କଟକ : କଟକ ଜିଲ୍ଲାର ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ି ରହିଛି ପାଣି ଭିତରେ। ଆଗକୁ ସପ୍ତାହେ ଯାଏ ପାଣି ଛାଡିବା ଆଶା କ୍ଷୀଣ। ଚାଷ ହୋଇଥିବା ପନିପରିବା ପାଣି ଭିତରେ ସଢିଗଲାଣି। ଅନ୍ୟପଟେ ଚାଷ ଜମିରେ ନାଗାଦଳ ମାଡ଼ି ଯିବା ଫଳରେ ଯେଉଁ କିଛି ସ୍ଥାନରେ ପାଣି ଛାଡୁଛି, ସେଠାରେ ବି ପନିପରିବା ଚାଷ ନିକଟରେ ହେବା ସମ୍ଭାବନା ନାହିଁ। ଏଭଳି ସ୍ଥିତି ବାଙ୍କୀ ଓ ଡମପଡା ବ୍ଲକ୍, ଆଠଗଡ଼ର କଖଡି, ମଂଚେଶ୍ବର, ତିଗିରିଆ, ବଡମ୍ବା ଓ ନରସିଂହପୁରର ଅନେକ ଗାଁରେ ସୃଷ୍ଟି ସୃଷ୍ଟି ହୋଇଛି। ଏହି ସବୁ ଅଞ୍ଚଳକୁ କଟକ ଜିଲ୍ଲାର ପରିବା ଝୁଡ଼ି କୁହାଯାଉଥିବା ବେଳେ ଆଗକୁ କଟକ-ଭୁବନେଶ୍ବର ତଥା ଆଖପାଖ ଅଞ୍ଚଳରେ ପରିବା ଅମୂଲମୂଲ ହେବା ଆଶଙ୍କା ସୃଷ୍ଟି ହୋଇଛି।
ସରକାରୀ ରିପୋର୍ଟ କହୁଛି କଟକ ଜିଲ୍ଲାରେ ପାଖାପାଖି ୪୦ହଜାର ହେକ୍ଟର ଚାଷ ଜମି ଏବେ ବି ପାଣି ଘେରରେ ରହିଛି। ସେଥିରୁ ଧାନ ଜମି ହେଉଛି ପାଖାପାଖି ୩୦ହଜାର ଓ ଅଣଧାନ ହେଉଛି ୧୦ହଜାର ହେକ୍ଟର। କୃଷି ବିଭାଗ ରିପୋର୍ଟ ଅନୁସାରେ ବାଙ୍କୀ ବ୍ଲକ୍ରେ ୮ହଜାର ୫୦୦ ହେକ୍ଟର ଚାଷ ଜମି ପାଣି ଭିତରେ ରହିଥିବାବେଳେ ସେଥିରୁ ୫୬୦୦ ହେକ୍ଟର ଧାନ ଓ ୨୮ଶହ ହେକ୍ଟର ଅଣଧାନ। ବାଙ୍କୀ-ଡମପଡା ବ୍ଲକ୍ରେ ୮୮୨୫ ହେକ୍ଟର, ବଡମ୍ବାରେ ୩୯୧୩, ନରସିଂହପୁରରେ ୩୫୭୦ ହେକ୍ଟର, ଆଠଗଡ଼ରେ ୧୯୫୧, ତିଗିରିଆରେ ୧୬୯୭, କଟକ ସଦରରେ ୧୨୯୪, କଣ୍ଟାପଡା ୧୦୬୦, ନିଆଳି ୨୫୪୩,ବାରଙ୍ଗରେ ୨୦୦, ଟାଙ୍ଗୀ-ଚୌଦ୍ବାରରେ ୬୧୬, ନିଶ୍ଚିନ୍ତକୋଇଲିରେ ୧୫୭୪ ହେକ୍ଟର ଚାଷ ଜମି ଏବେ ପାଣି ଭର୍ତ୍ତି ହୋଇ ରହିଥିବା ଦର୍ଶାଯାଇଛି। କିନ୍ତୁ ସରକାରୀ ରିପୋର୍ଟଠାରୁ ଢେର ଅଧିକ ଜମି ଏବେବି ପାଣି ଘେରରେ ରହିଛି। ପାଣି ନିଷ୍କାସନ ହୋଇପାରୁନି। ଯଦିଓ ବର୍ଷା ପାଣି ଛାଡିବା ପରେ କୃଷି ବିଭାଗ ତାର ସଂପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଦେବ, ହେଲେ ଏବର ସ୍ଥିତି ଅନୁଯାୟୀ ଅଞ୍ଚଳରେ ହୋଇଥିବା କଲରା, ଜହ୍ନି, ପୋଟଳ, ବୋଦି, ଭେଣ୍ଡି, ଛଚିନ୍ଦ୍ରା, ବାଇଗଣ, ଟମାଟୋ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି।
କୁଶପଙ୍ଗୀ ଗାଁର ଚାଷୀ ବକୁଳି ନାଏକ ୨୦ ଗୁଣ୍ଠ ଜମିରେ ପୋଟଳ, କଲରା, ବୋଦି ଲଗାଇଥିଲେ। ଫଳିବା ସମୟ ବି ହୋଇଥିଲା, ଏବେ କିନ୍ତୁ ସବୁନଷ୍ଟ। ସେହିପରି ବିଭୂତି ଭୂଷଣ ରଣା ପନ୍ଦର ଗୁଣ୍ଠ ଜମିରେ କଲରା, ପୋଟଳ, ଭେଣ୍ଡି, ଛଚିନ୍ଦ୍ରା ଚାଷ କରିଥିଲେ। ଏବେ ଚାଷ ଜମିରେ ୫ଦିନ ହେଲା ୧୦ଫୁଟ ପାଣି। ଯାହା ଥିଲା ସବୁ ଧୋଇ ନେଇଛି। ଧାନ ଚାଷର ସ୍ଥିତି ବି ସମାନ। ଏବର୍ଷ ବର୍ଷା ଅଭାବ ଯୋଗୁଁ ଚାଷ ବିଳମ୍ବରେ ଆରମ୍ଭ ହୋଇଥିବାବେଳେ ଯାହା ତଳି ରୋପଣ କରାଯାଇଥିଲା ତାହା ସବୁ ପାଣିରେ ପଚିସଢି ଯିବା ଆଶଙ୍କା କରାଯାଉଛି।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ଦାଶ କହିବା ଅନୁଯାୟୀ ପାଣି ନଛାଡିବା ପର୍ଯ୍ୟନ୍ତ ଫସଲର ପ୍ରକୃତ କ୍ଷୟକ୍ଷତି ଆକଳନ କରି ହେବନି। ଜିଲ୍ଲାର ୬ଟି ବ୍ଲକ୍ ଅର୍ଥାତ୍ ଆଠଗଡ଼, ବଡ଼ମ୍ବା, ନରସିଂହପୁର, ତିଗିରିଆ, ବାଙ୍କୀ-ଡମପଡା, ନିଆଳି ବ୍ଲକ୍ରେ ହେକ୍ଟର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି। ଧାନ ଫସଲ ସହ ପନିପରିବା ସବୁ ନଷ୍ଟ ହେବାର ଆଶଙ୍କା ରହିଛି। ଆଠଗଡ଼, ନିଆଳି ତଥା ଅନ୍ୟ ଅଞ୍ଚଳରେ ବି ଏବେ ଚାଷ ଜମି ପାଣିରେ ବୁଡ଼ି ଥିବା ସେ ସୂଚନା ଦେଇଛନ୍ତି।