କୋଟିପତି ଗଞ୍ଜେଇ ମାଫିଆ ଗିରଫ; ନଗଦ ୬ ଲକ୍ଷ ଟଙ୍କା, ୨ଟି କାର୍‌, ୬ ମୋବାଇଲ୍‌ ଜବତ

ଉଦଳା-୧/କପ୍ତିପଦା/ଶାଳଚୁଆ : ଗତକାଲି ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଓ କପ୍ତିପଦା ପୁଲିସକୁ ମିଳିଥିଲା ବଡ଼ ସଫଳତା। ଉଭୟ ଟିମ୍‌ର ମିଳିତ ଚଢ଼ଉ ବେଳେ ୪୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ସହ ଧରାପଡ଼ିଥିଲା କୁଖ୍ୟାତ ଗଞ୍ଜେଇ ମାଫିଆ ଶରତ ନାଏକ(୪୫)। ଶରତକୁ ତାର କପ୍ତିପଦା ଥାନା ନୁଦଡିହା ପଞ୍ଚାୟତ କୟାଁଖୁଣ୍ଟା ଗ୍ରାମରେ ଥିବା ଘରୁ କାବୁ କରିଥିଲା ପୁଲିସ। ପରେ ଉଦଳା ଏନ୍‌ଏସିରେ ଥିବା ଘରେ ଚଢ଼ଉ କରି ସେଠାରୁ ବି ବିପୁଳ ଗଞ୍ଜେଇ ଜବତ କରିଥିଲା। ଗତକାଲି ବିଳମ୍ବିତ ରାତି ଯାଏ ପୁଲିସର ଚଢ଼ଉ ଜାରି ରହିଥିବା ବେଳେ ଶରତଠାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଉପରକୁ ଭଦ୍ର ଜଣାପଡ଼ୁଥିବା ଶରତ କେମିତି ଭିତରେ ଭିତରେ ଗଞ୍ଜେଇ ବ୍ୟବସାୟ କରି କୋଟିପତି ପାଲଟି ଯାଇଥିଲା ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଗୁମର ଖୋଲୁଛନ୍ତି ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ଓ ଏସ୍‌ପି ସ୍ମିତ୍‌. ପି ପରମାର୍‌।

କିଛି ବର୍ଷ ପୂର୍ବରୁ ନୁଦଡିହା ଛକରେ ଏକ ଚପଲ ଦୋକାନ କରି ଚଳୁଥିଲା ଶରତ। ତେବେ ଗତ ୨ ବର୍ଷ ହେଲା କଲିକତାର ଏକ ଘରୋଇ ସଂସ୍ଥାରେ ଉଚ୍ଚ ପଦରେ ଚାକିରି କରୁଥିବା ସମସ୍ତଙ୍କୁ କହି ବୁଲୁଥିଲା। ଇତିମଧ୍ୟରେ କୟାଁଖୁଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ସାରି ଘର ତୋଳିବା ସହ ଉଦଳା ଏନ୍‌ଏସି ୱାର୍ଡ ନଂ. ୩ ଅଞ୍ଚଳରେ ବି ଏକ ଘର କିଣିଥିଲା। ଏକାଧିକ କାର୍‌ ରଖିବା ସହ ବିଳସପୂର୍ଣ୍ଣ ଜୀବନ ବିତାଉଥିଲା ଶରତ। ତେବେ ବର୍ଷ କେଇଟା ଭିତରେ ଏତେ ସମ୍ପତ୍ତିବାଡ଼ି କରିବା ସହ ରଙ୍ଗୀନ ଜୀବନଶୈଳୀ ହିଁ ତାକୁ ପୁଲିସର ସନ୍ଦେହ ଘେର ଟାଣି ନେଇଥିଲା। ଗତ ୬ ମାସ ହେଲା ତା ଉପରେ ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ନଜର ରଖିଥିଲା। ତେବେ ଗାଁ ଘର ଓ ଉଦଳାସ୍ଥିତ ଘରେ ବିପୁଳ ଗଞ୍ଜେଇ ମହଜୁଦ ରଖିଥିବା ଖବର ପାଇ ଗତକାଲି ଉଭୟ ଘରେ ଚଢ଼ଉ କରିଥିଲା ପୁଲିସ। କୟାଁଖୁଣ୍ଟାସ୍ଥିତ ଘରୁ ୧୦୦ଟି ଛୋଟ ପ୍ୟାକେଟ ଓ ଉଦଳାସ୍ଥିତ ଘରୁ ୧୬ଟି ବଡ଼ ପ୍ୟାକେଟ (ସାଢ଼େ ୪ କ୍ବିଣ୍ଟାଲରୁ ଊର୍ଧ୍ବ ଗଞ୍ଜେଇ) ଜବତ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କରୁ ଊର୍ଦ୍ଧ୍ୱ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀ ପଟ୍ଟନାୟକ। ସେହିପରି ତା ଘରୁ ନଗଦ ୫ ଲକ୍ଷ ୯୧ ହଜାର ଟଙ୍କା, ୬ଟି ମୋବାଇଲ ଫୋନ୍‌, ଏକ ସୁଇଫ୍ଟ ଡିଜାୟାର କାର୍‌ (ଡବ୍ଲୁବି-୧୨ସି-୯୧୭୧), ୱାଗନର କାର୍‌ (ଡବ୍ଲୁବି-୦୬ବି-୦୧୭୬), ବିଭିନ୍ନ ବ୍ୟାଙ୍କର ଏକାଧିକ ଏଟିଏମ୍‌ କାର୍ଡ, ପାସ୍‌ବହି ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ ହୋଇଛି। କପ୍ତିପଦା ପୁଲିସ କେସ୍ ନଂ ୯୫/୨୧ରେ ମାମଲା ରୁଜୁ କରି ଅଭଯୁକ୍ତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର