କୋଟିପତି ବାପ-ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍‌ସର ଏସ୍‌ଆଇଟି

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଚାର ବିଭାଗୀୟ ହାଜତରେ ଥିବା କୋଟିପତି ବାପ-ପୁଅ, ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିଛି ଭିଜିଲାନ୍‌ସର ଏସ୍‌ଆଇଟି। ଗିରଫ ପରେ ୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କର ପୁଅ ଆକାଶ ପାଠକକୁ ତିନିଦିନିଆ ରିମାଣ୍ଡରେ ଅଣାଯାଇଛି। ତିନିଦିନ ଧରି ଭିଜିଲାନ୍‌ସର ଏସ୍‌ଆଇଟି ଉଭୟଙ୍କୁ ମାରାଥନ ଜେରା କରିବ।

୫ ଦିନ ରିମାଣ୍ଡରେ ଆଣି ପଚରା ଉଚରା କରିବା ପାଇଁ ସ୍ୱତନ୍ତ୍ର ଭିଜିଲାନ୍‌ସ୍‌ କୋର୍ଟରେ ଏସ୍‌ଆଇଟି ଆବେଦନ କରିଥିଲା। ତେବେ ତିନିଦିନ ପାଇଁ ଏହି ରିମାଣ୍ଡ ମଞ୍ଜୁରି ମିଳିଛି। ଉଭୟଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରିବା ପାଇଁ ସ୍ଥିର ହୋଇଛି। ଜେରାରେ ପଚରାଉଚରା ପାଇଁ ଏକାଧିକ ପ୍ରଶ୍ନ ପ୍ରସ୍ତୁତ କରିଛି ଭିଜିଲାନ୍‌ସ। ଅନ୍ୟପଟେ ମୋଟାଅଙ୍କର ଅର୍ଥ କାରବାରର ତଦନ୍ତ ପାଇଁ ଭିଜିଲାନ୍‌ସ ଇଡି ଓ ଆୟକର ବିଭାଗକୁ ଚିଠି ଲେଖିଛି।

ତିନିଦିନ ଧରି ମାରାଥନ୍‌ ଜେରା ହେବେ କୋଟି ପତି ବାପ-ପୁଅ। ବାପାଙ୍କ କଳାକାରନାମାର ଗୁମର ଖୋଲିବା ସହ ପୁଅ ଆକାଉଣ୍ଟରେ ୧୪ କୋଟି ୭୭ଲକ୍ଷ ଟଙ୍କା ଜମାର ରହସ୍ୟ ମଧ୍ୟ ଖୋଜିବ ଏସ୍‌ଆଇଟି। ତେବେ କେବଳ ପୁଅ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଜମା ହୋଇଥିବା ପ୍ରମାଣ ମିଳିଥିବା ବେଳେ ଆଉ କେଉଁ ସମ୍ପର୍କୀୟଙ୍କ ଆକାଉଣ୍ଟରେ ଏଭଳି ମୋଟା ଅଙ୍କର ଟଙ୍କା ଜମା ହୋଇଥିବା ଏସ୍‌ଆଇଟି ତଦନ୍ତ କରୁଛି। ଏଣୁ ଏ ବାବଦରେ ପଚରା ଉଚରା କରାଯିବ।

ସମ୍ବନ୍ଧିତ ଖବର