ଗଡ଼ିଘାଟି ପଞ୍ଚାୟତରେ ୪୦ ହାତୀ, ଉଜାଡ଼ିଲେ ଧାନଫସଲ

ଗାଁଅମର୍ଦା : ରାସଗୋବିନ୍ଦପୁର ବ୍ଲକ ଅମରଦା ଝାଟିଗଡ଼ା ଗଡ଼ିଘାଟି ପଞ୍ଚାୟତରେ ମାତିଛନ୍ତି ୪୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀପଲ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ରାଇବଣିଆ, ଖୁଆଡ଼, ଅମ୍ବତୁମ୍ୱା ଜଙ୍ଗଲରେ କିଛି ଦିନ ରହିବା ପରେ ଏହି ହାତୀପଲ ରାସଗୋବିନ୍ଦପୁର ବ୍ଲକ ଝାଟିଗଡ଼ା ପଞ୍ଚାୟତର କିଆଖାଲି, ହରିନାଶୋଲ, ଟୁପୁରା, ଟିକପଡ଼ା, ନୂଆସାହି, ଦୁଆରସୁଣୀ, ଗୋପୀନାଥପୁର, ପୂର୍ଣ୍ଣଚନ୍ଦ୍ରପୁର, ପ୍ରହରାଜପୁର, ବଣକାଟି ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି।

ହାତୀପଲ ଘର ଭାଙ୍ଗି ଧାନଚାଉଳ ଖାଇଯିବା ସହ ଡାଳୁଅ ଧାନଫସଲ ଓ ବାଡ଼ିବଗିଚାରୁ ପନିପରିବା ଉଜାଡ଼ି ଦେଇଛନ୍ତି। ଆଜି ଦିନତମାମ ପ୍ରହରାଜପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ୧୪ ଏକର ଜାଗାରେ ଲଗାଯାଇଥିବା ନଡ଼ିଆ, ଆମ୍ବ, ପଣସ ଗଛ ଭାଙ୍ଗି ଛାଇ ଜାଗାରେ ଶୋଇଥିଲେ। ପାଖାପାଖି ୨ ହଜାର ଲୋକ ହାତୀ ଦେଖିବା ପାଇଁ ସେଠାରେ ରୁଣ୍ଡ ହୋଇଥିଲେ। ଅପରାହ୍ନ ୪ଟାରେ ବନ କର୍ମଚାରୀମାନେ ବାଣ ଫୁଟାଇ ହାତୀପଲଙ୍କୁ ଘଉଡ଼ାଇଥିବା ଜଣାପଡ଼ିଛି। ତେବେ ଯିବା ସମୟରେ ବଣକାଟି, ଗଡ଼ିଘାଟି, ବାଲିଆପିଟା ଗାଁର ଶହଶହ ଏକର ଜମିରେ ହୋଇଥିବା ଡ଼ାଳୁଅ ଧାନଫସଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି ହାତୀପଲ। କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ ବିଭାଗ କ୍ଷତିପୂରଣ ଦେବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର