ବନ୍ତଳା : ଭେଳ‌ାରେ ଡ୍ୟାମ୍ ପାରି ହୋଇ ଜଙ୍ଗଲ ସୁରକ୍ଷା

ଦୁଇ ଦଶନ୍ଧି ଧରି ପାଳିରେ ଜଗୁଛନ୍ତି, ଟାଙ୍ଗରା ଭୂଇଁ ପାଲଟିଲା ସବୁଜିମା

ବନ୍ତଳା : ଏପଟେ ଗାଁ ସେପଟେ ଜଙ୍ଗଲ, ମଝିରେ ଡେରେଜାଙ୍ଗ ଡ୍ୟାମ। କିନ୍ତୁ, ଗାଁ ଲୋକଙ୍କୁ ଏମିତି ଜଙ୍ଗଲ ଚିନ୍ତା ଘାରିଛି ଯେ ପ୍ରତିଦିନ ଡେଉଁଛନ୍ତି ଡ୍ୟାମ ଓ ଜଙ୍ଗଲ ଜଗୁଛନ୍ତି। ପ୍ରାୟ ୨୦ ବର୍ଷ ହେଲା ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀମାନେ ଭେଳା/ଡଙ୍ଗାରେ ଡ୍ୟାମ ପାରିହୋଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ବଅଂରପାଳ ବ୍ଲକ ତୁବେ ପଞ୍ଚାୟତରେ ରହିଛି କୁଲେଇ ଗ୍ରାମ। ଗ୍ରାମରେ ରହୁଛନ୍ତି ୭୫ ପରିବାର ରହୁଛନ୍ତି। ସମସ୍ତେ ଚାଷ ଉପରେ ନିର୍ଭରଶୀଳ। ତେବେ ସେମାନେ ଜଙ୍ଗଲ, ଗଛ, ପତ୍ରର ମୂଲ୍ୟ ଭଲ ଭାବରେ ବୁଝିଛନ୍ତି। ଜଙ୍ଗଲ ଜଗିବା ପାଇଁ ଗ୍ରାମରେ ଏକତା ସୃଷ୍ଟି ହୋଇଛି। ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପ୍ରାୟ ୨୦ବର୍ଷ ହେଲା ପ୍ରତିଦିନ ଗ୍ରାମର ଦୁଇଜଣ ଲେଖାଏଁ ବ୍ୟକ୍ତି ଡେରେଜାଙ୍ଗ ଡ୍ୟାମର ଗୋଟିଏ ପାର୍ଶ୍ବ ପାରି ହୋଇ ଜଙ୍ଗଲ ମଧ୍ୟକୁ ଯାଇଥାନ୍ତି। ଜଙ୍ଗଲ ଜଗିବା କାରଣରୁ ମୋଟ ୫୯ ଏକର ଜଙ୍ଗଲ ଏବେ ସବୁଜିମାରେ ପରିଣତ ହୋଇଛି। ଏହି ଘଞ୍ଚ ଜଙ୍ଗଲ ପୂର୍ବରୁ ଟାଙ୍ଗରା ହୋଇ ରହିଥିବାବେଳେ ଇତିମଧ୍ୟରେ ଏହା ମୂଲ୍ୟବାନ ବୃକ୍ଷଲତାରେ ଭର୍ତ୍ତି ହୋଇରହିଛି।

ଅନୁଗୁଳ ବନାଞ୍ଚଳ ଅଧୀନରେ ଆସୁଥିବା ଏହି ଜଙ୍ଗଲର ରକ୍ଷଣାବେକ୍ଷଣରେ ସାହାଯ୍ୟ କରିବା ପାଇଁ କୁଲେଇ ଗ୍ରାମରେ ମା ଗ୍ରାମେଶ୍ୱରୀ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ୨୦୦୯ ମସିହାରୁ ଏହି ବନ ସୁରକ୍ଷା ସମିତି ବିଧିବଦ୍ଧ ଭାବେ ଗଠିତ ହୋଇଥିଲେହେଁ ବନ ବିଭାଗ ଏପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରିନାହିଁ। ଉକ୍ତ ବନ ସୁରକ୍ଷା ସମିତିକୁ ସରକାରୀ ଯୋଜନାରେ ସାମିଲ କରାଗଲେ ସେମାନେ ଅଧିକ ଉତ୍ସାହିତ ହୋଇପାରନ୍ତେ ବୋଲି ସମିତିର ସଭାପତି ଦୁଷ୍ମନ୍ତ ସାହୁ ଓ ସଂପାଦକ ମଧୁସୂଦନ ସାହୁ କହିଛନ୍ତି। ଏ ସଂକ୍ରାନ୍ତରେ ଅନୁଗୁଳ ରେଂଜ ଅଧିକାରୀ ସତ୍ୟବ୍ରତ ପ୍ରଧାନଙ୍କୁ ପଚାରିବାରୁ ଚଳିତ ବର୍ଷ ‘ଆମ ଜଂଗଲ ଯୋଜନା’ରେ ଏହି ବନ ସୁରକ୍ଷା ସମିତିକୁ ସାମିଲ କରାଯିବ ସେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର