ପୁରୀ: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଥିଲେ ବି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିପାରିନି। ଏବେ ବି ଭକ୍ତ ଶ୍ରୀମନ୍ଦିର ଭିତରେ ଦର୍ଶନ ପାଇଁ ସଂଘର୍ଷ କରୁଛନ୍ତି। ଭଲରେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରି ପାରୁନାହାନ୍ତି। ଗତ ଶନିବାର ଓ ରବିବାର, ଶ୍ରୀମନ୍ଦିର ଭିତରେ ଓ ବାହାରେ ଯେଉଁଭଳି ଭକ୍ତଙ୍କ ଭିଡ଼ ଲାଗିଲା ଓ ଭକ୍ତମାନେ କଷ୍ଟ ପାଇଲେ, ତାହା ସମାଲୋଚନାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥାରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପରିଚାଳନା କମିଟି। ବିଶେଷକରି ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥା ଓ ନୀତିକାନ୍ତିରେ ଶୃଙ୍ଖଳା ଆଣିବାକୁ ଅଧିକ ଅଧିକାରୀଙ୍କୁ ଡେପୁଟେସନ୍‌ରେ ପଠାଇବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ରଥଯାତ୍ରା ପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଜରୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଡକାଯିବ।

Advertisment

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି, ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲେ। ଏଣୁ ପୁଲିସ ପ୍ରଶାସନ ତରଫରୁ ଅଧିକ ୨ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର, ୬ ଜଣ ଏସ୍‌ଆଇଙ୍କୁ ଡେପୁଟେସନ୍‌ରେ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚିଠି ଲେଖାଯିବ। ସେହିଭଳି ନୀତିକାନ୍ତିରେ ଶୃଙ୍ଖଳା ଆଣିବାକୁ ଆଉ ଜଣେ ମୁଖ୍ୟ ପ୍ରଶାସକଙ୍କ ସମେତ ଦୁଇଜଣ ସହକାରୀ ପ୍ରଶାସକଙ୍କୁ ଡେପୁଟେସନ୍‌ରେ ପଠାଇବାକୁ ସରକାରଙ୍କୁ ଚିଠି ଲେଖିବୁ। ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ସହମତି ପ୍ରକାଶ କରିଛି। ବାକି ସରକାର ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ସେହିପରି, ଭିତର ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି ବୈଠକ କରି ଆବଶ୍ୟକ ପରାମର୍ଶ ଦେବାକୁ ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା। ସେହି ଆଧାରରେ ରଥଯାତ୍ରା ପରେ ସ୍ବତନ୍ତ୍ର ପରିଚାଳନା କମିଟି ବୈଠକ ବସିବ। ଏଥିରେ ଶୃଙ୍ଖଳିତ ଦର୍ଶନ ଉପରେ ଯାହା କିଛି ପରାମର୍ଶ ରହିବ, ସରକାରଙ୍କୁ ଲିଖିତ ଆକାରରେ ଜଣାଯିବ।

ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ବାର, ଭିତର ଓ ବାହାର ଭିଡ଼ ନିୟନ୍ତ୍ରଣ ପାଇଁ ୪ ଜଣ ଅତିରିକ୍ତ ଏସ୍‌ପି ରୢାଙ୍କ୍‌ର ଡେପୁଟି କମାଣ୍ଡାଣ୍ଟ, ୭ ଜଣ ଡିଏସ୍‌ପି ରୢାଙ୍କ୍‌ର ଡେପୁଟି କମାଣ୍ଡାଣ୍ଟ, ୧୪ ଜଣ ଇନ୍ସପେକ୍ଟର, ୫୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରୢାଙ୍କ୍‌ର ଅଧିକାରୀ ନିୟୋଜିତ ଅଛନ୍ତି। ୩୫ ପ୍ଲାଟୁନ୍‌ ଫୋର୍ସ ସହ ୬୨ ଜଣ ହାବିଲଦାର ବି ନିୟୋଜିତ ଅଛନ୍ତି।