କଟକ: ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା(ପିଏମ୍‌ଏମ୍‌ଏସଵାଇ)ରେ ୧ କୋଟି ୫ ଲକ୍ଷ ଟଙ୍କା ହଡ଼ପ ଘଟଣାକୁ ନେଇ ଏବେ ଭିଜିଲାନ୍ସ ମତ୍ସ୍ୟ ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ (ଖାର ଜଳ) ବସନ୍ତ କୁମାର ଦାସଙ୍କ ୫ଟି ଠିକଣାରେ ଭିଜିଲାନ୍ସ ଚଢଉ କରି ସଂପତ୍ତିର ଖୋଳତାଡ଼ ଆରମ୍ଭ କରିଛି। ସେ ଜମି କିଣାରେ ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ସୁନା ଅଳଙ୍କାର କିଣିବାରେ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବର୍ତ୍ତମାନ ସୁଦ୍ଧା ପ୍ରମାଣ ମିଳିଛି। ସୋମବାର ରାତି ସୁଦ୍ଧା ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ ଫାର୍ମହାଉସ୍ ସମେତ ୫ଟି ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment

ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଏହି ଟଙ୍କା ସରକାରୀ ଆକାଉଣ୍ଟକୁ ଆସିଥିବା ବେଳେ ଉପ ନିର୍ଦ୍ଦେଶକ ଶ୍ରୀ ଦାସ ତାହାକୁ ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ଏହି ଅଭିଯୋଗରେ ମଙ୍ଗଳାବାଗ ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଡିଡିଓ(ଡ୍ରଇଂ ଆଣ୍ଡ ଡିସବର୍ସିଂ ଅଫିସର) ଭାବେ କାର୍ଯ୍ୟ କରୁଥିଲେ। ଗଲା ଏପ୍ରିଲ ୨୨ରୁ ସେ ଛୁଟିରେ ରହି ଏଭଳି କେଳେଙ୍କାର କରିଆସୁଥିଲେ। ମେ ୨୧ରୁ ଜୁନ ୧୯ ତାରିଖ ମଧ୍ୟରେ ଅଭିଯୁକ୍ତ ଶ୍ରୀ ଦାସ ପୁରୀ ଆଚାର୍ଯ୍ୟ ହରିହର ସ୍କୋୟାରସ୍ଥିତ ଏସବିଆଇ ଶାଖାରେ ଥିବା ବ୍ୟକ୍ତିଗତ ଆକାଉଣ୍ଟକୁ ୮ଟି ପର୍ଯ୍ୟାୟରେ ଆରଟିଜିଏସ୍ ମାଧ୍ୟମରେ ସରକାରୀ ଟଙ୍କା ପଠାଇଥିଲେ। ସେହି ମେ ୨୧ରୁ ଜୁନ ୨୪ ଯାଏ ୨୮୧ ଥର ଏଟିଏମ କାର୍ଡ, ଚେକ୍ ଇତ୍ୟାଦି ବ୍ୟବହାର କରି ସେ ଏହି ଟଙ୍କାକୁ ଉଠାଇ ଥିଲେ।

ଏହି ଘଟଣାର ତଦନ୍ତ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଆଜି ଭୁବନେଶ୍ବର ମହତାବ ରୋଡ, ଓଲ୍‌ଡ ଟାଉନ ଅଞ୍ଚଳରେ ଥିବା ଶ୍ରୀ ଦାସଙ୍କ ଭଡ଼ା ଘର, ପୁରୀ ଵାର୍ଡ ନଂ ୩୦ରେ ଥିବା ତୋଟା ମହାବୀର ଲେନ୍ ଘର, ପିପିଲି ନିକଟ ଗୋରୁଆଳରେ ଥିବା ଫାର୍ମହାଉସ୍, ଭଦ୍ରକ ଜିଲ୍ଲା ନାଇକନିଧି ଗୋବିନ୍ଦପୁରରେ ଥିବା ପୈତୃକ ଘର, କଟକ ମତ୍ସ୍ୟ ନିର୍ଦ୍ଦେଶାଳୟରେ ଥିବା ଶ୍ରୀ ଦାସଙ୍କ ଅଫିସର ଚାମ୍ବରରେ ଚଢ଼ଉ ଜାରି ରହିଛି। ପ୍ରାରମ୍ଭିକ ଛାନଭିନରୁ ଜଣା ପଡିଛି ଯେ ଶ୍ରୀ ଦାସ କୋଟିଏ ୫ ଲକ୍ଷ ଟଙ୍କା ଉଠାଇବା ପରେ ସେଥିରେ ଭୁବନେଶ୍ବରରେ ୭୨ ଲକ୍ଷ ଟଙ୍କାରେ ଏକ ପ୍ଲଟ୍‌ ଓ ୨୭ ଲକ୍ଷ ଟଙ୍କାରେ ସୁନା ଅଳଙ୍କାର କିଣିଥିଲେ।

ଅନ୍ୟପଟେ ତାଙ୍କ ନାଁରେ ପୁରୀ ତୋଟା ମହାବୀର ଲେନରେ ଏକ ଦୁଇ ମହଲା କୋଠା କରିଥିବା ବେଳେ ପୁରୀ ବାଶେଳି ସାହିରେ ୧୨ ଶହ ବର୍ଗଫୁଟର ଏକ କୋଠା ନିର୍ମାଣଧୀନ ରହିଛି। ପୁରୀ ଜିଲ୍ଲା ଗୋରୁଆଳ ନିକଟରେ ୩.୫୮ ଡିସିମିଲର ଏକ ଫାର୍ମହାଉସ ତିଆରି ହୋଇଛି। ତାଙ୍କର ଭୁବନେଶ୍ବର, ପୁରୀ, ଭଦ୍ରକରେ ୭ଟି ପ୍ଲଟ୍‌ ଅଛି। ଏହା ସହିତ ତାଙ୍କର ୨୫୦ ଗ୍ରାମର ସୁନା, ଗୋଟିଏ ମହିନ୍ଦ୍ରା ଭେରିଟୋ, ଦୁଇଟି ଦୁଇ ଚକିଆ ଗାଡ଼ି, ବ୍ୟାଙ୍କ, ଡାକ ଘର, ବୀମା ଏବଂ ଅନ୍ୟାନ୍ୟ ଜମା ଠାବ ହୋଇଛି। ଗଲା ଜୁନ ୧୩ରେ ମଙ୍ଗଳାବାଗ ଥାନା ପୁଲିସ ଏକ ଠକେଇ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଭିଜିଲାନ୍ସ ପକ୍ଷରୁ କିନ୍ତୁ ଆଉ ଏକ ମାମଲା ଶ୍ରୀ ଦାସଙ୍କ ବିରୋଧରେ ରୁଜୁ ହୋଇଛି।

ସୂଚନାଯୋଗ୍ୟ ଯେ ଗଲା ଜୁନ ୧୩ ତାରିଖରେ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏହି ପ୍ରସଙ୍ଗରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। ସେହି ଦିନ ମତ୍ସ୍ୟ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ସୁବ୍ରତ ଦାସ ମଙ୍ଗଳାବାଗ ଥାନାରେ ଟଙ୍କା ହେରଫେରକୁ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଶ୍ରୀ ଦାସଙ୍କୁ ଜୁଲାଇ ୪ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଟଙ୍କା ହଡ଼ପ ସଂପର୍କିତ ଖବର ପ୍ର‌ଥମେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା।