ଝାରସୁଗୁଡ଼ା: ଯେଉଁଠି ସଂସ୍କୃତି ନାହିଁ ସେଠାରେ ବିକାଶ ମଧ୍ୟ ହୁଏ ନାହିଁ। ଝାରସୁଗୁଡ଼ାର କଳା ସଂସ୍କୃତି ସୁଦୂର ପ୍ରସାରୀ ହୋଇଥିବାରୁ ଏଠାରେ ବିକାଶ ମଧ୍ୟ ଆଗକୁ ବଢ଼ି ବଢ଼ି ଚାଲିଛି। ଝାରସୁଗୁଡ଼ା ଜିଲ୍ଲାରେ ବିମାନବନ୍ଦରଠାରୁ ଆରମ୍ଭ କରି କ୍ରୀଡ଼ା ଓ ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ବିକାଶ ଘଟିଥିବା ବେଳେ ଆଗକୁ ବିକାଶର ଧାରା ଜାରି ରହିବ। ଏଭଳି ଏକ ସମୟରେ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଜିଲ୍ଲାର କଳା ସଂସ୍କୃତି ସହିତ ବିକାଶର ଧାରାକୁ ଆହୁରି ଆଗକୁ ପହଞ୍ଚାଇବ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ। ୨୧ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’ ଓ ପଲ୍ଲୀଶ୍ରୀ ମେଳା ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାସ ଉପରୋକ୍ତ ମତ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଝାରସୁଗୁଡ଼ା ଏକ ନବୀନ ଜିଲ୍ଲା ହେଲେ ମଧ୍ୟ ଏହାର ଐତିହ ଓ ପରମ୍ପରା ଅତି ପ୍ରାଚୀନ ଅଟେ। ସ୍ବାଧୀନତା ଆନ୍ଦୋଳନର ସ୍ବର ଏହି ଝାରସୁଗୁଡ଼ାରୁ ପ୍ରଥମେ ଆରମ୍ଭ ହୋଇଥିଲା। ଦୁଲଦୁଲି ଭଳି ସଂସ୍କୃତିକ କାର୍ଯ୍ୟକ୍ରମର ଯେପରି କାୟା ବିସ୍ତାର ଘଟୁଛି ସେଭଳି ଜିଲ୍ଲାର ମଧ୍ୟ ବିକାଶ ଅଧିକ ଗତିଶୀଳ ହେଉ ବୋଲି ସେ କହିଥିଲେ। ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସରୋଜ ସାମଲ ଅଧ୍ୟକ୍ଷତା କରି କହିଥିଲେ ଯେ, ଫୁଲ ଯେପରି ଅତି ସୂକ୍ଷ୍ମ ଓ ସ୍ବଳ୍ପ ସମୟ ରହି ତାର ସୁଗନ୍ଧ ସବୁଆଡ଼େ ଚହଟାଇ ଦିଏ ଠିକ୍ ସେହିଭଳି ଝାରସୁଗୁଡ଼ା ଏକ ଛୋଟ ଜିଲ୍ଲା ହେଲେ ମଧ୍ୟ ଏଠାକାର ସାଂସ୍କୃତିକ ମହୋତ୍ସବ ‘ଦୁଲଦୁଲି’ ସର୍ବତ୍ର ତା’ର ସୁଗନ୍ଧ ପ୍ରସାର କରିପାରିଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ରାନୀ ହାତୀ, ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ, ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଚିତ୍ରେଣୀ ପଟେଲ ମଞ୍ଚାସୀନ ଥିଲେ। ଦୁଲଦୁଲିର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସ୍ମରଣିକାର ସଂପାଦିକା ଅଧ୍ୟାପିକା ମନ୍ଦାକିନୀ ଶତପଥୀ ଓ ଡ. ସରୋଜ କୁଅଁର ଏଥିରେ ସହଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରବୀର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ପରିଷଦ ସଂପାଦକ ତାପସ ରାୟ ଚୌଧୁରୀ ସଭା ସଂଯୋଜନା କରିଥିଲେ। ଡିଆଇପିଆର୍ଓ ଧନ୍ୟବାଦ ଦେଇଥିଲେ। ସ୍ଥାନୀୟ ସରବହାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଏହି ମହୋତ୍ସବ ୫ ଦିନ ଧରି ଚାଲିବାକୁ ଥିବା ବେଳେ ଏଠାରେ ପଲ୍ଲୀଶ୍ରୀ ମେଳା, କୃଷି ମେଳା, ମିନାବଜାର ଓ ଖାଦ୍ୟ ଷ୍ଟଲଗୁଡ଼ିକ ବେଶ ଆକର୍ଷଣୀୟ ହୋଇଛି।