ନୂଆଦିଲ୍ଲୀ: ବାଘ ସଂରକ୍ଷଣ କ୍ଷେତ୍ରରେ ଭାରତ ଅନ୍ତର୍ଜାତୀୟସ୍ତରରେ ଏବେ ବଡ଼ ଭୂମିକା ନେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ର ସଦସ୍ୟ ହେବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଆଇବିସିଏର ପ୍ରତିଷ୍ଠା ପାଇଁ ଏକ ଫ୍ରେମ୍ୱାର୍କ ଏଗ୍ରିମେଣ୍ଟରେ ଆନୁଷ୍ଠାନିକ ଭାବେ ସ୍ବାକ୍ଷର କରିଛି ଭାରତ। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଭାରତ, ନିକାରାଗୁଆ, ଏସ୍ୱାତିନୀ ଓ ସୋମାଲିଆ ସମେତ ୪ଟି ଦେଶ ଆଇବିସିଏର ସଦସ୍ୟ ହୋଇଛନ୍ତି। ଆଇବିସିଏର ସଦସ୍ୟ ହେବା ପାଇଁ ୨୪ଟି ଦେଶ ରାଜି ହୋଇଥିବା ବେଳେ ୯ଟି ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଆଇବିସିଏର ଅଂଶୀଦାର ହେବାକୁ ସମ୍ମତି ପ୍ରକାଶ କରିଛନ୍ତି।
ଏପ୍ରିଲ ୯, ୨୦୨୩ରେ ଭାରତର ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ବାଘ, ସିଂହ, କଲରାପତରିଆ, ବରଫ ଚିତାବାଘ, ପ୍ୟୁମା (ଆମେରିକୀୟ ବାଘ ପ୍ରଜାତି), ଜାଗୁଆର ଓ ଚିତା ଭଳି ବଡ଼ ବିଡ଼ାଳ (ବିଗ୍ କ୍ୟାଟ୍)ଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏକ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସର ଶୁଭାରମ୍ଭ କରିଥିଲେ। ଫେବ୍ରୁଆରି ୨୯ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ୧୫୦ କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତାରେ ଭାରତରେ ମୁଖ୍ୟାଳୟ ସହ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠାକୁ ମଞ୍ଜୁରି ମିଳିଥିଲା।
ସ୍ୱାକ୍ଷରିତ ଫ୍ରେମ୍ୱାର୍କ ଚୁକ୍ତିର ନକଲ ଶୁକ୍ରବାର ଆଇବିସିଏର ଅନ୍ତରୀଣ ମୁଖ୍ୟ ଏସ୍ପି ଯାଦବଙ୍କୁ ହସ୍ତାନ୍ତର କରାଯାଇଛି।
ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସର ଲକ୍ଷ୍ୟ ହେଉଛି ୯୫ଟି ବଡ଼ ବିଡ଼ାଳ ଥିବା ଦେଶ, ସେମାନଙ୍କ ସଂରକ୍ଷଣ କ୍ଷେତ୍ରରେ ଆଗ୍ରହୀ ଅଣ-ରେଞ୍ଜ୍ ଦେଶ, ସେମାନଙ୍କ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସହଯୋଗୀ ଓ ବୈଜ୍ଞାନିକ ସଂଗଠନ ବ୍ୟତୀତ ବାଘ ସଂରକ୍ଷଣ ଉଦ୍ଦେଶ୍ୟରେ ଯୋଗଦାନ ଦେବାକୁ ଇଚ୍ଛୁକ ବ୍ୟବସାୟୀ ଗୋଷ୍ଠୀଙ୍କୁ ନେଇ ଏକ ବହୁରାଷ୍ଟ୍ରୀୟ ଓ ବହୁପକ୍ଷୀୟ ନେଟୱର୍କ ସ୍ଥାପନ କରିବା। ଏହା ବାଘ ସଂଖ୍ୟା ହ୍ରାସକୁ ରୋକିବା ଓ ଧାରାକୁ ବଦଳାଇବା ପାଇଁ କାର୍ଯ୍ୟ କରିବ। ଜାତିସଂଘର ସମସ୍ତ ସଦସ୍ୟ ଦେଶ ଆଇବିସିଏର ସଦସ୍ୟ ହେବା ପାଇଁ ଯୋଗ୍ୟ ଅଟନ୍ତି। ଫ୍ରେମ୍ୱାର୍କ ଚୁକ୍ତିକୁ ଗତ ସପ୍ତାହରେ କ୍ୟାବିନେଟ ଅନୁମୋଦନ କରିଛି ଏବଂ ଭାରତ ଆଇବିସିଏର ସଦସ୍ୟ ହୋଇଛି। ଭାରତ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସର ପ୍ରତିଷ୍ଠାତା ସଦସ୍ୟ ହେବା ଏକ ମହାନ ମୁହୂର୍ତ୍ତ ଯାହା ବାଘ ସଂରକ୍ଷଣ କ୍ଷେତ୍ରରେ ଦେଶର ନେତୃତ୍ୱକୁ ଦର୍ଶାଏ। ସମଗ୍ର ବିଶ୍ୱରେ ବାଘ ସଂରକ୍ଷଣ କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ପାରସ୍ପରିକ ଫାଇଦା ଓ ବୁଝାମଣାରେ ସହାୟକ ହେବ ବୋଲି ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/tiger-1.jpg)