ବାଲେଶ୍ବର: ପ୍ରତିଦିନ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ହାଇସ୍କୁଲକୁ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ପଢାଇବା ପାଇଁ କେହି ଶିକ୍ଷକ ନାହାନ୍ତି। ସକାଳ ୧୦ରୁ ଅପରାହ୍‌ଣ ୪ଟା ଯାଏ ନିଜେ ପାଠପଢ଼ି ଘରକୁ ଫେରୁଛନ୍ତି। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍କୁଲ ରୂପାନ୍ତରୀକରଣ ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଶିକ୍ଷା ବିଭାଗକୁ ପରିହାସ କରୁଛି ଏହାର ବିଚିତ୍ର ବ୍ୟବସ୍ଥା। ବାଲେଶ୍ବର ସଦର ବ୍ଲକ୍‌ କସିପଦା ପଞ୍ଚାୟତ ହାଇସ୍କୁଲ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ।

Advertisment

୧୯୮୦ ମସିହାରେ ପ୍ରତିଷ୍ଠିତ କସିପଦା ପଞ୍ଚାୟତ ହାଇସ୍କୁଲକୁ ୧୯୯୪ ମସିହାରେ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ମାନ୍ୟତା ମିଳିଥିଲା। ଚଳିତବର୍ଷ ଏହି ହାଇସ୍କୁଲକୁ ୫-ଟି ଯୋଜନାରେ ସାମିଲ କରାଯାଇ ଭିତ୍ତିଭୂମିର ବିକାଶ କରାଯାଇଛି। ରୂପାନ୍ତରୀକରଣ ପାଇଁ ୭୦ ଲକ୍ଷ, ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ, ବ୍ଲକ୍‌ ଓ ବିଧାୟକଙ୍କ ହାତପାଣ୍ଠିକୁ ମିଶାଇ ୧୭ ଲକ୍ଷ ଓ ‘ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରସଂସଦ ଦ୍ବାରା ୨୧ ଲକ୍ଷ ଟଙ୍କା ସଂଗ୍ରହ କରାଯାଇ ପାଖାପାଖି ୧ କୋଟି ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଯେଉଁଥିରେ ହାଇସ୍କୁଲର ୨ଟି ବିଲ୍‌ଡିଂ, ବିଜ୍ଞାନ ପରୀକ୍ଷଣଗାର, ପରିସ୍ରାଗାର ଓ ଶୌଚାଳୟ, ସ୍ମାର୍ଟ କ୍ଲାସରୁମ୍‌, କମ୍ପ୍ୟୁଟର ରୁମ୍‌, କମନରୁମ୍‌, ସଭାମଞ୍ଚ, ଖେଳପଡ଼ିଆ, ଫାଟକ, ଭିତର ଓ ବାହାର ରାସ୍ତା, ପାଚେରି ଆଦି ନିର୍ମାଣ କାମ କରାଯାଇଛି। ହାଇସ୍କୁଲଟି ଚକାଚକ୍ ହୋଇଗଲା ସତ, କିନ୍ତୁ ପଢାଇବା ପାଇଁ ଶିକ୍ଷକ ନାହାନ୍ତି। ଯେଉଁ କେତେଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଥିଲେ ସେମାନେ ଗତ ଜୁନ୍‌ମାସଠାରୁ ଅବସର ନେଇ ସାରିଲେଣି। ସେବେଠାରୁ ଆଜି ପର୍ଯ୍ୟନ୍ତ ୨୫୫ ଜଣ ଛାତ୍ରଛାତ୍ରୀ ବିନା ଶିକ୍ଷକରେ ପଢୁଛନ୍ତି। ଏ ସଂକ୍ରାନ୍ତରେ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପରିଷଦ ସଭାପତି, ବ୍ଲକ୍‌ ଅଧ୍ୟକ୍ଷ; ସମସ୍ତଙ୍କୁ ଫେରାଦ ହୋଇ ସାରିଛନ୍ତି ସ୍ଥାନୀୟ ଅଞ୍ଚଳର ଅଭିଭାବକ, ପୁରାତନ ଛାତ୍ରସଂସଦ ଓ ସ୍କୁଲ ପରିଚାଳନା କମିଟି କର୍ତ୍ତୃପକ୍ଷ। କିନ୍ତୁ ପାଠପଢ଼ାରୁ ମାସମାସ ଧରି ବଞ୍ଚିତ ଥିବା ଛାତ୍ରଛାତ୍ରୀଙ୍କ କଥା ସମସ୍ତେ ଭୁଲି ଯାଇଛନ୍ତି। ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ଶିକ୍ଷା ବିଭାଗ ଏହି ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ୯୫ ଜଣ, ନବମ ଶ୍ରେଣୀରେ ୭୫ ଓ ଦଶମ ଶ୍ରେଣୀରେ ୮୫ ଜଣ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଅନ୍ୟ ସ୍କୁଲରୁ ୪ ଜଣ ଶିକ୍ଷକଙ୍କୁ ଡେପୁଟେସନରେ ଆଣିବା ପାଇଁ ଚିଠି କରିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଶିକ୍ଷକ ପାଠ ପଢ଼ାଇବାକୁ ଆସୁଥିବା ବେଳେ ଅନ୍ୟ ଦୁଇ ଜଣ ଆଦୌ ଆସୁନାହାନ୍ତି। ଯେଉଁ ଦୁଇଜଣ ଆସୁଛନ୍ତି ସେମାନେ ବି ସପ୍ତାହରେ ସବୁଦିନ ଆସୁନାହାନ୍ତି।

ସ୍କୁଲରେ ଏଭଳି ଦୟନୀୟ ସ୍ଥିତି ଦେଖି ଏଠାରୁ ଅବସର ନେଇଥିବା ଜଣେ ପୂର୍ବତନ ପ୍ରଧାନଶିକ୍ଷକ ଓ ସ୍ଥାନୀୟ ଅଞ୍ଚଳର ୩ ଜଣ ପୁରାତନ ଛାତ୍ରଛାତ୍ରୀ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି। କିନ୍ତୁ ସେଥିରେ ପିଲାମାନଙ୍କର ସନ୍ଦେହ ମୋଚନ ହୋଇପାରୁନି। ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଅନନ୍ତ କୁମାର ସାହୁ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। କହିଛନ୍ତି, ୫-ଟି ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସରକାରଙ୍କର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ମୌଳିକ ଆବଶ୍ୟକତା ପୂରଣ ନକରିବା ସବୁଠୁ ବଡ଼ ଦୁର୍ଭାଗ୍ୟର ବିଷୟ। ସେପଟେ ଶିକ୍ଷକ ନଥିବାରୁ ବର୍ଷକର ପାଠ୍ୟକ୍ରମ ସରିନଥିବା ବେଳେ ପିଲାମାନେ କେମିତି ମାଟ୍ରିକ ପରୀକ୍ଷା ଦେବେ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ଗୁଣାତ୍ମକ ଶିକ୍ଷା ପାଇଁ ସରକାର କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ କରି ହାଇସ୍କୁଲର ରୂପରଙ୍ଗ ବଦଳାଇ ଦେଲେ, ଅଥଚ ଶିକ୍ଷାଦାନ ପାଇଁ ଶିକ୍ଷକ ପଦ ପୂରଣ କରିପାରିଲେନି। ଏହା ହିଁ ସବୁଠୁ ବଡ଼ ବିଡ଼ମ୍ବନା ବୋଲି କହିଛନ୍ତି ଗ୍ରାମବାସୀ।