ରାଜନଗର: ପଟ୍ଟାମୁଣ୍ତାଇ ବ୍ଲକ ସଂସାରଫଳ ଗ୍ରାମରେ ୫୦ ଉର୍ଦ୍ଧ୍ବ କାଉଙ୍କ ମୃତ୍ୟୁ ଘଟିଛି। ସଂସାରଫଳ ଗାଁର ଶିବ ମନ୍ଦିର ନିକଟ ଏବଂ ଆଖପାଖ ସ୍ଥାନରେ କାଉଗୁଡିକ ହଠାତ୍ ଗଛରୁ ଖସି ପଡୁଥିବା ଦେଖିବାକୁ ମିଳିଛି। ଗୋଟିଏ ଗାଁରେ ଦୁଇ ଦିନ ଭିତରେ ୫୦ରୁ ଅଧିକ କାଉଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଆତଙ୍କର କାରଣ ହୋଇଛି। ଏବେ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ଭିଡ ଜମିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଓ ବିଦେଶରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ବିଦେଶୀ ପକ୍ଷୀ ଭିତରକନିକାରେ ଭିଡ ଜମାଇଛନ୍ତି। ବର୍ତମାନ ଧାନକଟା ସରିଥିବା ବେଳେ ବିଲରେ ଝଡି ପଡିଥିବା ଧାନ ଓ କୀଟପତଙ୍ଗ ଖାଇବା ପାଇଁ ବିଦେଶୀ ପକ୍ଷୀମାନେ ଜାତୀୟ ଉଦ୍ୟାନ ମଧ୍ୟରୁ ଗାଁ ଧାନ ବିଲରେ ବସୁଛନ୍ତି।
ବିଦେଶାଗତ ପକ୍ଷୀଙ୍କ ଭିଡ ସମୟରେ କାଉମଡକ ଆତଙ୍କର କାରଣ ହୋଇଛି। ସ୍ଥାନୀୟ ଲୋକ ଆଦିକନ୍ଦ ପରିଡା, ବିଜୟ ଦାସ ପ୍ରମୁଖ ଗ୍ରାମବାସୀ ଏ ସଂପର୍କରେ ସ୍ଥାନୀୟ ବନବିଭାଗକୁ ସୂଚନା ଦେଇଥିଲେ। ଭିତରକନିକାର ବିଦେଶାଗତ ପକ୍ଷୀଙ୍କ ଠାରୁ କୌଣସି ଅଜଣା ରୋଗ ହୁଏତ କାଉଙ୍କୁ ବ୍ୟାପି ଥିବା ଆଶଙ୍କା କରାଯାଉଛି। ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ କହିବା ଅନୁଯାୟୀ କାଉମାନଙ୍କର ବ୍ୟବଚ୍ଛେଦ କରି ଏହାର କାରଣ ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/hfhffhfh.jpg)