବଶ୍ୟକ। ଚାଷୀଙ୍କୁ ସଚେତନ କରାଯାଇ କେବଳ ମଣ୍ଡିରେ ଧାନ ବିକିବା ପାଇଁ କୁହାଯିବ। ଚାଷୀମାନେ ଯେମିତି ଦଲାଲ ହାବୁଡରେ ନପଡିବେ ସେହି ଦିଗ ପ୍ରତି ସଜାଗ ରହିବ ପ୍ରଶାସନ।

ଗୋଟିଏ ମଣ୍ଡିରେ ଦୈନିକ ୩ ହଜାର କୁଇଣ୍ଟାଲ ଧାନ କିଣା ହେବ। ଡିସେମ୍ବର ମାସରେ ଦୈନିକ ୫ହଜାର କୁଇଣ୍ଟାଲ ଧାନ କିଣିବାକୁ ନିଷ୍ପତ୍ତି ହୋଇଛି।  ଜଣେ ଚାଷୀ ଦିନକୁ କେତେ ବିକିପାରିବେ ସେଥିନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ କରାଯିବ। ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଯୋଗ୍ୟ ଚାଷୀଙ୍କୁ ବାଦ ଦେଇଛି ଜିଲ୍ଲା ପ୍ରଶାସନ । ପ୍ରାୟ ୧୬୫୦ ଅଯୋଗ୍ୟ ଚାଷୀଙ୍କୁ ଫିଲ୍ଡ ସର୍ଭେ ଓ ସାଟେଲାଇଟ ଇମେଜ ସହାୟତାରେ ସେମାନଙ୍କୁ ବାଦ ଦିଆଯାଇଛି । ଖରିଫ ଓ ରବି ଋତୁରେ ଏହି ଚାଷୀଙ୍କଠାରୁ ୭୧ ହଜାର ଟନ୍ ଧାନ କିଣୁଥିଲା ପ୍ରଶାସନ । ଏହାକୁ ବନ୍ଦ କରାଯାଇଛି। କୌଣସି ଚାଷୀ ଅସଦ ଉପାୟ ଅବଲମ୍ବନ କଲେ ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଗତବର୍ଷ ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚଳିତବର୍ଷ ମଣ୍ଡି ଭିତ୍ତିଭୂମିକୁ ପୂର୍ବରୁ ସଜାଡ଼ିବାକୁ ଚାଷୀମାନେ ପ୍ରାରମ୍ଭରେ ଅଭିଯୋଗ କରିଥିଲେ। ଏଥିରେ ସୁଧାର ଆସିଯିବ ବୋଲି କୁହାଯାଇଥିଲା। ତେବେ ଚଳିତବର୍ଷ ଯେଉଁ ଟାର୍ଗେଟ ମିଳିଛି ପରବର୍ତ୍ତୀ ସମୟରେ ତାହାକୁ ବୃଦ୍ଧି କରାଯିବ।

ଧାନ କିଣାବିକା ପରେ ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଚାଲିଯିବ। ଧାନ କିଣାରେ ଜାଲିଆତି କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଚାଷୀଙ୍କୁ କେହି ଠକିଲେ କିମ୍ବା ବେଆଇନ ଭାବେ ଧାନ କିଣାବିକା କରୁଥିବା ଲୋକଙ୍କୁ ଛଡାଯିବ ନାହିଁ। ଧାନ କିଣାବିକାରେ ବ୍ୟାପକ ବ୍ୟବସ୍ଥା କରାଯିବାକୁ ଜୟପୁର ଓ କୋରାପୁଟ ଆରଏମସିକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ସାଂସଦଙ୍କ ପ୍ରତିନିଧି, ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ଓ  ବେସାମରିକ ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର