ବିଶୃଙ୍ଖଳିତ ହେଉଛି ଦର୍ଶନ ବ୍ୟବସ୍ଥା : ଧାଡ଼ିରେ ବି ପ୍ରବଳ ଠେଲାପେଲା

ବ୍ୟାରିକେଡ୍ ଡେଇଁ ପଶିଲେ ଭକ୍ତ

ପୁରୀ : ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଦିନକୁ ଦିନ ବିଶୃଙ୍ଖଳିତ ହେବାରେ ଲାଗିଛି। ଧାଡ଼ିରେ ଅସମ୍ଭାଳ ଭିଡ଼ ଭକ୍ତଙ୍କୁ ଅଣନିଃଶ୍ବାସୀ କରି ପକାଉଛି। ପ୍ରବଳ ଭିଡ଼ରୁ ବର୍ତିବା ପାଇଁ ଭକ୍ତମାନେ ଅସୁରକ୍ଷିତ ଭାବେ ଗଳିଆ ବାଟ ଦେଖି ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ଏଥି ପାଇଁ ଦୈନିକ ଠେଲାପେଲା ସାଙ୍ଗକୁ ଉତ୍ତେଜନା ମଧ୍ୟ ପ୍ରକାଶ ପାଉଛି। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଆଜି ପର୍ଯ୍ୟନ୍ତ ଶୃଙ୍ଖଳା ଅଣାଯାଇ ପାରିନଥିବାରୁ ସବୁ ଦିନ ଏଭଳି ପରିସ୍ଥିତି ଉପୁଜୁଛି। ବିଶେଷ କରି ଛୁଟି ଦିନମାନଙ୍କରେ ଏହା ଅଣାୟତ୍ତ ହୋଇପଡ଼ୁଛି। ଆଜି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନେ ପୁଲିସଙ୍କୁ ଠେଲାପେଲା କରିଛନ୍ତି। ଶହ ଶହ ସଂଖ୍ୟାରେ ଭକ୍ତ ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ପାଦଧୁଆ ସ୍ଥାନ ଦେଇ ଅନେକ ଶ୍ରୀମନ୍ଦିରରେ ପଶିଥିବା ବେଳେ ଏହାକୁ କିଛି ସେବାୟତ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳିଛି।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିଛି। କିନ୍ତୁ ଆରମ୍ଭରୁ ସେବାୟତ, ବିଭିନ୍ନ ସଂଗଠନ ଏହାକୁ ଦୃଢ଼ ବିରୋଧ କରି ଆସୁଛନ୍ତି। ଏହାକୁ ନେଇ ନିକଟରେ ପୁରୀରେ ଭୟଙ୍କର ହିଂସାକାଣ୍ଡ ଘଟିଥିଲା। ତଥାପି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଶୃଙ୍ଖଳିତ କରି ପାରୁନଥିବାରୁ ଦିନକୁ ଦିନ ଦର୍ଶନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଆଜି ରବିବାର ଥିବାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିର ଆସିଥିଲେ। ସମୟ ଗଡ଼ିବା ସାଙ୍ଗକୁ ଭିଡ଼ ବି ବଢ଼ିବାରେ ଲାଗିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଧାଡ଼ିରେ ଛିଡ଼ା ହେବାକୁ ଜାଗା ଟିକେ ମଧ୍ୟ ମିଳିନଥିଲା। ‌ଶେଷରେ ‌ଅନେକ ଭକ୍ତ ଗଳିଆ ବାଟ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ କିଛି ବ୍ୟକ୍ତିଙ୍କୁ ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ୍‌ରେ ନିୟୋଜିତ ପୁଲିସମାନେ ଶ୍ରୀମନ୍ଦିର ଛାଡ଼ିଥିଲେ। ଏହା ଦେଖି ଅନ୍ୟ ଭକ୍ତମାନେ ଏହି ବାଟ ଦେଇ ଶ୍ରୀମନ୍ଦିର ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଛାଡ଼ି ନଥିଲା। କାହିଁକି ଆଗ ବ୍ୟକ୍ତିଙ୍କୁ ଛାଡ଼ିଲ କହି ଭକ୍ତମାନେ ପୁଲିସ ସହ ଯୁକ୍ତିତର୍କ କରିଥିଲେ। ହୋହାଲ୍ଲା ଭିତରେ ଭକ୍ତମାନେ ପୁଲିସ କର୍ମଚାରୀଙ୍କୁ ଠେଲି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଲାଗିଥିବା ବ୍ୟାରିକେଡ୍‌କୁ ବି ଭକ୍ତମାନେ ଠେଲି ଦେଇଥିଲେ। ଶେଷରେ ଭକ୍ତଙ୍କ ଜନସମୁଦ୍ରକୁ ଦେଖି ପୁଲିସ ହାତ ଟେକି ଦେଇଥିଲା। ସମାନ ରୂପେ ପାଦଧୁଆ ବାଟ ଦେଇ ଭକ୍ତମାନେ ବ୍ୟାରିକେଡ୍ ଚଢ଼ି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। କେବଳ ସିଂହଦ୍ବାର ନୁହେଁ, ଅନ୍ୟ ଦ୍ବାରରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଭକ୍ତମାନେ ଆଜି ପ୍ରବଳ ଭିଡ଼ ଓ ଠେଲାପେଲା ଭିତରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର