ସୀମା ଟପିଲାଣି ବାଲି ଉତ୍ତୋଳନ, ସୁବର୍ଣ୍ଣରେଖା ନଦୀଗର୍ଭରେ ଲୀନ ହୋଇଯିବ ମଥୁରାନାଥ ଗାଁ!

ଜଳେଶ୍ବର: ବାଲି ମାଫିଆମାନେ ସରକାରୀ ନିୟମ ଉଲ୍ଲଂଘନ କରି ଜଳେଶ୍ବର ତହସିଲ ଅଧୀନସ୍ଥ ସୁବର୍ଣ୍ଣରେଖା ନଦୀତଟରେ ଥିବା ମଥୁରାନାଥ ଗାଁରୁ ବେଧଡ଼କ ବାଲି ଉତ୍ତୋଳନ କରୁଛନ୍ତି। ବାଲି ଉତ୍ତୋଳନ ଏଭଳି ଆଉ କିଛିଦିନ ଲାଗି ରହିଲେ ମଥୁରାନାଥ ଗାଁ ନଦୀ ଗର୍ଭରେ ଲୀନ ହୋଇଯିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ସେମାନେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟ ପଦାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ବହୁ ପୂର୍ବରୁ ମଥୁରାନାଥ ଗାଁଠାରୁ ସୁବର୍ଣ୍ଣରେଖା ନଦୀ ପାଖାପାଖି ୫୦୦ ମିଟର ଦୂରରେ ଥିଲା। ତେବେ ଗତ କିଛିବର୍ଷ ଧରି ଏଠାରେ ବାଲିମାଫିଆଙ୍କ ଦ୍ବାରା ସରକାରୀ ନିୟମ ଉଲ୍ଲଂଘନ କରାଯାଇ ବେଧଡ଼କ ବାଲି ଉତ୍ତୋଳନ ଚାଲିଛି। ଫଳରେ ନଦୀ କୂଳ ଖାଇ ଅତଡ଼ା ଖସି ସହ ଏକର ଏକର ସ୍ଥଳଭାଗ ନଦୀଗର୍ଭକୁ ଚାଲିଯିବା ସହ ବାଲିଚରରେ ପରିଣତ ହେଉଛି। ଏପରିକି ଯେଉଁଠି ଦିନେ ଗ୍ରାମବାସୀ ମୂଲ୍ୟବାନ ପାଳ ବା ଚାଷଜମିରେ ବିଭିନ୍ନ ଚାଷ କରୁଥିଲେ ସେହି ଜମିର ବହୁ ଅଂଶ ନଦୀଗର୍ଭରେ। ଗୋଚର ଜମି ଓ ଶ୍ମଶାନ ମଧ୍ୟ ନଦୀଗର୍ଭରେ ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ଯାଇଛି କହିଲେ ଚଳେ। ଏପରି ସ୍ଥଳେ ଗ୍ରାମବାସୀଙ୍କ ବାରମ୍ବାର ବାରଣ ସତ୍ତ୍ୱେ ବାଲିମାଫିଆ ବେଧଡ଼କ ବାଲି ଉତ୍ତୋଳନ କରୁଛନ୍ତି। ପ୍ରଶାସନ କେତେବେଳେ ବାଲିମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ମଧ୍ୟ ସେମାନେ ଏହାକୁ ଭ୍ରୁକ୍ଷେପ କରୁନାହାନ୍ତି। ଗତ କିଛି ସପ୍ତାହ ତଳେ ବାଲି ମାଫିଆମାନେ ବାଲି ଉତ୍ତୋଳନ ପାଇଁ ବ୍ୟବହାର କରୁଥିବା ଏକ ରାସ୍ତାକୁ ରାଜସ୍ବ ବିଭାଗ ତରଫରୁ ଜେସିବି ସାହାଯ୍ୟରେ କାଟି ଦିଆଯାଇଥିଲା। ତେବେ କିଛି ଘଣ୍ଟା ଯାଇଛି କି ନାହିଁ ମାଫିଆମାନେ ପୁଣି ରାସ୍ତା ତିଆରି କରିଦେଲେ। ସେପଟେ ଭିଟାମାଟିର ସୁରକ୍ଷା ପାଇଁ ବାଲି ଉତ୍ତୋଳନକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ବାଲି ମାଫିଆମାନେ ଧମକ ଦେବା, ମାରପିଟ୍ କରିବାକୁ ପଛାଉ ନାହାନ୍ତି। ନିକଟରେ ବାଲି ଉତ୍ତୋଳନକୁ ବିରୋଧ କରିବାରୁ ଜଣେ ବ୍ୟକ୍ତିଙ୍କ ଛେଳି ଦିନ ଦ୍ବିପହରରେ ବାଲି ମାଫିଆମାନେ ନେଇଗଲେ। ଏହି ଘଟଣାରେ ଗ୍ରାମବାସୀଙ୍କ ତରଫରୁ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ।

ଫଳରେ ବାଲି ମାଫିଆମାନଙ୍କ ମୁହଁ ଟାଣ ହେବା ସହ ବାଲି ଉତ୍ତୋଳନକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ସେମାନେ ଧମକଚମକ ଦେଉଥିବା ମୃତ୍ୟୁଞ୍ଜୟ ବେହେରା, ବ୍ରଜେନ୍ଦ୍ରନାଥ ଦେ, ଧନଞ୍ଜୟ ପ୍ରଧାନ, ଜନ୍ମେଜୟ ପ୍ରଧାନ, କାଳୀଚରଣ ଧଳ, ସୁବଳ ଗିରି, ସନ୍ନ୍ୟାସୀ ଗିରି, ଝାଡ଼େଶ୍ବର ଦାସ, ଗୋପାଳ ଚନ୍ଦ୍ର ସେଠୀ, ବିନାୟକ ପ୍ରଧାନ ପ୍ରମୁଖ ଶତାଧିକ ଗ୍ରାମବାସୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ବାଲି ଚୋରି ରୋକିବା ସହ ଗାଁକୁ ସୁରକ୍ଷା ଦେବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗପତ୍ରରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର