ମାଳିଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଶ୍ଚର୍ଯ୍ୟ ! ଦରମା ୩୫ ହଜାର, ସମ୍ପତ୍ତି ୨ କୋଟିରୁ ଊର୍ଦ୍ଧ୍ବ

ଉଦଳା: ଉଦଳା ଉଦ୍ୟାନ ବିଭାଗ ଖୁଣ୍ଟା ବ୍ଲକରେ ମାଳି ଭାବେ କାମ କରୁଥିବା ଉଦ୍ଧବ ବେହେରାଙ୍କ ନିକଟରୁ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜଲାନ୍ସ । ୨୪ବର୍ଷର ଚାକିରି ଭିତରେ ଜଣେ ମାଳି କେମିତି କୋଟିପତି ବନିଲେ ଭିଜିଲାନ୍ସ ଏବେ ତାର ଖିଅ ଖୋଜୁଛି । ଉଦଳା ଉଦ୍ୟାନ ବିଭାଗ ଖୁଂଟା ବ୍ଲକରେ ମାଳି ଭାବେ କାମ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଉଦ୍ଧବ ବେହେରା ୧୯୯୫ ମସିହାରୁ ଚାକିରି ଆରମ୍ଭ କରିଥିଲେ । ମାସକୁ ୩୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଭିଜିଲାନ୍ସ ଚଢାଉବେଳେ ଜବତ ହୋଇଛି ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ଉଦ୍ଧବଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି କେମିତି ଆସିଲା ସେ ନେଇ ଭିଜିଲାନ୍ସ ଖୋଳତାଡ କରୁଛି ।

ଖାଲି ସେତିକି ନୁହେଁ, ମାସିକ ଦରମା ଏବଂ ଚାକିରିର କାର୍ଯ୍ୟକାଳକୁ ହିସାବକୁ ନେଇ ଏତେ ଟଙ୍କା ଉଦ୍ଧବ କୁଆଡୁ ଆଣିଲେ ସେ ନେଇ ପ୍ରଶ୍ନ ଉଠିଛି । ଉଦ୍ଧବଙ୍କ କପ୍ତିପଦା ବ୍ଲକ ଅନ୍ତର୍ଗତ  ବଡାମପଦା ଗାଁ ଘର, ନୁଦଡିହାସ୍ଥିତ ଶ୍ୱଶୁର ଘର, କପ୍ତିପଦାସ୍ଥିତ ଫାର୍ମହାଉସ ଏବଂ ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଉପରେ ଏକା ସଙ୍ଗରେ ଚଢଉ କରିଥିଲା ଭିଜିଲାନ୍ସ ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଏହି ଚଢଉ । ଆଉ ଚଢଉ ସମୟରେ ଜମି କାଗଜପତ୍ର ଜବତ କରିବା ସହିତ ଭିଜିଲାନ୍ସକୁ ମିଳିଛି ବିପୁଳ ପରିମାଣର ସୁନାଗହଣା । ଏହା ଛଡା ଦାମୀ ଫ୍ୟାନ, ଏସି, ଟିଭି ମଧ୍ୟ ତାଙ୍କ ଘରୁ ମିଳିଛି । ଉଦ୍ଧବ ବେହେରା ଉଦଳା ଉଦ୍ୟାନ ବିଭାଗରେ ମାଳି ଭାବେ କାମ କରୁଥିଲେ ହେଁ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଖୁଂଟା ବ୍ଲକକୁ ବଦଳି କରାଯାଇଥିଲା । କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇ ଆସୁଥିଲା । ଏବେ ଏହି କୋଟିପତି ମାଳିଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ସମ୍ବନ୍ଧିତ ଖବର