ଯାଜପୁରସଦର : ଚାଷ ଜମିରେ ଲୁଣାପାଣି ମାଡ଼ି ଯିବାରୁ ଡାଳୁଅ ଧାନ ଫସଲ ନଷ୍ଟ ହୋଇଯାଇଛି। ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଦଶରଥପୁର ବ୍ଲକ୍ ଅନ୍ତର୍ଗତ ୭ଟି ପଞ୍ଚାୟତର ଚାଷୀମାନେ ଏନେଇ ସୋମବାର ଦିନ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।
ବ୍ଲକ୍ର କୟାଁ, କମାରଡିହ, ଖାନନଗର, ନିଜାମପୁର, ଦତ୍ତପୁର, ଥାଲକୁଡ଼ି ଓ ଦୁଦୁରାଅଣ୍ଟାର ଚାଷୀମାନେ ମୁଖ୍ୟତଃ ଡାଳୁଅ ଧାନ ଉପରେ ନିର୍ଭର କରିଥାନ୍ତି। ବୈତରଣୀ ନଦୀରେ ଆସୁଥିବା ଜୁଆର ପାଣିକୁ ପମ୍ପ ମାଧ୍ୟମରେ ଉଠାଇ ଜଳସେଚନ କରାଯାଇଥାଏ। ବର୍ତ୍ତମାନ ନଦୀ ଜଳ ଲୁଣିଆ ହୋଇଯାଇଥିବାରୁ ତାହା ଚାଷ ଜମିକୁ ନଷ୍ଟ ହୋଇଯାଉଛି। ଗତ ବନ୍ୟା ଫଳରେ ଲୁଣି ପାଣି ଆସି ଖରିଫ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ ଚାଷୀମାନେ ସର୍ବସ୍ଵାନ୍ତ ହୋଇଥିଲେ। ଏବେ ଚାଷୀମାନେ ରବି ଫସଲକୁ ଚାହିଁ ରହିଛନ୍ତି। ହେଲେ ବୈତରଣୀ ନଦୀର ତଳମୁଣ୍ଡ ଜଳ ସମ୍ପୂର୍ଣ୍ଣ ଲୁଣା ହୋଇଯାଇଥିବାରୁ ଚାଷ ନଷ୍ଟହେବାର ଆଶଙ୍କା ସୃଷ୍ଟି ହୋଇଛି।
ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ କ୍ଷତିଗ୍ରସ୍ତ ଚାଷୀମାନେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ରୁଢିଆ ଠାରେ ଥିବା ଆନିକଟ୍ ଗେଟ୍ ବନ୍ଦ କରି ଆଖୁଆପଦା ନିକଟରେ ପାଣି ଛାଡ଼ିଲେ ଧାନ ଫସଲ ରକ୍ଷା ହୋଇପାରନ୍ତା ବୋଲି ଚାଷୀମାନେ କହିଛନ୍ତି। ଏଥିପ୍ରତି ଦୃଷ୍ଟି ନଦେଲେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jajapur-farmer.jpg)