ରେମୁଣା: ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳ ଇମାମୀନଗର ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ ପାଳିତ ହୋଇଯାଇଛି। ପ୍ରଭାତରେ ଜଗନ୍ନାଥ ମନ୍ଦିର ପ୍ରଶାସନର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ମନ୍ଦିରର ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ମିଶ୍ର ରଥ ପ୍ରତିଷ୍ଠା, ଶ୍ରୀଜିଉଙ୍କର ବେଶ ଓ ଆଜ୍ଞାମାଳ ଅର୍ପଣ ପରେ ମଙ୍ଗଳାର୍ପଣ, ଧାଡ଼ିପହଣ୍ତି, ଟାହିଆ ଲାଗି ପ୍ରଭୃତି ରୀତିନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ଟାରେ ସମୟରେ ବହୁ ପ୍ରତୀକ୍ଷିତ ଭାବ ବିନୋଦିଆ କଳାଠାକୁର, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ସୁସଜ୍ଜିତ ରଥରେ ଭକ୍ତମାନଙ୍କର ଗହଳିରେ ପ୍ରକମ୍ପିତ ରଥଦାଣ୍ତରେ ରଥାରୂଢ଼ ହୋଇ ଶ୍ରୀଗୁଣ୍ତିଚା ମନ୍ଦିରକୁ ବିଜେ କରିଥିଲେ। ଶ୍ରୀଗୁଣ୍ତିଚା ମନ୍ଦିରରେ ଶ୍ରୀଜିଉଙ୍କର ରଥ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଳତି ଅର୍ପଣ କରି ଶୋଭା ପଟୁଆରରେ ରତ୍ନବେଦିକୁ ନିଆଯାଇଥିଲା। ଭକ୍ତଙ୍କର ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଓ ଇମାମୀ ସୁରକ୍ଷାକର୍ମୀଙ୍କୁ ନିୟୋଜନ କରାଯାଇଥିଲା। ଉତ୍ସବରେ କଲିକତାସ୍ଥିତ ହାଇଭ୍ ଇଣ୍ତିଆ ସଂସ୍ଥାନର ଡାକ୍ତର ଓ ତାଙ୍କର ଟିମ୍, ଇମାମୀ ପେପର ମିଲ୍ର ସ୍ବାସ୍ଥ୍ୟ ଅଧିକାରୀ ଡା. ଓମ୍କାର ମହାପାତ୍ର, ଫାର୍ମାସିଷ୍ଟ ଅକ୍ଷୟ କିଶୋର ଦାସଙ୍କ ତତ୍ତ୍ବାବଧାନରେ ନିଃଶୁଳ୍କ ସ୍ବାସ୍ଥ୍ୟସେବା, ବାଲେଶ୍ବର ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶରେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାମଚନ୍ଦ୍ର କିସ୍କୁଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ତଦାରଖ କରିଥିଲେ। ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ସିସି କ୍ୟାମେରା, ଜଳ ସିଞ୍ଚନ ସାଙ୍ଗକୁ ରେମୁଣା ପୁଲିସ୍ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରାଯାଇଥିଲା।
ଉତ୍ସବରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ପୂର୍ବାଞ୍ଚଳ ପୁଲିସ ନିରୀକ୍ଷକ ହିମାଂଶୁଲାଲ୍, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ଶିନ୍ଦେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଡିଏସ୍ପି ମାନସ ଦେବ, ରେମୁଣା ଆଇଆଇସି ରବିନାରାଣ ଭୂୟାଁ, ନୀଳଗିରି ଏସ୍ଡିପିଓ ରିତେଶ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରି ରଥଟଣାର ଶୁଭାରମ୍ଭ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ଇମାମୀ ଗ୍ରୁପ୍ର ପୃଷ୍ଠପୋଷକ ରାଧାଶ୍ୟାମ ଅଗ୍ରୱାଲ୍, ରାଧାଶ୍ୟାମ ଗୋଏଙ୍କା, ମନ୍ଦିର ପ୍ରଶାସନର ମୁଖ୍ୟ ପୁରୋଧା ସୁଶୀଲ କୁମାର ଗୋଏଙ୍କାଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଇମାମୀ ଗ୍ରୁପ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଚାୱଲା, ସ୍ଥାନୀୟ ମନ୍ଦିର ପ୍ରଶାସନିକ ଅଧିକାରୀ ନିଖିଲ ରଞ୍ଜନ ଦାସ ସାମନ୍ତରାୟ, କାଗଜକଳର ଉପଦେଷ୍ଟା ଏମ୍ବିଏସ୍ ନାୟାର, ସଭାପତି ଆଶିଷ ଅବିନାଶ ଗୁପ୍ତା, ମୁଖ୍ୟ ସଂଚାଳକ ଡ.ୟୁସୁଫ୍ ଅଲ୍ଲୀ ସୋଲାଙ୍କି, ମୁଖ୍ୟ ସଞ୍ଚାଳକ ରାଜେଶ କୁମାର ମିତ୍ତଲ, ଡିଜିଏମ୍ ଦେବବ୍ରତ ହୋତା, ଡିଜିଏମ୍ ରମେଶ ଚନ୍ଦ୍ର ଖୁଣ୍ଟିଆ, ଏଜିଏମ୍ ଓମ୍ ପ୍ରକାଶ ଶର୍ମା, ମନ୍ଦିରର ମୁଖ୍ୟପୂଜକ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ମନୋଜ କୁମାର ପାଢ଼ୀ ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp