ଖୋର୍ଦ୍ଧା : କୋଭିଡ୧୯ ମହାମାରୀ ସଂକ୍ରମଣର ପ୍ରତିରୋଧ ପାଇଁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଅଯଥା ଭିଡ଼ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିକିତ୍ସାଳୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସହ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସାଧାରଣ ରୋଗ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିକିତ୍ସାଳୟ ଆସିବାକୁ ବାରଣ କରାଯାଇଛି। ଏହା ସତ୍ୱେ ଚିକିତ୍ସାଳୟଗୁଡ଼ିକରେ ଗତ ୩-୪ ଦିନ ଧରି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

Advertisment

କରୋନା ସଂକ୍ରମିତ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରୀକ୍ଷଣ ଓ ଚିକିତ୍ସା ନିମନ୍ତେ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏଥି ନିମନ୍ତେ ଚିକିତ୍ସାଳୟର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟସେବା କର୍ମୀଙ୍କ ଉପରେ ଚାପ କମାଇବାକୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାରେ ହସ୍ପିଟାଲ୍ ଆସିବାକୁ ବାରଣ କରାଯାଇଛି। ଚଳିତ ମାସ ୨୪ ତାରିଖ ଯାଏଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ବହିଃବିଭାଗରେ ଦୈନିକ ପ୍ରାୟ ୧ହଜାର ରୋଗୀଙ୍କ ଭିଡ଼ ଲାଗିରହିଥିଲା। ତେବେ ‘ଗୃହାବଦ୍ଧ’ ଓ ସହର ମଧ୍ୟରେ ଯାନବାହନ ଓ ଲୋକଙ୍କ ପ୍ରବେଶ ଉପରେ କଟକଣା କଡ଼ାକଡ଼ି ଲାଗୁ କରିବା ପରେ ୨୫ ତାରିଖରେ ଲୋକଙ୍କ ଭିଡ଼ କମ୍ ରହିଥିଲା। ତେବେ ଚିକିତ୍ସା ପାଇଁ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଯିବାଆସିବା କରିବା ଲୋକଙ୍କୁ ଛାଡ଼ିବା ପାଇଁ ଅନୁମତି ଦେବା ପରେ ପୁଣି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ (ପ୍ରଶାସନ) ଡା ବିଜୟ ପ୍ରସନ୍ନ ମହାନ୍ତିଙ୍କ କହିବାନୁସାରେ, ୨୬ ତାରିଖରେ ବହିଃବିଭାଗରେ ୫୦୭ ଜଣ ରୋଗୀ ଆସିଥିବା ବେଳେ ୨୭ ତାରିଖରେ ୪୨୩ଜଣ ରୋଗୀଙ୍କ ପରୀକ୍ଷଣ ଓ ଔଷଧ ପ୍ରଦାନ କରାଯାଇଥିଲା। ସେହିଭଳି ଆଜି ରୋଗୀଙ୍କ ସଂଖ୍ୟା କିଛି ହ୍ରାସ ପାଇଥିଲେ ମଧ୍ୟ ପ୍ରାୟ ୪ଶହ ରହିଛି। ଲୋକଙ୍କୁ ବାରମ୍ବାର ବାରଣ କରିବା ଓ ସେମାନଙ୍କୁ ସଚେତନ କରିବା ପରେ ମଧ୍ୟ ବହିଃବିଭାଗକୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସୁଥିବାରୁ ଜିଲ୍ଲା ବାହାରୁ ଆସିଥିବା ସହସ୍ରାଧିକ ଲୋକଙ୍କ ପରୀକ୍ଷଣ ଓ ନିଦାନ ଠିକ୍ ଭାବେ କରାଯାଇପାରୁନାହିଁ।

publive-image

ଆଜିଠାରୁ ଖୋର୍ଦ୍ଧା ପୌରପରିଷଦରେ ଅସହାୟ ଓ ଦୁଃସ୍ଥ ଲୋକଙ୍କୁ ରନ୍ଧନ ଖାଦ୍ୟ
ଖୋର୍ଦ୍ଧା : କୋଭିଡ୧୯ ମହାମାରୀ ପରିପ୍ରେକ୍ଷୀରେ ଗୃହାବଦ୍ଧ ଘୋଷଣା ଓ ଦୋକାନ ବଜାର ଖୋଲିବା ଉପରେ କଟକଣା ଜାରି ହୋଇଛି। ଏଭଳି ପରିପ୍ରେକ୍ଷୀରେ ଅନେକ ଗରିବ ଓ ଦିନ ମଜୁରିଆ କାମଧନ୍ଦା ପାଇପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ପୌର ପ୍ରଶାସନ ପକ୍ଷରୁ ଦୁଃସ୍ଥ, ଅସହାୟଙ୍କୁ ରନ୍ଧନଖାଦ୍ୟ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି।

ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥିଙ୍କ ସୂଚନାନୁସାରେ, ଯେଉଁମାନେ ଖାଇବାକୁ ପାଉନାହାନ୍ତି, ଅସହାୟ, ଦୁଃସ୍ଥ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ସେମାନଙ୍କ ନିକଟରେ ରନ୍ଧନ ଖାଦ୍ୟ ପହଂଚାଯିବ । ଆଜି ୮ ନମ୍ବର, ୯ ନମ୍ବର ଓ ୧୧ ନମ୍ବର ୱାର୍ଡର ୮ଜଣଙ୍କୁ ଖାଇବାକୁ ଦିଆଯାଇଛି । ପରବର୍ତୀ ନିର୍ଦ୍ଦେଶ ଯାଏଁ ଏଭଳି ରନ୍ଧନ ଖାଦ୍ୟ ପ୍ରଦାନ ଚାଲିବ ।