ବିଲରେ ପାଣି, ହଜାର ହଜାର ହେକ୍ଟର ଫସଲ ନଷ୍ଟ : ଯାହା ବଳିବ ପୋକ ଚରିଯିବେ!

ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେବ, ରୋଗପୋକ ମାରିବାକୁ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ, ଅଗଷ୍ଟ ୩୧ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ

ଭୁବନେଶ୍ବର : ପୁରୀ ଜିଲ୍ଲାରେ ହଜାରେ ହେକ୍ଟରରୁ ଅଧିକ ଧାନ ଜମିରେ ଏବେ ପାଣି ମାଡ଼ି ଯାଇଛି। ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ଶହଶହ ଏକର ଜମିରେ ଏବେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି। ଯେଉଁଠି ପାଣି ଛାଡ଼ିଲାଣି ସେଠାରେ ବିଲରେ ଆଉ ରୁଆ ହୋଇଥିବା ତଳି ନାହିଁ। ପନିପରିବା ଗଛ ମୂଳ ସଢ଼ି ମାଟିରେ ପଡ଼ିଲାଣି। କେବଳ ଏହି ଦୁଇଟି ଜିଲ୍ଲା ନୁହେଁ, କଟକ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ନୟାଗଡ଼, ନୂଆପଡ଼ା, ସୋନପୁରରେ ବି ସ୍ଥିତି ସଙ୍ଗିନ। ବନ୍ୟାରେ ଜନଜୀବନ ଯେତିକି କ୍ଷତି ହୋଇନି ତାହାର ବହୁଗୁଣା ଫସଲ ଉଜୁଡ଼ିଗଲାଣି। ଏପଟେ ଆଗକୁ ସପ୍ତାହକ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଲାଣି।

ଏହିଭଳି ସ୍ଥିତି ସୂଚାଇ ଦେଲାଣି ଆଗକୁ ରାଜ୍ୟରେ ବ୍ୟାପକ ଫସଲ ହାନି ହେବ। କେବଳ ଏତିକି ନୁହେଁ ବିଲରୁ ପାଣି ଛାଡ଼ୁ ଛାଡ଼ୁ ଯାହା ବଞ୍ଚିଥିବ ‌ତାକୁ ବି ପୋକ ଖାଇଯିବେ। ଚଳିତବର୍ଷର ବନ୍ୟା ଏବେ ଯେତିକି କ୍ଷତି କରୁଛି ବୋଲି ଦେଖାଯାଉଛି ଆଉ କିଛି ଦିନ ପରେ ଏହାର ବିଭୀଷିକା ଜଳ ଜଳ ଦିଶିବ। ବନ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେବ ବୋଲି କୃଷି ବିଶେଷଜ୍ଞ ଆକଳନ କରିସାରିଲେଣି। ବନ୍ୟା ଛାଡ଼ୁଛାଡ଼ୁ ଯଦି ସରକାର ତୁରନ୍ତ ପ୍ରତିଷେଧକମୂଳକ ପଦକ୍ଷେପ ନନିଅନ୍ତି ତେବେ ରୋଗ ପୋକ ସବୁ ଉଜାଡ଼ିଦେବ।

କୃଷି ବିଜ୍ଞାନୀ ତଥା ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବନ୍ୟା ଯୋଗୁଁ ଏବେ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଯେଉଁ ତଳି ରୁଆ ହେବାର ୭ଦିନ ହୋଇଯାଇଥିବ ସେଗୁଡ଼ିକ ନଷ୍ଟ ହେବାର ସମ୍ଭାବନା କମ୍‌। କିନ୍ତୁ ତାହା ଧାନର କିସମ ଉପରେ ନିର୍ଭର କରୁଛି। ସ୍ବର୍ଣ୍ଣ ଶବୁଆନ କିସମ ଧାନ ଗଛ ପାଣିରେ ୧୪ଦିନ ବୁଡ଼ିକି ରହିଲେ ବି ବଞ୍ଚିବ। ଦେଶୀ ଧାନ ଗଛ ବି ୭ଦିନ ଯାଏଁ ପାଣିରେ ବୁଡ଼ିକି ରହିଲେ ବଞ୍ଚିବ। କିନ୍ତୁ ଅଧିକ ଅମଳକ୍ଷମ ଧାନ ନଷ୍ଟ ହେବା ଥୟ। ମାତ୍ର ତିନି ଦିନ ଏହା ପାଣିରେ ବୁଡ଼ିକି ରହିପାରିବ। ଏବେ ଅଧିକାଂଶ ଚାଷୀ ଅଧିକ ଅମଳକ୍ଷମ ଧାନ କରୁଥିବାରୁ ବହୁ ଚାଷୀ ବନ୍ୟା ଦ୍ବାରା ପ୍ରଭାବିତ ହେବେ। ଏବେବି ବହୁ ସ୍ଥାନରେ ତଳି ରୁଆଁ ହେଉଥିବାରୁ ଏବଂ ହେବାକୁ ଥିବାରୁ ଏଗୁଡ଼ିକ ପାଣିରେ ଧୋଇଯିବାର ସମ୍ଭାବନା ଅଧିକ।

