ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ତଳକାଦକଳା ପଞ୍ଚାୟତ ହଲଡିହି ଗ୍ରାମବାସୀ ବିପଦସଂକୁଳ ଭାବେ ଏକ ଦଉଡ଼ି ସାହାଯ୍ୟରେ ନଦୀ ପାର ହେଉଥିବା ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସକାଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ ମାଝୀ, କନିଷ୍ଠ ଯନ୍ତ୍ରୀ ଶିବନାଥ ମାଝୀ ଓ ଅପରାହ୍ଣରେ ବିଡିଓ ବିକ୍ରାନି କିସ୍ପଟ୍ଟା, ବ୍ଲକ୍ ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ ମହାନ୍ତି, ସୁପାଇ କିସ୍କୁ, ପିଇଓ ଜଳଧର ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଠାରେ ଖୁବଶୀଘ୍ର ପୋଲ ନିର୍ମାଣ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ଏଥିସହିତ ନଦୀକୂଳରେ ଗୃହରକ୍ଷୀ, ପଞ୍ଚାୟତ କର୍ମଚାରୀ ଜଗିଛନ୍ତି। ବିପଦପୂର୍ଣ୍ଣ ଭାବେ ନଦୀ ପାର ନ ହେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ଖୁବଶୀଘ୍ର ନିର୍ମାଣ ହେବ ପୋଲ: ନିର୍ବାହୀ ଯନ୍ତ୍ରୀ
ନଦୀକୂଳରେ ଜଗିଲେ ଗୃହରକ୍ଷୀ, ପଞ୍ଚାୟତ କର୍ମଚାରୀ
ବିପଦପୂର୍ଣ୍ଣ ଭାବେ ନଦୀ ପାର ନ ହେବାକୁ ପରାମର୍ଶ
ତଳକାଦକଳା ପଞ୍ଚାୟତଠାରୁ ୩ କିମି ଦୂରରେ ଅବସ୍ଥିତ ହଲଡିହି ସାହିରେ ମୁଣ୍ଡା ଓ ଧୀବର ସମ୍ପ୍ରଦାୟର ୩୫ଟି ପରିବାର ବାସ କରୁଛନ୍ତି। ଗାଁ ଦେଇ ବହି ଯାଇଥିବା ମଲଦା ନଦୀରେ ପୋଲ ନ ଥିବାରୁ ଲୋକେ ଦଉଡ଼ି ସାହାଯ୍ୟରେ ଭରାନଈ ପାର ହେଉଥିବା ବେଳେ ଛାତ୍ରଛାତ୍ରୀ ନଦୀ ପାର ହୋଇ ୩ କିମି ଦୂରରେ ଥିବା କାଦକଳା ଉଚ୍ଚବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛନ୍ତି। ରାସନ୍, ଭତ୍ତା ଆଣିବା ପାଇଁ ଲୋକଙ୍କୁ ପଞ୍ଚାୟତକୁ କାର୍ଯ୍ୟାଳୟକୁ ଆସିବାରେ ସମସ୍ୟା ହେଉଛି। ଏ ସଂକ୍ରାନ୍ତରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ମାତ୍ର କେଇ ଘଣ୍ଟା ଭିତରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଲଦା ନଦୀରେ ପୋଲ ନିର୍ମାଣ ପାଇଁ ପ୍ରକଳ୍ପ ଅନୁମୋଦନ ଲାଗି ପଠାଯାଇଥିବା ସୂଚନା ମିଳିଛି। ଅର୍ଥ ଅନୁମୋଦନ ପରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ସେହିପରି ବିଡିଓ ବିକ୍ରାନି କିସପଟ୍ଟା କହିଛନ୍ତି, ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯାଇଛି। ନଦୀରେ ପୋଲ ନିର୍ମାଣ ପରେ ନଳକୂପ ଖନନ କରାଯାଇ ପାନୀୟଜଳ ସମସ୍ୟାର ସମାଧାନ କରାଯିବ। ଅନ୍ୟ ମୌଳିକ ସମସ୍ୟାର ସମାଧାନ ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ।
ବର୍ଷାଦିନେ ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଥିବା ଜାଣି ଗାଁର ସମସ୍ତ ପରିବାରକୁ ଶୁଖିଲା ଖାଦ୍ୟ ପୁଡ଼ିଆ ପ୍ରଦାନ କରିବା ପାଇଁ ପିଇଓଙ୍କୁ ନିର୍ଦେଶ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ଖାଦ୍ୟ ପୁଡ଼ିଆ ବଣ୍ଟନ ଆରମ୍ଭ ହୋଇଛି। ଭତ୍ତା ଓ ତିନି ମାସର ରାସନ୍ ସାମଗ୍ରୀ ଆଗୁଆ ଗ୍ରାମବାସୀଙ୍କୁ ଦିଆଯାଇଛି। ନଦୀର ପ୍ରଖର ସ୍ରୋତ ଯୋଗୁଁ ଗାଁକୁ ଯିବା ସମ୍ଭବ ନ ହେବାରୁ କୂଳରେ ରହି ସ୍ଥିତି ପରଖିବା ସହ ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯାଇଥିବା ବିଡିଓ କହିଛନ୍ତି। ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ନଦୀପାର ନ ହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହାକୁ ସୁନିଶ୍ଚିତ କରିବା ପାଇଁ ଆଜିଠାରୁ ନଦୀ କୂଳରେ ଜଣେ ଗୃହରକ୍ଷୀ ଓ ପଞ୍ଚାୟତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବିଡିଓ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/gdgddg.jpg)