କୋରାପୁଟ: କୃଷକ ଉତ୍ପାଦନ ସଂଗଠନ (ଏଫ୍ପିଓ)ରେ କୋଟି କୋଟି ଟଙ୍କାର ଦୁର୍ନୀତି। ୮ ବର୍ଷରେ ହୋଇଥିବା ଲାଭ ଟଙ୍କାର ହିସାବ ନାହିଁ। ସେପଟେ ସରକାରୀ ଅନୁଦାନ ଖର୍ଚ୍ଚର କାଗଜପତ୍ର ମିଳୁନାହିଁ। ତେଣୁ ଆଲମାରି ଭାଙ୍ଗି ଫାଇଲ୍ ଓ ଆକାଉଣ୍ଟ ଯାଞ୍ଚ କରିବାକୁ ଚିଠି ଲେଖିଛି ଓର୍ମାସ।
କୋରାପୁଟର କୃଷକ ଉତ୍ପାଦନ ସଂଗଠନ ‘କାପ୍କୋ’ରେ ବ୍ୟାପକ ଆର୍ଥିକ ହେରଫେର ହୋଇଛି। ଏହି ସଂଗଠନର କିଛି କର୍ମଚାରୀ ନିଜ ମର୍ଜିରେ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଓର୍ମାସ କିମ୍ବା ପରିଚାଳନା ବୋର୍ଡର ଆଦୌ ଅନୁମତି ନେଇନାହାନ୍ତି। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ନଗଦ ଆକାରରେ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ସ୍ବୟଂ ସହାୟକ ଗୋଷ୍ଠୀର ଉତ୍ପାଦ କିଣାବିକାରେ ମଧ୍ୟସ୍ଥ ଦାୟିତ୍ବ ତୁଲାଉଛି ଏଫ୍ପିଓ। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ନିମନ୍ତେ ଆର୍ଥିକ ସହାୟତା ଯୋଗାଇବାକୁ ଏଫ୍ପିଓକୁ ସରକାରୀ ଅନୁଦାନ ମଧ୍ୟ ମିଳିଛି। ବ୍ୟବସାୟିକ ପରିଚାଳନା ନିମନ୍ତେ ୨୦୧୭ ମସିହାରେ ରାଜ୍ୟ ସରକାର ୫.୫ କୋଟି ଟଙ୍କା ‘କାପ୍କୋ’କୁ ଦେଇଥିଲେ। ଏହି ଅର୍ଥକୁ ବ୍ୟବସାୟରେ ବିନିଯୋଗ କରି ଲାଭ ଟଙ୍କା ରଖିବା ପାଇଁ ସରକାରୀସ୍ତରରେ ନିର୍ଦ୍ଦେଶ ରହିଥିଲା। କିନ୍ତୁ ‘କାପ୍କୋ’ର କିଛି କର୍ମଚାରୀ ବ୍ୟବସାୟ ବଦଳରେ ନଗଦ ଟଙ୍କା ଉଠାଇ ହଡ଼ପ କରିଛନ୍ତି। ଲାଭ ଦୂରେ ଥାଉ ଏବେ ‘କାପ୍କୋ’ ଆକାଉଣ୍ଟରେ ମାତ୍ର ୨୩ ଲକ୍ଷ ଟଙ୍କା ବଳକା ରହିଛି। ‘କାପ୍କୋ’ରେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଗତ ମାସରେ ଥାନାରେ ଏତଲା ଦିଆଯାଇଛି। ନିୟମ ଅନୁଯାୟୀ, ଏଫ୍ପିଓଙ୍କୁ ଦିଆଯାଉଥିବା ଅର୍ଥର ହିସାବ ଓର୍ମାସ ଏବଂ ଓଏଲ୍ଏମ୍ ନିୟମିତ ଭାବେ ଯାଞ୍ଚ କରିବେ। ସେହିପରି ପ୍ରତିବର୍ଷ ଖର୍ଚ୍ଚର ଅଡିଟ୍ କରିବାକୁ ବ୍ୟବସ୍ଥା ରହିଛି। କିନ୍ତୁ ‘କାପ୍କୋ’କୁ ଦିଆଯାଇଥିବା ଅନୁଦାନରୁ ମାତ୍ର ୨.୫ କୋଟି ଟଙ୍କା ବିଭିନ୍ନ ଏସ୍ଏଚ୍ଜିଙ୍କୁ ବ୍ୟବସାୟ କରିବା ପାଇଁ ଦିଆଯାଇଥିବା ହିସାବ ଓର୍ମାସ ପାଖରେ ରହିଛି। ତେଣୁ ଗତ ୮ବର୍ଷରେ ‘କାପ୍କୋ’ର ଲାଭ କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି। ସରକାରୀ ଅନୁଦାନ ମଧ୍ୟ ଆକାଉଣ୍ଟରେ ନଥିବା କାରଣରୁ ଏଥିରେ ବଡ଼ଧରଣର ଦୁର୍ନୀତି ହୋଇଥିବା କୁହାଯାଉଛି। ଓର୍ମାସ ଏବଂ ଓଏଲ୍ଏମ୍ର ନିୟମିତ ଯାଞ୍ଚ ସହ ପ୍ରତିବର୍ଷ ଅଡିଟ୍ ସତ୍ତ୍ବେ କିଭଳି ଏତେ ପରିମାଣରେ ଟଙ୍କା ହେରଫେର ହେଲା ତାହାର ଉତ୍ତର ବି କେହି ଦେଉନାହାନ୍ତି। ଅନ୍ୟପଟେ ‘କାପ୍କୋ’ର ଆକାଉଣ୍ଟାଣ୍ଟ ମାସ ମାସ ଧରି କାର୍ଯ୍ୟାଳୟକୁ ଆସୁନାହାନ୍ତି। ଦୁର୍ନୀତିର ସଂଗିନ ଅଭିଯୋଗ ପରେ ଓର୍ମାସ ଏବେ ତତ୍ପରତା ପ୍ରକାଶ କରିଛି। ଆକାଉଣ୍ଟାଣ୍ଟ ବ୍ୟବହାର କରୁଥିବା କାର୍ଯ୍ୟାଳୟର ଆଲମାରିକୁ ଭାଙ୍ଗିବା ଲାଗି ଉପଜିଲ୍ଲାପାଳଙ୍କୁ ଚିଠି ଲେଖିଛି।