ଧଣ୍ଡାମୁଣ୍ଡା: ଶ୍ରାବଣ ପ୍ରଥମ ସୋମବାରରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପାପନାଶିନୀ ଝରଣାରେ ସ୍ନାନ କରି ଜଳ ଉଠାଇ ମନ୍ଦିରକୁ ଯାଇ ଧୂପଦୀପ, ଫୁଲ, ବେଲପତ୍ର ଦେଇ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଶିବପଞ୍ଚାକ୍ଷର ଗାନ କରି ମହାଦେବଙ୍କୁ ଜଳାଭିଷେକ କରିଛନ୍ତି।
ପ୍ରଭୁଙ୍କ ଉପରେ ପାଣି ଢାଳିବା ପାଇଁ ବାହୁଙ୍ଗି ଭାର ଧରି ରାସ୍ତାରେ ବୋଲ ବମ୍ ହର୍ହର୍ ବମ୍ ଧ୍ୱନିର ତାଳେ ତାଳେ କାଉଡ଼ିଆମାନେ ହରିଶଙ୍କରଠାରେ ପହଞ୍ଚିଥିଲେ। କାଉଡ଼ିଆମାନଙ୍କ ବୋଲ୍ ବମ୍ ହର୍ହର୍ ବମ୍, ହରିଶଙ୍କର ବାବା ପାର କରେଗା, ଜଟିଆଧାରୀ ପାର କରେଗା ଆଦି ଧ୍ୱନିରେ ଗଗନ ପବନ ମୁଖରିତ ହୋଇଥିବା ବେଳେ ଏକ ସାତ୍ବିକ ବାତାବରଣ ସୃଷ୍ଟି ହୋଇଥିଲା। କାଉଡ଼ିଆମାନଙ୍କୁ ଉତ୍ସାହିତ କରିବା ପାଇଁ ଗାଡ଼ିରେ ଡାକବାଜିଯନ୍ତ୍ର ଦ୍ୱାରା ବୋଲ ବମ୍ ଗୀତ ବାଜୁଥିବା ବେଳେ କାନ୍ଧରେ ପାଣିଭାର ଧରି ଶ୍ରଦ୍ଧାଳୁଙ୍କ ପଟୁଆର ପାଦ ଆଗେଇ ଚାଲିଥିଲା ଶୈବପୀଠ ଅଭିମୁଖେ। ମନ୍ଦିର ପ୍ରଶାସନ ତରଫରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟ କରି ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ଜଣାପଡ଼ିଛି।