ରାଜଗାଙ୍ଗପୁର: ରାଜଗାଙ୍ଗପୁର ଜାମପାଲିରେ ଥିବା ବନ୍ଦ କାରଖାନାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଯାଇଛି। ଦୁର୍ବୃତ୍ତମାନେ ନିୟମିତ ଭାବେ ବନ୍ଦ କାରଖାନାରୁ ବିଭିନ୍ନ ଲୌହ, ପିତ୍ତଳ, ବୈଦ୍ୟୁତିକ ଯନ୍ତ୍ରାଂଶ ଚୋରି କରିନେଇଥିବାରୁ ଭବିଷ୍ୟତରେ କାରଖାନା ଚାଲୁ କରିବାର ଆଶା ମଉଳି ଯାଇଛି। ଚୋରି ସାମଗ୍ରୀଗୁଡ଼ିକ କୁତ୍ରା ଥାନା ଅନ୍ତର୍ଗତ ଗମ୍ଭାରଡିହି ଓ ସହରର ଅନ୍ୟ ବେପାରୀଙ୍କୁ ବିକ୍ରି ହେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଜାମପାଲିରେ ଥିବା ଓସିଏଲ ଇଣ୍ଡିଆ ଆଇରନ ଆଣ୍ଡ ଷ୍ଟିଲ ଲି. କାରଖାନା ଆର୍ଥିକ କାରଣରୁ ୨୦୨୦ ଫେବ୍ରୁଆରିରୁ ବନ୍ଦ ହୋଇପଡ଼ିଛି। ଫଳରେ କାରଖାନାରେ କାର୍ଯ୍ୟ କରୁଥିବା ୧୫୦୦ ଶ୍ରମିକଙ୍କ ଦରମା, ବୋନସ୍, ବକେୟା ପାଉଣା ମିଳିନାହିଁ।
କାରଖାନା ଉପରେ ବିଭିନ୍ନ ବ୍ୟାଙ୍କର ଋଣ ବାବଦକୁ ୧୭୦୦ କୋଟିରୁ ଅଧିକ ବକେୟା ରହିଛି। ଏଥିପାଇଁ ବ୍ୟାଙ୍କଗୁଡ଼ିକ ମିଳିତ ଭାବେ ଏନ୍ସିଏଲ୍ଟିରେ ମାମଲା ରୁଜୁ କରିଛନ୍ତି। ଏନ୍ସିଏଲ୍ଟିକୁ ମାମଲା ଆସିବା ପରେ କମ୍ପାନି ସଂପତ୍ତିର ସୁରକ୍ଷା ଦାୟିତ୍ବ ଏକ ସୁରକ୍ଷାସଂସ୍ଥାକୁ ପ୍ରଦାନ କଲେ। ତେବେ ଗତ ୩୦ ମାସ ମଧ୍ୟରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଚୋରିହେବା ଫଳରେ ସୁରକ୍ଷାକର୍ମୀଙ୍କ ଭୂମିକା ସନ୍ଦେହଘେରରେ। ଅନ୍ୟପକ୍ଷରେ କାରଖାନାରୁ ଯେତେ ପରିମାଣର ଚୋରି ହେଉଛି ସେହି ତୁଳନାରେ ରାଜଗାଙ୍ଗପୁର ଥାନାରେ ମାମଲା ହେଇନାହିଁ। ଫଳରେ ଏହା ଚୋରଙ୍କୁ ସୁହାଉଛି। ସେହିପରି କାରଖାନାକୁ ଚୋରି କରିବାକୁ ଆସି ୩୦ ମାସ ମଧ୍ୟରେ ୩ ଜଣ ଚୋରଙ୍କର ମଧ୍ୟ ଜୀବନ ଯାଇଛି। ତେବେ ବନ୍ଦ କାରଖାନାରୁ ନିୟମିତ ଭାବେ ଚୋରିହେବା ଫଳରେ ସ୍ଥାନୀୟ ପୁଲିସ ଓ ସୁରକ୍ଷାକର୍ମୀଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।