ସବୁଠୁ ଅଧିକ ବାଧିବ ବନ୍ୟା ପରର ସ୍ଥିତି। କାରଣ ଯେଉଁମାନେ ବିଲରେ ସାର ପକାଇଥିଲେ ବର୍ଷା ତାକୁ ଧୋଇଦେଇଛି। ଏହାପରେ ରୋଗ‌ ପୋକର ସମ୍ଭାବନା ବଢ଼ି ଯାଇଛି। ସ୍ବାର୍ମିଂ କ୍ୟାଟରପିଲାର ଏବଂ ଆର୍ମି ୱାର୍ମ ଭଳି ପୋକଗୁଡ଼ିକ ଧାନ ସମେତ ତୈଳବୀଜ ଓ ଡାଲି ଜାତୀୟ ଫସଲଗୁଡ଼ିକୁ ଅଧିକ ନଷ୍ଟ କରିବେ। ଏହା ଏମିତି ଏକ ପୋକ ଏହାକୁ ସମୂହ ଭାବେ ନାଶ ନକଲେ ପୂରା ଅଞ୍ଚଳର ଫସଲ ଉଜାଡ଼ିଦେବେ। ଯଦି ଗୋଟିଏ ଚାଷୀ ଧାନ ବିଲରେ କୀଟନାଶକ ପକାଇବ ତେବେବି ସେ ଏହି ପୋକ ପ୍ରଭାବରୁ କ୍ଷେତକୁ ବଞ୍ଚାଇ ପାରିବନି। ସାମୂହିକ ଭାବେ ପୋକ ଦମନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ଦରକାର। ରାଜ୍ୟ ସରକାର ଏଥିପାଇଁ ଯୋଜନା ପ୍ରସ୍ତୁତ କରି ବିଲରୁ ପାଣି ଛାଡ଼ୁଛାଡ଼ୁ ପଦକ୍ଷେପ ନେବା ଦରକାର।

କେବଳ ଧାନ କି ଶସ୍ୟଜାତ ଫସଲ ନୁହେଁ ପରିବା ଓ ଫଳ ଚାଷ ବି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ବନ୍ୟା ପରେ କାଣ୍ଡ ସଢ଼ା ଓ ଫଳପୋଚା ପୋକ ବଢ଼ିବାକୁ ଥିବାରୁ ଏଥିରେ ପରିବା ଚାଷ ବଞ୍ଚାଇବା ଚାଷୀ ପାଇଁ କଷ୍ଟକର ହୋଇପଡ଼ିବ।

ବନ୍ୟା ପାଣି ବିଲରେ ପାଣି ମାଡ଼ି ଯିବା ପରେ ସରକାର ଏବେ ସବୁ ଜିଲ୍ଲାପାଳଙ୍କୁ ବନ୍ୟା କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି। ଏସ୍‌ଆରସି ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ବନ୍ୟାରେ କେତେ ଜନଜୀବନ କ୍ଷତି ହୋଇଛି, କେତେ ଫସଲ ଧୋଇଯାଇଛି ତା’ର ରିପୋର୍ଟ ଅଗଷ୍ଟ ୩୧ତାରିଖ ସୁଦ୍ଧା ଦେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ମିଳିବା ପରେ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର