ଭୋଗରାଇ: ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ବାବା ଚନ୍ଦନେଶ୍ବରଙ୍କ ମନ୍ଦିରରେ ପ୍ରବଳ ଭିଡ଼ ହୋଇଛି। ଓଡ଼ିଶା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର ଆଦି ରାଜ୍ୟରୁ କାଉଡ଼ିଆମାନେ ଆସିଥିଲେ। ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ କାଉଡ଼ିଆମାନେ ଜଳାଭିଷେକ କରିଥିଲେ। ଚଳିତ ବର୍ଷ ୨ ଦିନ ପୂର୍ଣ୍ଣିମା ଥିବାରୁ ବୁଧବାର ଅପେକ୍ଷା ଗୁରୁବାର ରାତିରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରଶାସନର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଠେଲାପେଲାରେ ଶତାଧିକ କାଉଡ଼ିଆ ଆହତ ହୋଇଛନ୍ତି। କିଛି କାଉଡ଼ିଆଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।
ପରିଚାଳନା ପାଇଁ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଜଳେଶ୍ବର ଅତିରିକ୍ତ ତହସିଲଦାର ହେମନ୍ତ କୁମାର ନାୟକ ଏବଂ ବାଲିଆପାଳ ଅତିରିକ୍ତ ତହସିଲଦାର ସ୍ବାଧୀନ ମିଶ୍ର ରହିଥିବା ବେଳେ ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ତଥା ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ମୌରସୀ ତପନ କୁମାର ପଣ୍ଡା, ସେବାୟତ ବୁଦ୍ଧଦେବ ପଣ୍ଡା, ସୁପରଭାଇଜର ବରେନ୍ଦ୍ର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆଇନଶୃଙ୍ଖଳା ପାଇଁ ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର, ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀଙ୍କ ନେତୃତ୍ବରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ସ୍ବାସ୍ଥ୍ୟସେବା ଲାଗି ଜଳେଶ୍ବରପୁରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଚନ୍ଦନେଶ୍ବର, ଶ୍ରଦ୍ଧାପୁର, ନିମାତପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ। ମନ୍ଦିର ପରିସରରେ ସ୍ବଚ୍ଛତା ଓ ପରିମଳ କାର୍ଯ୍ୟରେ ଭୋଗରାଇ ସତ୍ୟସାଇ ସେବା ସଂଗଠନ, ସାହାବାଜିପୁର ସାଗର ସାଥୀ କ୍ଲବ୍ ଓ କୃଷ୍ଣନଗର ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ନିୟୋଜିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/33-9.jpg)